
ବାରିପଦା: ସାଇକ୍ଲୋଥନ୍ (ସାଇକେଲ୍ ରାଲି) ମାଧ୍ୟମରେ ବ୍ୟାଘ୍ର ସଂରକ୍ଷଣ ସଚେତନତା। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ବ୍ୟାଘ୍ର ସଂରକ୍ଷଣ ଓ ଜୈବ ବିବିଧତା ସଂରକ୍ଷଣ ବାର୍ତ୍ତା ପ୍ରଦାନ ଉଦ୍ଦେଶ୍ୟରେ ଇଣ୍ଡିଆ ଫର ଟାଇଗରସ କାର୍ଯ୍ୟକ୍ରମ ଅବସରରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ(ଏସଟିଆର) ବାରିପଦା ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସାଇକ୍ଲୋଥନରେ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ତଥା ଯୁବଗୋଷ୍ଠୀ ଅଂଶଗ୍ରହଣ କରିଥିଲେ। ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଏସପି ଆର୍ ଦ୍ୟାନଦେଓ, ଆରସିସିଏଫ୍ ତଥା ଫିଲ୍ଡ ଡାଇରେକ୍ଟର ଏମ୍ ଯୋଗ ଜୟାନନ୍ଦ, ବାରିପଦା ଡିଏଫ୍ଓ ସନ୍ତୋଷ କୁମାର ଯୋଶୀ, ଉପ ନିର୍ଦ୍ଦେଶକ ଏସ୍ ଗୁପ୍ତା, ପିଡି ଡିଆରଡିଏ ଅନ୍ବେଷା ରେଡ୍ଡୀ, ବାରିପଦା ଉପଜିଲ୍ଲାପାଳ ଅନ୍ୟା ଦାସ, ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ।
ଏଥିସହିତ ଶିମିଳିପାଳ, ପରିବେଶ ଏବଂ ବନ୍ୟପ୍ରାଣୀଙ୍କ ସମ୍ପର୍କରେ ବହୁମୂଲ୍ୟ ମତାମତ ପାଇଁ ବାରିପଦା ଡିଭିଜନ୍ କାର୍ଯ୍ୟାଳୟରେ ଏକ ଦସ୍ତଖତ ଅଭିଯାନ, ଫିଡଵ୍ୟାକ ବକ୍ସ ଅମୃତ ପେଟିକାର ମଧ୍ୟ ବ୍ୟବସ୍ଥା ହୋଇଥିଲା। ସେହିପରି ଯଶୀପୁରରେ ମଧ୍ୟ ଏକ ମିନି-ମାରାଥନର ଆୟୋଜନ ହୋଇଥିଲା। ଯଶୀପୁର ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆ ଏହାକୁ ଉଦ୍ଘାଟନ କରିଥିଲେ। ପରେ ସ୍ଥାନୀୟ ପ୍ରୟାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲୋକାୟୁକ୍ତ ସଦସ୍ୟ ଦେବବ୍ରତ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଜିଲ୍ଲାପରିଷଦ ସଭାପତି ସୁଜାତା ମୁର୍ମୁ, ବିଧାୟକ ଭାସ୍କର ମଢ଼େଇ, ରାଜକିଶୋର ଦାସଙ୍କ ସମେତ ସେଭ୍ ଏଲିଫ୍ୟାଣ୍ଟ୍ ଫାଉଣ୍ଡେସନର ଅଧ୍ୟକ୍ଷ ରଜନିକାନ୍ତ ଜେନା ପ୍ରମୁଖଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଶିମିଳିପାଳ ସମେତ ଜଙ୍ଗଲ ଏବଂ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ନେଇ ସମସ୍ତେ ଶପଥପାଠ କରିଥିଲେ। ବନ୍ୟପ୍ରାଣୀ ଓ ଜଙ୍ଗଲ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀଙ୍କୁ ଏହି ଅବସରରେ ଉପଖଣ୍ଡସ୍ତରୀୟ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଥିଲା। ଉଲ୍ଲେଖଯୋଗ୍ୟଯେ ସ୍ବାଧୀନତାର ୭୫ବର୍ଷ ପାଳନ ଅବସରରେ ଆଜାଦି କା ଅମୃତ ମହୋତ୍ସବ ଉତ୍ସବ ପାଳନର ଅଂଶ ବିଶେଷ ଗତ ମାସ ୨୭ତାରିଖ ତେଲଙ୍ଗାନାରୁ ବାହାରିଥିବା ରାଲି ବେଳେ ଆଜି ଗାନ୍ଧୀ ଜୟନ୍ତୀରେ ବାରିପଦା (ଶିମିଳିପାଳ) ରେ ପହଞ୍ଚି ଉଦଯାପିତ ହୋଇଛି।
The post ଶିମିଳିପାଳ ଜୈବମଣ୍ଡଳ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଶପଥ ନେଲେ: ସାଇକ୍ଲୋଥନ୍ ମାଧ୍ୟମରେ ବ୍ୟାଘ୍ର ସଂରକ୍ଷଣ ସଚେତନତା first appeared on Sambad.from ଜିଲ୍ଲା | Sambad https://ift.tt/3is6lDt
0 Comments