ରାଉରକେଲା: ପ୍ରକଳ୍ପ ନିର୍ମାଣ ହୋଇନି, କିନ୍ତୁ ସେ ବାବଦକୁ ଅନୁମୋଦିତ ଅର୍ଥ ଉଠାଇ ସାରିଲେଣି। ଏମିତିକି କିଛି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ହୋଇଥିବାବେଳେ ବିଲ୍‌ ପ୍ରସ୍ତୁତ କିନ୍ତୁ ଏଯାଏଁ ହୋଇନି; ମାତ୍ର ତା’ର ବି ଅର୍ଥ ଉଠାଣ ହୋଇସାରିଛି। ଏଭଳି ଢ଼ଙ୍ଗରେ କେବଳ ୧ କିମ୍ବା ୨ ଲକ୍ଷ ନୁହେଁ, ବରଂ ୩୭ ଲକ୍ଷ ଟଙ୍କାର ଅର୍ଥ ହେରଫେର୍‌ ହୋଇଛି। କୁଆରମୁଣ୍ଡା ବ୍ଲକ ଅନ୍ତର୍ଗତ ପୁଟ୍ରିଖମନ ଗ୍ରାମ ପଞ୍ଚାୟତରେ ଏଭଳି ଅର୍ଥ ହଡ଼ପ ମାମଲା ଏବେ ଲୋକଲୋଚନକୁ ଆସିଛି। ଖୋଦ୍‌ କୁଆରମୁଣ୍ଡା ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶରେ ଗଠିତ ଯୁଗ୍ମ କମିଟି ଏହି ଦୁର୍ନୀତିର ପର୍ଦ୍ଦାଫାସ କରିବାସହ ପୁଟ୍ରିଖମନର ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବବ୍ରତ ଦାଶ, ସରପଞ୍ଚ ରୀନା ଟପ୍ନୋଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ପତ୍ର(ସଂଖ୍ୟା-୧୧୫୪, ତାରିଖ- ୫-ଫେବ୍ରୁଆରୀ-୨୦୨୧) ମାଧ୍ୟମରେ ଦୃଷ୍ଟିଆକର୍ଷଣ କରିଥିଲେ।

ଦୁର୍ନୀତି ମୂଳୋତ୍ପାଟନ ପାଇଁ ସରକାର ଅନଲାଇନ ଅର୍ଥ ଲେଣଦେଣ କାରବାରକୁ ପ୍ରୋତ୍ସାହିତ କରୁଛନ୍ତି। ଏମିତିକି ଗ୍ରାମ ପଞ୍ଚାୟତ ସ୍ତରରେ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ନିର୍ମାଣ ଓ ତଦ୍‌ଜନିତ ଅନୁମୋଦିତ ଅର୍ଥ ପ୍ରଦାନ ଆଦି ପ୍ରକ୍ରିୟା ଅନଲାଇନ୍‌ରେ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ତେବେ କୁଆରମୁଣ୍ଡା ବ୍ଲକ ଅନ୍ତର୍ଗତ ପୁଟ୍ରିଖମନ ଗ୍ରାମ ପଞ୍ଚାୟତ ହେଉଛି ବ୍ୟତିକ୍ରମ। କେବଳ ଅର୍ଥ ହେରଫେର୍‌ କରିବାର ମନ୍ଦ ଉଦ୍ଦେଶ୍ୟ ନେଇ ଅନଲାଇନ ପରିବର୍ତ୍ତେ ଚିରାଚରିତ ଢ଼ାଞ୍ଚାରେ ଚେକ୍‌ରେ ଅର୍ଥ ଦିଆଯାଉଛି। ଗତ ଦୁଇଟି ଆର୍ଥିକ ବର୍ଷରେ ୧୫ଟି ପ୍ରକଳ୍ପର ମୋଟ୍‌ ୩୭ ଲକ୍ଷ ୩୦ ହଜାର ୭ ଶହ ଟଙ୍କାର ହେର୍‌ଫେର୍‌ କରାଯାଇଛି। ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ୧୬ ଲକ୍ଷ ୪୦ ହଜାର ଟଙ୍କା ଓ ୨୦୨୦-୨୧ ଆର୍ଥିକ ବର୍ଷରେ ୨୦ ଲକ୍ଷ ୯୦ ହଜାର ୭ ଶହ ଟଙ୍କାଙ୍କୁ ମିଳିମିଶି ଚଳୁ କରିଦେଇଛନ୍ତି।

