ଭୁବନେଶ୍ବର: ଗୋଟିଏ ପରେ ଗୋଟିଏ ମାଓବାଦୀଙ୍କ ଗଡ଼କୁ କବ୍‌ଜା କରି ଚାଲିଛି ଓଡ଼ିଶା ପୁଲିସ। କେକେବିଏନ୍(କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼) ଡିଭିଜନ୍ ପରେ ଅଭେଦ୍ୟ ଦୁର୍ଗ କୁହାଯାଉଥିବା ମାଲକାନଗିରି ମାଥିଲି ବ୍ଲକ୍‌ ତୁଳସୀ ପାହାଡ଼ ଏବେ ପୁଲିସର ଟାର୍ଗେଟରେ ରହିଛି। ଆଜିର ବଡ଼ଧରଣର ଅପରେସନରେ ୩ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଅନ୍ୟମାନେ ଛତ୍ରଭଙ୍ଗ ଦେଇଛନ୍ତି। ନିକଟରେ କୋରାପୁଟରୁ କୁଖ୍ୟାତ ମାଓବାଦୀ ସ୍ପେସାଲ ଜୋନାଲ୍ କମିଟି ସଦସ୍ୟ ଦୁବାସା ଶଙ୍କର ଗିରଫ ପରେ ଏହି ଏନ୍‌କାଉଣ୍ଟର ରାଜ୍ୟ ପୁଲିସର ମନୋବଳ ବଢ଼ାଇଛି। ଗତ ୩ ତାରିଖରେ କୋରାପୁଟ, ମାଲକାନଗିରିରେ ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ମାଓ ରଣନୀତି ପ୍ରସ୍ତୁତ ହେବା ପରେ ଏହି ବଡ଼ ଅପରେସନ୍ କରାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ୨୦୧୬ରୁ ଆଜି ପର୍ଯ୍ୟନ୍ତ ୫ ବର୍ଷ ୧୦ ମାସ ସମୟ ମଧ୍ୟରେ ପୁଲିସ ଏନ୍‌କାଉଣ୍ଟରରେ ୯୭ ମାଓବାଦୀ ନିହତ ହୋଇଥିବା ବେଳେ ୧୭ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ବିଭିନ୍ନ ମାଓ ଅପରେସନ୍‌ରୁ ୨୩୧ଟି ବନ୍ଧୁକ, ବିପୁଳ ଗୁଳିଗୋଳା, ୨୧୧ ବିସ୍ଫୋରକ ଜବତ ହୋଇଛି। ୨୦୧୬ରେ ୩୩ଟି ଏନକାଉଣ୍ଟର ହୋଇଥିବା ବେଳେ ୩୯ ଜଣ ମାଓବାଦୀ ନିହତ ହୋଇଥିଲେ। ସେହିପରି ୨୦୧୭ରେ ୧୭ ଏନ୍‌କାଉଣ୍ଟରରେ ୭ ଜଣ, ୨୦୧୮ରେ ୨୭ ଏନ୍‌କାଉଣ୍ଟରରେ ୧୯ ଜଣ, ୨୦୧୯ରେ ୧୪ ଏନ୍‌କାଉଣ୍ଟରରେ ୯ ଜଣ, ୨୦୨୦ରେ ୨୭ ଏନ୍‌କାଉଣ୍ଟରରେ ୧୭ ଜଣ ଏବଂ ୨୦୨୧ରେ ଆଜି ସୁଦ୍ଧା ୧୬ ଏନକାଉଣ୍ଟରରେ ୬ ଜଣ ପ୍ରାଣ ହରାଇଛନ୍ତି। ଏହି ସମୟ ମଧ୍ୟରେ ୨୨୫ ଜଣ ମାଓବାଦୀ ଗିରଫ ହୋଇଥିବା ବେଳେ ୧୩୭ ଜଣ ଆତ୍ମସମର୍ପଣ କରିଛନ୍ତି। ସେହିପରି ୨୮୦ ହିଂସାକାଣ୍ଡ ଓ ଏନକାଉଣ୍ଟରରେ ୭୧ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। କେନ୍ଦ୍ରୀୟ ବାହିନୀ ସହିତ ଓଡ଼ିଶା ପୁଲିସର ଏଭଳି ନିୟମିତ ମିଳିତ ଅପରେସନରେ ମାଓବାଦୀ ପଛଘୁଞ୍ଚା ଦେବା‌ ଆରମ୍ଭ କଲେଣି। କିନ୍ତୁ ଏହାର ଜବାବରେ ମାଓବାଦୀମାନେ ବଡ଼ଧରଣର ହିଂସା ଘଟାଇବା ପାଇଁ ସୁଯୋଗ ଖୋଜୁଥିବା କୁହାଯାଉଛି। ଏଥିପାଇଁ ଓଡ଼ିଶା ପୁଲିସ ପ୍ରସ୍ତୁତ ଅଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

The post ଓଡ଼ିଶାରେ ଭୁଶୁଡ଼ୁଛି ମାଓ ଗଡ଼: ୫ ବର୍ଷ ୧୦ ମାସରେ ୯୭ ମାଓବାଦୀ ନିହତ, ୨୨୫ ଗିରଫ, ୧୩୭ ଜଣଙ୍କ ଆତ୍ମସମର୍ପଣ first appeared on Sambad.

from ଜିଲ୍ଲା | Sambad https://ift.tt/3BFoWmY