ପାରଳାଖେମୁଣ୍ତି: ‘ଆମକୁ ଓଡ଼ିଶା ସରକାର କେବଳ ସପ୍ତାହକୁ ଦୁଇଟି ଅଣ୍ତା ଏବ˚ ଗୋଟିଏ ଛତୁଆ ପ୍ୟାକେଟ୍ ଦେଉଛନ୍ତି। କିନ୍ତୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସରକାର ଆମକୁ ମାସିକ ରାସନ୍ ଦେଉଛି। ଓଡ଼ିଶାର ରାସନକାର୍ଡ଼ ଆମର ଆବଶ୍ୟକ ନାହିଁ ଏବ˚ ସରକାର ଭୋଟ ତାଲିକାରୁ ଆମ ନାଁ କାଟିଦିଅନ୍ତୁ। ଗଜପତି ଜିଲ୍ଲା ଆନ୍ଧ୍ରପ୍ରଦେଶ ସୀମାନ୍ତ ଗଙ୍ଗାବାଡ଼ି ପଞ୍ଚାୟତ ଗୁଡ଼ୁଖୁଡି ଗ୍ରାମର ପୂର୍ବତନ ଅଙ୍ଗନବାଡ଼ି ଦିଦି ପାର୍ବତୀ ଶବର ଏବ˚ ସ୍ବ୍ବାମୀ ରାଜୁ ଶବରଙ୍କ ଏଭଳି ମନ୍ତବ୍ୟ ଆଜି ଚର୍ଚ୍ଚାର ବିଷୟ ପାଲଟିଛି।

ଗତ ୧୦ ତାରିଖ ଦିନ ଗୁଡ଼ୁଖୁଡି ଅଙ୍ଗନବାଡ଼ି କେନ୍ଦ୍ରକୁ ଖାଦ୍ୟ ବାଣ୍ଟିବାକୁ ଅଙ୍ଗନବାଡ଼ି ଦିଦି କସ୍ତୁରୀ ରଇତ ଯାଇଥିବାବେଳେ ତାଙ୍କୁ ଆନ୍ଧ୍ରପ୍ରଦେଶ ପୁଲିସ ଅଟକ ରଖିବାକୁ ପ୍ରୟାସ କରିଥିଲା। ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମରେ ତଥ୍ୟ ପ୍ରକାଶ ପାଇବା ପରେ ଗଜପତି ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଥିଲେ। ଗାରାବନ୍ଧ ପୁଲିସ ସହ ରାୟଗଡ଼ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ଦାଶ ଅନୁସନ୍ଧାନ ପାଇଁ ମାଣିକପାଟଣା ଓ ଗୁଡ଼ୁଖୁଡି ଗ୍ରାମକୁ ଯାଇଥିଲେ। ଆଉ ସ୍ଥାନୀୟବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ ସରକାରୀ ଅଧିକାରୀ ଏବ˚ ଗ୍ରାମବାସୀଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ସମ୍ପର୍କୀୟ ଦୁଇଟି ଭିଡ଼ିଓ ‘ସମ୍ବାଦ’କୁ ହସ୍ତଗତ ହୋଇଛି। ଉକ୍ତ ଭିଡ଼ିଓରେ ଗ୍ରାମବାସୀ ରୋକଠୋକ୍ ଭାବେ ଓଡ଼ିଶା ସରକାରଙ୍କ ଗ୍ରାମାଞ୍ଚଳ ଯୋଜନା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ଗ୍ରାମାଞ୍ଚଳ ଯୋଜନା ମଧ୍ୟରେ ତୁଳନାତ୍ମକ ତଥ୍ୟ ଉପସ୍ଥାପନ କରି ଅତିରିକ୍ତ ତହସିଲଦାରଙ୍କୁ ପ୍ରଶ୍ନ କରୁଛନ୍ତି।

