
ଆଠଗଡ଼: ଆଠଗଡ଼ରୁ ଏଟିଏମ୍ ଟଙ୍କା ଗାଡ଼ି ଲୁଟ୍ ଘଟଣାରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଅଛନ୍ତି ୫ ଜଣ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଥିବାବେଳେ ଅନ୍ୟ ୨ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି। ଦୁର୍ବୃତ୍ତମାନେ ଚୋରା କାର୍ ଏବଂ ଜାଲ୍ ନମ୍ବର ପ୍ଲେଟ୍ ବ୍ୟବହାର କରି ଏଭଳି କାଣ୍ଡ କରିଛନ୍ତି ବୋଲି ଆଜି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଆଠଗଡ଼ ଏସ୍ଡିପିଓଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଆଇଜି ଶ୍ରୀ ଭୋଳ କହିଛନ୍ତି ଯେ ଆଠଗଡ଼ ଓ ଖୁଣ୍ଟୁଣୀସ୍ଥିତ ଏଟିଏମ୍ କାଉଣ୍ଟର୍ରେ ଟଙ୍କା ଭର୍ତ୍ତି କରିବା ପରେ ଏଟିଏମ୍ ଗାଡ଼ି ତିଗିରିଆ ଅଭିମୁଖେ ଯାଉଥିଲା।
ବାଟରେ ମହୀଧରପୁର ନିକଟରେ କର୍ମଚାରୀମାନେ ଘରୁ ଆଣିଥିବା ଖାଦ୍ୟ ଖାଇବାପାଇଁ ଅଟକି ଥିଲେ। ସେମାନେ ଖାଉଥିଲା ବେଳେ କାର୍ରେ ଦୁର୍ବୃତ୍ତମାନେ ପହଞ୍ଚି ବନ୍ଧୁକ ଓ ମାରଣାସ୍ତ୍ରରେ ଆକ୍ରମଣ କରିବା ପରେ ଗାଡ଼ି ଲୁଟି ନେଇଥିଲେ। ଏହି ଖବର ମିଳିବା ପରେ ଆଠଗଡ଼ ପୁଲିସ୍ ତ୍ବରିତ ପଦକ୍ଷେପ ନେବା ସହ ଢେଙ୍କାନାଳ ଓ ଅନୁଗୁଳ ପୁଲିସର ମିଳିତ ସହଯୋଗରେ ତଲାସୀ ଆରମ୍ଭ କରିଥିଲା। ଖବର ପାଇ କଟକ-ସମ୍ବଲପୁର ରାଜପଥରେ ଯାଞ୍ଚ କରୁଥିବା ଢେଙ୍କାନାଳ ସଦର ଥାନା ପୁଲିସ୍କୁ ଦେଖି ଏକ ସ୍ବିଫ୍ଟ କାର୍ ସନ୍ଦେହଜନକ ଭାବେ ଅନ୍ୟ ବାଟରେ ଯିବାକୁ ଉଦ୍ୟମ କରିଥିଲା। ଏହାପରେ ଢେଙ୍କାନାଳ ସଦର ଥାନା ଆଇଆଇସି ଅଭିନବ ଡାଳୁଆଙ୍କ ନେତୃତ୍ବରେ ପୁଲିସ ଟିମ୍ କାର୍ର ପିଛା କରିଥିଲେ। ଶ୍ରଦ୍ଧାପୁର ପଞ୍ଚାୟତର ଭୋଜଦେଇପୁର ନିକଟରେ ପୁଲିସ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଲୁଟେରାଙ୍କୁ ଧରିବାକୁ ସକ୍ଷମ ହୋଇଥିଲା।
ଲୁଟ୍ ଘଟଣାରେ ପ୍ରତ୍ୟକ୍ଷ ଭାବେ ୫ଜଣ ସମ୍ପୃକ୍ତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଧରାପଡ଼ିଥିଲା ବେଳେ ୧କୋଟି ୫ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଛି। ଅନ୍ୟ ୨ଜଣ ଫେରାର ଅଭିଯୁକ୍ତ ହେଉଛନ୍ତି ନୟାଗଡ଼ ଅଞ୍ଚଳର। ଏହି ଘଟଣାରେ ପରୋକ୍ଷ ଭାବେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ମଧ୍ୟ ତଦନ୍ତ ଚାଲିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ୪ଟି ପିସ୍ତଲ, ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଜବତ କରାଯାଇଛି। ଗିରଫ ୩ ଅଭିଯୁକ୍ତଙ୍କ ବିରୋଧରେ ଚୋରି, ରାହାଜାନୀ, ଡକାୟତି, ହତ୍ୟା ଉଦ୍ୟମ ଭଳି ୧୫ରୁ ୧୬ଟି ଲେଖାଏଁ ମାମଲା ରହିଛି। ସେମାନେ ଲୁଟ୍ରେ ବ୍ୟବହାର କରିଥିବା କାର୍ ୧୫ଦିନ ତଳେ ଗୁରୁଡ଼ିଝାଟିଆଥାନା ଅଞ୍ଚଳରୁ ଚୋରି ହୋଇଥିଲା। ଏହି ଗାଡ଼ିରେ ଜାଲ୍ ନମ୍ବର ବ୍ୟବହାର କରାଯାଇଥିଲା।
ଆଜି ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି। ସେମାନଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ତଦନ୍ତ କରାଯିବ ବୋଲି ଆଇଜି ଶ୍ରୀ ଭୋଳ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳ ଏସ୍ପି କେ. ଶିବସୁବ୍ରମଣୀ, କଟକର ଅତିରିକ୍ତ ଏସ୍ପି ଅଲେଖ ଚନ୍ଦ୍ର ପହି, ଆଠଗଡ଼ ଡିଏସ୍ପି ଦେବେନ୍ଦ୍ର ମଲ୍ଲିକ, ଚୌଦ୍ୱାର ଡିଏସ୍ପି ସତ୍ୟବ୍ରତ ଲେଙ୍କା, ଢେଙ୍କାନାଳ ସଦର ଥାନା ଆଇଆଇସି ଅଭିନବ ଡାଳୁଆ, ଆଠଗଡ଼ ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ପରିଡ଼ା, ତିଗିରିଆ ଥାନା ଆଇଆଇସି ବନବିହାରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
The post ଏଟିଏମ୍ ଗାଡ଼ି ଲୁଟ୍ ଘଟଣା: ଚୋରା ଗାଡ଼ି, ଜାଲ୍ ନମ୍ବର ପ୍ଲେଟ୍ first appeared on Sambad.from ଜିଲ୍ଲା | Sambad https://ift.tt/3Dz5Sr3
0 Comments