
କାଳିଆପାଣି : ମଧ୍ୟାହ୍ନଭୋଜନ ପ୍ରତିବଦଳରେ ସ୍କୁଲରେ ମିଳୁଥିବା ଚାଉଳ ପାଇଁ ନଗଡ଼ାର ଛାତ୍ରଛାତ୍ରୀଙ୍କୁ ୨୦ କିଲୋମିଟର ଚାଲିବାକୁ ପଡ଼ୁଛି। ନଗଡ଼ାରୁ ୧୦ କିଲୋମିଟର ଦୂର ସାତକୁଲିଆ ପାହାଡ଼ ତଳେ ଅବସ୍ଥିତ ଦେଓଗାଁ ପ୍ରାଥମିକ ସ୍କୁଲରୁ ପିଲାଏ ଗତକାଲି ମୁଣ୍ଡରେ ଚାଉଳ ବୋହି ତରତରରେ ଗାଁ ଫେରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଆସିଲେ ୧୦ କିଲୋମିଟର ଚାଲିଚାଲି ପୁଣି ଫେରିଲେ ସମାନ ବାଟ ଚାଲିଚାଲି। ନଗଡ଼ା ଓ ଗୁହିଆଶାଳ ସ୍କୁଲରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ଅଛି। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବାକୁ ପିଲାଙ୍କୁ ଦେଓଗାଁ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଆସିବାକୁ ହୋଇଥାଏ। ସେହିପରି ତୁମୁଣିରେ ସ୍କୁଲ ନଥିବାରୁ ଏଠାକାର ସମସ୍ତ ଶିଶୁଙ୍କୁ ପ୍ରଥମରୁ ଦେଓଗାଁ ସ୍କୁଲରେ ନାମ ଲେଖାଇବାକୁ ପଡ଼ିଥାଏ। ଚଳିତ ଶିକ୍ଷାବର୍ଷ ନଗଡ଼ାର ୧୬ ଜଣ, ଗୁହିଆଶାଳର ୯ ଓ ତୁମୁଣିର ୨୮ ଜଣଙ୍କୁ ମିଶାଇ ପାହାଡ଼ି ଇଲାକାର ମୋଟ ୫୩ ଜୁଆଙ୍ଗ ଛାତ୍ରଛାତ୍ରୀଙ୍କ ନାଁ ଦେଓଗାଁ ସ୍କୁଲରେ ରହିଛି। ଗତକାଲି ପ୍ରଥମ ପର୍ଯ୍ୟାୟରେ ନଗଡ଼ା ଓ ଗୁହିଆଶାଳ ମୌଜାର ୨୪ ଜଣ ଛାତ୍ରଛାତ୍ରୀ ଏବଂ ପରବର୍ତ୍ତୀ ସମୟରେ ତୁମୁଣିର ଛାତ୍ରଛାତ୍ରୀମାନେ ଚାଉଳ ଆଣିବାକୁ ଦେଓଗାଁ ପହଞ୍ଚିଥିଲେ। ଏଥିପାଇଁ ସେମାନେ ସକାଳ ୭ଟାରୁ ଘରୁ ବାହାରିଥିଲେ ବୋଲି ତଳ ନଗଡ଼ାର କାନ୍ଦ୍ରା ପ୍ରଧାନ କହନ୍ତି। ଅଧିକାଂଶ ପିଲାଙ୍କ ପାଦରେ ଜୋତା ନଥିବାରୁ ପାହାଡ଼ି ରାସ୍ତାରେ ଚାଲିବାରେ କଷ୍ଟ ପାଉଥିବା ଦେଖିବାକୁ ମିଳିଥିଲା। ଭୋକରେ ଆଉଟୁପାଉଟୁ ହୋଇ ପିଲାଏ ଚାଉଳ ମୁଣ୍ଡାଇ ଘର ଫେରିବା ବାଟରେ ଏକାଧିକଥର ଥକ୍କା ମାରି ବସୁଥିଲେ। ମଝିରେ ରାସ୍ତା କଡ଼ ଝରଣାରୁ ପାଣି ପିଇ ଘରେ ପହଞ୍ଚିଲା ବେଳକୁ ୪ଟା ବାଜି ଯାଇଥିଲା।