ଗୋଟିଏ ଭିଡ଼ିଓରେ ରାଜୁ ଶବର ନାମକ ବ୍ୟକ୍ତି ସରକାରୀ ଅଧିକାରୀଙ୍କୁ କହିଛନ୍ତି, ଦୁଇବର୍ଷ ହେଲା ଗଜପତି ପ୍ରଶାସନ ଅନେକ ପରିବାରକୁ ଚାଉଳ ଦେବା ବନ୍ଦ କରି ଦେଇଛନ୍ତି। ଏହାସହ ଘର ପଟ୍ଟା, ଜଙ୍ଗଲ ଜମି ପଟ୍ଟା ଓ ଶିକ୍ଷା ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ରାଜୁ ପ୍ରଶ୍ନ କରୁଥିବାବେଳେ ସରକାରୀ ଅଧିକାରୀ ଏହାର ଉତ୍ତର ଦେଇପାରୁନାହାନ୍ତି। ଆଉ ଏକ ଭିଡ଼ିଓରେ ରାଜୁଙ୍କ ପତ୍ନୀ ତଥା ପୂର୍ବତନ ଅଙ୍ଗନବାଡ଼ି ଦିଦି ପାର୍ବତୀ ଅତିରିକ୍ତ ତହସିଲଦାରଙ୍କୁ କହିଛନ୍ତି, ସେମାନେ ଆନ୍ଧ୍ରର ବାସିନ୍ଦା ହେବା ପାଇଁ ମନସ୍ଥ କରିସାରିଛନ୍ତି। ଆନ୍ଧ୍ରପ୍ରଦେଶ ସରକାର ପ୍ରାଥମିକ ଶିକ୍ଷା ଗ୍ରହଣ କରୁଥିବା ଛାତ୍ର ପିଛ‌ା ମାସିକ ୩୦ଟି ଅଣ୍ତା, ୧୨ ଲିଟର କ୍ଷୀର, ୧ ଲିଟର ଖାଇବା ତେଲ, ୫ କେଜି ଚାଉଳ, ୨ କେଜି ଡାଲି, ୫ କେଜି ଛତୁଆଗୁଣ୍ତ ଏବ˚ ବାର୍ଷିକ ପିଲାଙ୍କ ମାଙ୍କୁ ୧୫ ହଜାର ଟଙ୍କା ଦିଆଯାଉଛି। ଅନ୍ୟପକ୍ଷରେ ଓଡ଼ିଶା ସରକାରଙ୍କ ଦ୍ବାରା ପରିଚାଳିତ ଅଙ୍ଗନବାଡ଼ି କେନ୍ଦ୍ରରେ ସପ୍ତାହକୁ ୨ଟି ଅଣ୍ତା ଓ ଛତୁଆ ଛଡ଼ା ଆଉ କିଛି ମିଳୁନାହିଁ। ଆଉ ଏକ ଭିଡ଼ିଓରେ କୁହାଯାଇଛି, ଜଙ୍ଗଲଜମି ପଟ୍ଟାଧାରୀଙ୍କୁ ଆନ୍ଧ୍ର ସରକାର ବାର୍ଷିକ ବ୍ୟାଙ୍କ୍ ଖାତାରେ ୧୨ ହଜାର ଟଙ୍କା ଜମା କରୁଛନ୍ତି ଏବ˚ ଏହି ଯୋଜନାରେ ଓଡ଼ିଶା ସରକାର କିଛି ଦେଉନାହାନ୍ତି । ଦୁଇବର୍ଷ ହେଲା ରାସନ୍ ମିଳୁନାହିଁ ଓ ଆଲୋଚନା ପାଇଁ ରାୟଗଡ଼ ବ୍ଲକକୁ ଯିବାକୁ ହେଲେ ଦୈନିକ ୩ ଶହରୁ ୪ ଶହ ଟଙ୍କା ଖର୍ଚ୍ଚ ହେଉଛି।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା, ଏଭଳି ଆଲୋଚନା ଏବଂ ତର୍କବିତର୍କ ଚାଲିଥିବା ବେଳେ ଅତିରିକ୍ତ ତହସିଲଦାର ଓଡ଼ିଶା ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରିବା ବଦଳରେ ନିରବଦ୍ରଷ୍ଟା ସାଜିଛନ୍ତି। ଏହି ଘଟଣାରୁ ଗୋଟିଏ  କଥା ସ୍ପଷ୍ଟ ହେଉଛି କି ଗଙ୍ଗାବାଡ଼, ପଞ୍ଚାୟତର ଆନ୍ଧ୍ରପ୍ରଦେଶ ସୀମାନ୍ତରେ ବାସ କରୁଥିବା ଗ୍ରାମବାସୀ ଓଡ଼ିଶାରେ ରହି ଆନ୍ଧ୍ର ସରକାରଙ୍କ ଯୋଜନାକୁ ପ୍ରାଥମିକତା ଦେବା ଆରମ୍ଭ କରିଛନ୍ତି। ଆଉ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ବି ସବୁ ଅନୁକମ୍ପା ଓ ସହାନୁଭୂତି ଅଜାଡ଼ି ଦେଉଛି। ଧୀରେ ଧୀରେ ସୀମାନ୍ତ ଇଲାକାକୁ ନିଜର କରିବାକୁ ବସିଛି।

The post ଆନ୍ଧ୍ର ଯୋଜନାରେ ଗଙ୍ଗାବାଡ଼ବାସୀଙ୍କ ଲୋଭ! କହିଲେ, ଓଡ଼ିଶାର ରାସନକାର୍ଡ଼ ଆମକୁ ଦରକାର ନାହିଁ first appeared on Sambad.

from ଜିଲ୍ଲା | Sambad https://ift.tt/3vtYmuI