ବିଭାଗୀୟ ଅଧିକାରୀ ଅର୍ଥ ହଡ଼ପ ପାଇଁ ସବୁ ସୀମା ସରହଦ ପାର କରିଦେଇଥିବା ଜଣାପଡ଼ିଛି। ଏହି ୧୫ଟି ପ୍ରକଳ୍ପ ମଧ୍ୟରୁ ୧୨ଟି ପ୍ରକଳ୍ପ ଏଯାଏଁ ଆରମ୍ଭ ହୋଇପାରିନି। କିନ୍ତୁ ଏ ବାବଦକୁ ଆସିଥିବା ଅର୍ଥ ଉଠାଇସାରିଲେଣି। ଏହାସହ ୩ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସଂପନ୍ନ ହୋଇଥିଲେ ମଧ୍ୟ ବିଲ୍‌ ପ୍ରସ୍ତୁତ ହୋଇନି, ତଥାପି ଏ ବାବଦକୁ ଆସିଥିବା ଅର୍ଥ ଚେକ୍‌ ଆକାରରେ ଉଠାଇଦେଇଛନ୍ତି। ବିଭିନ୍ନ ପ୍ରକଳ୍ପ ଯଥା-ବାର୍ତ୍ତାଗୁଟୁ ମହାଲି ବସ୍ତିରେ କଂକ୍ରିଟ୍‌ ରାସ୍ତା ନିର୍ମାଣ ଓ ମରାମତି(୨ ଲକ୍ଷ), ବାର୍ତ୍ତାଗୁଟୁ ଲାଖୁଆଟୋଲାରେ ଘାଟରେ ପାହାଚ ଓ ଚେଞ୍ଜିଂ ରୁମ୍‌( ୨ ଲକ୍ଷ ୫୦ ହଜାର), ଦୁମାଙ୍ଗଦିରିର ଗାଧୁଆ ଘାଟରେ ପାହାଚ ଓ ଚେଞ୍ଜିଂ ରୁମ୍‌(୨ ଲକ୍ଷ ୫୦ ହଜାର), ଶୁଖାବନ୍ଧ ପାଢ଼ାଘରରେ କଂକ୍ରିଟ ରାସ୍ତା ନିର୍ମାଣ ଓ ମରାମତି(୨ ଲକ୍ଷ), ପୁଟ୍ରିଖମନର ପୋଖରୀର ପୁନରୁଦ୍ଧାର(୫ ଲକ୍ଷ), ୧୫ଟି ନଳ କୂପ ପ୍ଲାଟ୍‌ଫର୍ମର ମରାମତି( ୧ ଲକ୍ଷ ୨୦ ହଜାର), ଦୁମାଙ୍ଗଦିରି ମିଶନ ସ୍କୁଲରେ ଶୌଚାଳୟ ନିର୍ମାଣ(୧ ଲକ୍ଷ ୨୦ ହଜାର ୭ଶହ ଟଙ୍କା), ଦୁମାଙ୍ଗଦିରି ସ୍କୁଲର ଡ୍ରେନ୍‌ (୧ଲ କ୍ଷ), ବାର୍ତ୍ତାଗୁଟୁ ପୋଖରୀର ପୁନରୁଦ୍ଧାର(୫ ଲକ୍ଷ), ହରୋପାଲି କାଜୁଟୋଲାର କ୍ରସ୍‌ ଡ୍ରେନେଜ୍‌ କାମ(୨ ଲକ୍ଷ), ସାଗବେଡ଼ା ସ୍କୁଲ ଗୃହ ମରାମତି(୨ ଲକ୍ଷ ୫୦ ହଜାର ଟଙ୍କା), ଲୁଚାବାହାଲ ଖେଳ ପଡ଼ିଆରେ ଚେଞ୍ଜିଂ ରୁମ୍‌(୩ ଲକ୍ଷ ଟଙ୍କା) ଆଦି ପ୍ରକଳ୍ପ ଆରମ୍ଭ ହୋଇନଥିଲେ ମଧ୍ୟ ଟଙ୍କା ଉଠାଣ ସରିଛି।