ଏ ସଂପର୍କରେ ପ୍ରଧାନଶିକ୍ଷକ ଗିରିଧାରୀ ଦେହୁରୀଙ୍କୁ ଯୋଗାଯୋଗ କରିବାରୁ ଗତକାଲି ସ୍କୁଲରେ ଚାଉଳ ବଣ୍ଟା ଯାଇଥିବା କହିଥିଲେ। ପଞ୍ଚମ ପର୍ଯ୍ୟନ୍ତ ପିଲାଙ୍କୁ ୭ କିଲୋ ଓ ତଦୁର୍ଦ୍ଧ ଶ୍ରେଣୀର ପିଲାଙ୍କୁ ସାଢ଼େ ୧୦ କିଲୋଲେଖାଏଁ ଚାଉଳ ବଣ୍ଟା ଯାଇଥିଲା। ବୋଲି ସେ ସୂଚନା ଦେଇଥିଲେ। ତେବେ ଗତ ମାସରେ ସ୍କୁଲ ତରଫରୁ ପିଲାଙ୍କୁ ଜୋତା ବଣ୍ଟା ଯାଇଥିଲେ ମଧ୍ୟ ସେମାନେ ନ ପିନ୍ଧିଲେ ଆମେ କ””ଣ କରିପାରିବୁ ବୋଲି ସେ ଓଲଟା ପ୍ରଶ୍ନ କରିଥିଲେ। ନଗଡ଼ା ପାହାଡ଼ି ଅଞ୍ଚଳର ଆଉ ୪୩ ଜଣ ଜୁଆଙ୍ଗ ଛାତ୍ରଛାତ୍ରୀଙ୍କ ନାଁ ଗାଁଠାରୁ ୧୫ କିଲୋମିଟର ଦୂର ଚିଙ୍ଗୁଡ଼ିପାଳ ଆଶ୍ରମ ସ୍କୁଲରେ ରହିଛି। ଏଠାରୁ ଚାଉଳ ଆଣିବାକୁ ଯାଇ ପିଲାଏ ଅଧିକ ଦହଗଞ୍ଜ ହୋଇଥାନ୍ତି ବୋଲି ତଳନଗଡ଼ା, ଗୁହିଆଶାଳ ଓ ତୁମଣି ଗାଁର ୩ ମୁରବି ଗଦା ପ୍ରଧାନ, ଠେଙ୍ଗେଣିଆ ପ୍ରଧାନ ଓ ମିଟୁ ପ୍ରଧାନ କହିଛନ୍ତି।
ଏ ପ୍ରସଙ୍ଗରେ ନଗଡ଼ା ଗସ୍ତ ଅବସରରେ ସାମାଜିକ କର୍ମୀ ମଣ୍ଟୁ ଦାସ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶିଶୁମାନଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହେଉଥିବା ଦର୍ଶାଇ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଏପରି ଏକ ସ୍ପର୍ଶକାତର ବିଷୟରେ ସରକାରୀ ବାବୁମାନେ ଉତ୍ତର ନରଖି ପ୍ରସଙ୍ଗ ଏଡ଼ାଇ ଯାଇଥିଲେ ବୋଲି ସେ ଅଭିଯୋଗ କରନ୍ତି। ଏହାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରିବେ ବୋଲି ସେ ଚେତାବନୀ ଦେଇଛନ୍ତି।
The post ଚାଉଳ ପାଇଁ ୨୦ କିଲୋମିଟର ଚାଲିଲେ ନଗଡ଼ା ଛାତ୍ରଛାତ୍ରୀ first appeared on Sambad.from ଜିଲ୍ଲା | Sambad https://ift.tt/3GyjVQc
0 Comments