କଟକ/ଜଗତପୁର : ଜଗତପୁର ଶିଳ୍ପାଞ୍ଚଳରେ ନିକଟରେ ଥିବା ଏକ ଧୂପକାଠି କମ୍ପାନି ‘ ଏସ୍‌ ଏସ୍‌ ଏଣ୍ଟପ୍ରାଇଜର୍ସ’ରେ ଆଜି ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଯାଇଥିବାବେଳେ ସୌଭାଗ୍ୟବଶତଃ କେହି କର୍ମଚାରୀ ଆହତ ହୋଇ ନାହାନ୍ତି। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ୮ଟି ଅଗ୍ନିଶମ ଗାଡ଼ି ଆସି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ମଧ୍ୟ ରାତ୍ରି ବେଳକୁ ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଥିବା ଜଣାପଡ଼ିଛି। ତେବେ, ଧୂଆଁ ଅଧିକ ହେଉଥିବାରୁ ନିଷ୍କାସନ ଯନ୍ତ୍ର ବ୍ୟବହାର କରି ଅଗ୍ନିଶମ ଅଧିକାରୀ ଧୂଆଁ ବାହାରକୁ କାଢ଼ିଥିବା ସୂଚନା ମିଳିଛି।

ମିଳିଥିବା ତଥ୍ୟ ମୁତାବକ, ଏହି କାରଖାନାରେ ସବୁଦିନ କଞ୍ଚାମାଲ ପ୍ରସ୍ତୁତ କରାଯାଇ ପ୍ୟାକିଂ କରାଯାଏ। ଆଜି ରବିବାର ଥିବାରୁ ଶ୍ରମିକମାନେ କାରଖାନାରେ କାମ କରି ଅପରାହ୍ନରେ ଫେରିଯାଇଥିଲେ। ସଂଧ୍ୟା ପ୍ରାୟ ୬ଟା ବେଳେ ଅଚାନକ ଧୂପକାଠି ପ୍ରସ୍ତୁତ ହେଉଥିବା ପ୍ରକୋଷ୍ଠରେ ନିଆଁ ଲାଗିଯାଇଥିଲା।

କିଛିକ୍ଷଣ ମଧ୍ୟରେ ନିଆଁ ସମଗ୍ର କାରଖାନାକୁ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡରେ କାରଖାନାରେ ମହଜୁଦ ଥିବା କଞ୍ଚାମାଲ, ଧୂପକାଠି ପ୍ରସ୍ତୁତିରେ ବ୍ୟବହାର ହେଉଥିବା କେମିକାଲ, ଯନ୍ତ୍ରାଂଶ ସହିତ କାର୍ଯ୍ୟାଳୟର ବହୁ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାଯାଇଛି।

ଧୂପ ପ୍ରସ୍ତୁତରେ ବ୍ୟବହାର ହେଉଥିବା କେମିକାଲ ଗରମ କରିବା ପାଇଁ ଥିବା ‘ହଟ୍ ଚ୍ୟାମ୍ବର୍‌’ରେ ‘ସର୍ଟ ସର୍କିଟ୍’ ହୋଇ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଅଗ୍ନିକାଣ୍ଡ ସମୟରେ କମ୍ପାନି ଭିତରେ ଥିବା ପ୍ରାୟ ୧୨ ଜଣ କର୍ମଚାରୀ ସୌଭାଗ୍ୟବଶତଃ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଅଗ୍ନିକାଣ୍ଡ ସମ୍ପର୍କରେ କମ୍ପାନି କର୍ମଚାରୀ ଅଗ୍ନିଶମ କେନ୍ଦ୍ର ଓ ଜଗତପୁର ଥାନାକୁ ଖବର ଦେଇଥିଲେ। ବକ୍ସିବଜାର ଦମକଳ କେନ୍ଦ୍ର ସମେତ ଚାଉଳିଆଗଞ୍ଜ, ବିଡ଼ାନାସୀ, ନରାଜ, ଟାଙ୍ଗୀ-ଚୌଦ୍ବାର, ସାଲେପୁର, କଟକ ବଡ଼ ଡାକ୍ତରଖାନା ଏବଂ ଭୁବନେଶ୍ବର କଳ୍ପନାରେ ଥିବା ଅଗ୍ନିଶମ କେନ୍ଦ୍ରରୁ ଦମକଳ ଗାଡ଼ି ନିଆଁ ଲିଭାଇବାରେ ବ୍ୟବହାର କରାଯାଇଥିଲା। ଅଗ୍ନିଶମ ବିଭାଗର ପ୍ରାୟ ୫୦ରୁ ଅଧିକ କର୍ମଚାରୀଙ୍କୁ ଏଥିପାଇଁ ନିୟୋଜିତ କରାଯାଇଥିଲା। ‘ହଟ୍ ଚ୍ୟାମ୍ବର୍‌’ ଅଗ୍ନିକାଣ୍ଡର ପ୍ରମୁଖ କାରଣ କୁହାଯାଉଥିବା ବେଳେ ଏ ନେଇ ଅଗ୍ନିଶମ ବିଭାଗ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

The post ଜଳିଗଲା ଧୂପକାଠି କମ୍ପାନି, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ first appeared on Sambad.

from ଜିଲ୍ଲା | Sambad https://ift.tt/3jbOW25