ଏତଦ୍‌ବ୍ୟତୀତ ପୁଟ୍ରିଖମନରେ ୪ଟି ନଳକୂପ ଖନନ(୪ ଲକ୍ଷ ୪୦ ହଜାର), ପୁଟ୍ରିଖମନରେ ପାଇପ୍‌ ୱାଟର ସଂପ୍ରସାରଣ (୨ ଲକ୍ଷ), ପୁଟ୍ରିଖମନରେ ପାଇପ୍‌ ଲାଇନ ମରାମତି(୧ ଲକ୍ଷ ଟଙ୍କା) ଆଦି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। କିନ୍ତୁ ବିଲ୍‌ ତିଆରି ହୋଇନଥିଲେ ମଧ୍ୟ ଟଙ୍କା ଉଠାଯାଇଥିବା ତତ୍କାଳୀନ ଗୋଷ୍ଠି ଉନ୍ନୟନ ଅଧିକାରୀ ନିଜ ତଦନ୍ତ ରିପୋର୍ଟରେ ଉଲ୍ଲେଖ କରିଥିଲେ। ପ୍ରକାଶଥାଉକି, ପ୍ରକଳ୍ପ ନିର୍ମାଣ ସଂପନ୍ନ ହେବାପରେ ଗ୍ରାମ ପଞ୍ଚାୟତ କର୍ତୃପକ୍ଷ ଆନୁସଙ୍ଗିକ ଭାଉଚର୍‌, ମନି ରସିଦ, ଏମ୍‌ବି ଆଦି କନିଷ୍ଠ ଯନ୍ତ୍ରୀ(ଜେଇ)ଙ୍କୁ ଦାଖଲ କରିଥାନ୍ତି। ସମସ୍ତ ନଥିପତ୍ରକୁ ତର୍ଜମା କଲାପରେ କନିଷ୍ଠ ଯନ୍ତ୍ରୀ ବିଲ୍‌ ତିଆରି କଲାପରେ ଉଭୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ଯୁଗ୍ମ ଦସ୍ତଖତରେ ଆକାଉଣ୍ଟ୍‌ରୁ ଟଙ୍କା ଉଠାଇ ଠିକାଦାରଙ୍କୁ ଦିଆଯାଇଥାଏ। କିନ୍ତୁ ଏହି ୧୫ଟି ପ୍ରକଳ୍ପ ମଧ୍ୟରୁ ଗୋଟିଏ ପ୍ରକଳ୍ପର ମଧ୍ୟ ବିଲ୍‌ ତିଆରି ହୋଇନି। ଏନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବବ୍ରତ ଦାଶଙ୍କୁ ପଚାରିବାରୁ କହିଲେ, ପୁଟ୍ରିଖମନ ପଞ୍ଚାୟତରେ ମୁଁ ଗୋଟିଏ ବର୍ଷ ଥିଲି। ସେଠାରେ କୌଣସି ପ୍ରକାର ଦୁର୍ନୀତି ହୋଇନି। କରୋନା ମହାମାରୀ ସମୟରେ ପଞ୍ଚାୟତକୁ ଆସିଥିବା ଅନୁଦାନରୁ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର(ଟିଏମ୍‌ସି) ପ୍ରତିଷ୍ଠା କରାଯିବା ସହ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ କିଣାଯାଇଥିଲା। ଏହାକୁ ଦେଖି ମନଇଚ୍ଛା କାମ କରାଯାଇଥିବା ଅଭିଯୋଗ ଆସିଥିଲା। ପୂର୍ବତନ ବିଡିଓ ‌ଏ ମାମଲା ବିଷୟରେ ଜିଲ୍ଲାପାଳଙ୍କୁ ଲେଖିକି ଦେଇଥିଲେ। ତା’ର ତଦନ୍ତ ଚାଲିଛିବୋଲି ଶ୍ରୀ ଦାଶ କହିଛନ୍ତି।

The post ମିଳିମିଶି ଖାଇଦେଲେ ୩୭ ଲକ୍ଷ; କାମ ଆରମ୍ଭ ହୋଇନି, ଅନୁଦାନ ଉଠାଇସାରିଲେଣି first appeared on Sambad.

from ଜିଲ୍ଲା | Sambad https://ift.tt/3FjAeQ8