ବାରିପଦା : ମାଡ଼ତତ୍ତ୍ୱ ପରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଫୋନ୍‌ ଜରିଆରେ ଗାଳିଗୁଲଜ ଅଭିଯୋଗ ପରେ ଚର୍ଚ୍ଚାରେ ଥିବା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଆଜି ବାରିପଦା ଆସିଥିବା ବେଳେ ଘଟଣା ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିବା ସହିତ ପ୍ରଶାସନକୁ ପୁଣି ଟାର୍ଗେଟ୍‌ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁଙ୍କ କହିବା କଥା ଜିଲ୍ଲା ପ୍ରଶାସନର ନିଷ୍କ୍ରିୟତା ଓ ମନମୁଖୀ କାର୍ଯ୍ୟକୁ ସେ ସାଂସଦ ହେବାଦିନଠାରୁ ନିନ୍ଦା କରି ଆସୁଛନ୍ତି। ଜିଲ୍ଲାରେ ବିଭିନ୍ନ ସମସ୍ୟା ଥିବାବେଳେ ସେ ସବୁ ସଜାଡ଼ିବା ସହିତ ଜିଲ୍ଲାର ଉନ୍ନତି ପାଇଁ ଆପ୍ରାଣ ଉଦ୍ୟମ କରିଛନ୍ତି। କିନ୍ତୁ ଜିଲ୍ଲା ପ୍ରଶାସନ ଓ ନିଜେ ଜିଲ୍ଲାପାଳ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଶାସକ ଦଳର ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ଜିଲ୍ଲା ପରିଷଦ ସଭାପତି, ବିଜେପି ବିଧାୟକ ଓ ସେ ନିଜେ କେନ୍ଦ୍ରମନ୍ତ୍ରୀ ଭାବେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ କରିବା ପାଇଁ ଆଗଭର ହେଉଥିବାବେଳେ ଜିଲ୍ଲା ପ୍ରଶାସନ ସେଥିରେ ଅସହଯୋଗ କରିବା ଦୁଃଖର ବିଷୟ ବୋଲି ସେ କହିଛନ୍ତି।

ସେହିପରି ଜିଲ୍ଲା ଓଏଏସ ସଂଘ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିବା ଅଳରେ ନିଜ ଦୋଷ ଦୁର୍ବଳତା ଲୁଚାଇବାକୁ ଚେଷ୍ଟା କରୁଥିବା ମନ୍ତ୍ରୀ କହିଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ କରାଇ ନ ଦେବାକୁ ଜିଲ୍ଲା ପ୍ରଶାସନ ଶାସକ ଦଳର ହାତ ବାରିସୀ ସାଜିଛି। ଜିଲ୍ଲାର ଉନ୍ନତି ହେଲେ କେନ୍ଦ୍ରମନ୍ତ୍ରୀ ଭାବେ କାଳେ ସେ ଶ୍ରେୟ ନେଇଯିବେ, ସେଥିପାଇଁ ତାଙ୍କ କଣ୍ଠରୋଧ କରିବା ପାଇଁ ଏ ପ୍ରକାର ଚକ୍ରାନ୍ତ କରାଯାଉଥିବା ଶ୍ରୀ ଟୁଡୁ କହିଛନ୍ତି। କିନ୍ତୁ ମୟୁରଭଞ୍ଜ ଜନସାଧାରଣଙ୍କ ପାଇଁ ସେ ଆଜି କେନ୍ଦ୍ରମନ୍ତ୍ରୀ ହୋଇଥିବାରୁ କୌଣସି ପରିସ୍ଥିତିରେ ମଧ୍ୟ ଲୋକଙ୍କ ସ୍ବାର୍ଥ ସହ ସାଲିସ କରିବେ ନାହିଁ ବୋଲି କହିଛନ୍ତି।

The post କେନ୍ଦ୍ରମନ୍ତ୍ରୀ-ଅମଲା ସଂଘ ବିବାଦ: ପ୍ରଶାସନକୁ ପୁଣି ଟାର୍ଗେଟ୍‌ କଲେ ବିଶ୍ୱେଶ୍ୱର first appeared on Sambad.

from ଜିଲ୍ଲା | Sambad https://ift.tt/3FGcMwR