ପୁରୀ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୁରୀ ପେଣ୍ଠକଟାସ୍ଥିତ ଶ୍ରୀଜଗନ୍ନାଥ ଷ୍ଟାଡିଅମ ଉନ୍ନୟନ କାର୍ଯ୍ୟ ବୁଲି ଦେଖିଛନ୍ତି ୫-ଟି ସଚିବ ଭି. କେ. ପାଣ୍ଡିଆନ। ଏହି ଅବସରରେ ଶ୍ରୀ ପାଣ୍ଡିଆନ ସମ୍ପୁକ୍ତ ଅଧିକାରୀଙ୍କ ସହ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବା ସହ ତୁରନ୍ତ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ୱସ୍ତରୀୟ କରିବା ସ୍ୱପ୍ନ ଭିତରେ ଏହି ପ୍ରକଳ୍ପ ଅନ୍ୟତମ ହୋଇଥିବାରୁ ପ୍ରକଳ୍ପ କାମକୁ ଗୁରୁତ୍ବର ସହ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ପଣ୍ଡିଆନ ବୁଧବାର ଦିନ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ଓବିସିସିର ଯନ୍ତ୍ରୀମାନଙ୍କ ସହ ପ୍ରକଳ୍ପସ୍ଥଳ ପରିଦର୍ଶନ କରି କାମର ଅଗ୍ରଗତି ସମୀକ୍ଷା କରିଥିଲେ। ଏହି ଅବସରରେ ସେ ପୁରୀର କଳା, ସଂସ୍କୃତି ସହ ଜଡ଼ିତ ଜାଗା ଅାଖଡା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଷ୍ଟାଡିଅମ କୁସ୍ତି ଖେଳ ସହ ସୁନ୍ଦର ସ୍ୱାସ୍ଥ୍ୟ, ଯୋଗ, ଜିମ୍ନାଷ୍ଟିକ, ବକ୍ସିଂ ଭଳି କ୍ରୀଡ଼ା ପାଇଁ ପ୍ରକୃଷ୍ଟ କ୍ଷେତ୍ର ହେବ ବୋଲି ଶ୍ରୀ ପଣ୍ଡିଆନ କହିଥିଲେ। ଏହି ଷ୍ଟାଡିଅମରେ ଘରୋଇ କ୍ରିକେଟ ଏକାଡେମୀ, କୁସ୍ତି ଏକାଡେମୀ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।
ସୂଚନାଯୋଗ୍ୟ, ଅଭଡ଼ା ଯୋଜନାରେ ଏହି ଷ୍ଟାଡିଅମ ବାବଦକୁ ୪୦ କୋଟି ଖର୍ଚ୍ଚ କରାଯାଉଛି। ଏହା ମଧ୍ୟରେ ପ୍ରମୁଖ ପ୍ରକଳ୍ପ ଭାବେ ନୂଆ କ୍ରିକେଟ ଷ୍ଟାଡିଅମ ନିର୍ମାଣ କରାଯାଉଛି। ଯେଉଁଥିରେ କ୍ରିକେଟ ଅଭ୍ୟାସ ପାଇଁ ରଣଜୀ ଭଳି କ୍ରିକେଟ ଖେଳ ଆୟୋଜନ ଲକ୍ଷ ରଖାଯାଇଛି। ୫୦ ମିଟରର ସନ୍ତରଣ କ୍ଷେତ୍ର(ସ୍ୱିମିଂ ପୁଲ), ବହୁମୁଖୀ ଇଣ୍ଡୋର ହଲ, ଟେବୁଲ ଟେନିସ, ୧୦୦ ଶଯ୍ୟା ବିଶିଷ୍ଟ ସ୍ପୋର୍ଟସ ହଷ୍ଟେଲ ନିର୍ମାଣ କରାଯିବ।

The post ଶ୍ରୀଜଗନ୍ନାଥ ଷ୍ଟାଡିୟମ କାର୍ଯ୍ୟର ସମୀକ୍ଷା first appeared on Sambad.

from ଜିଲ୍ଲା | Sambad https://ift.tt/3DFLYuy