
ରାୟଗଡ଼ା: ଚନ୍ଦ୍ରପୁରରେ ମୋବାଇଲ୍ ସେବା ସ୍ବାଭାବିକ କରିବା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ଆଜି ବିଷମକଟକ ଏସଡିପିଓ ଆକାଶ ଚନ୍ଦ୍ର ସାହୁ ରିଲାୟନ୍ସ ଜିଓ ନେଟୱାର୍କ କମ୍ପାନୀର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ପାହାଡ଼, ପର୍ବତ ଅଞ୍ଚଳ ଦେଇ ୧୩ କିମି ଦୂର ଫାଇବର ତାରକୁ ଯିବାକୁ ଥିବାରୁ ଖର୍ଚ୍ଚ ବଜେଟ୍ ବାହାରେ ଥିବାରୁ ଚନ୍ଦ୍ରପୁରକୁ ଜିଓ ନେଟୱାର୍କ ପହଞ୍ଚିବାରେ ବିଳମ୍ବ ହେଉଥିବା ଜିଓ କର୍ତ୍ତୃପକ୍ଷ କହିଛନ୍ତି। ଜିଲ୍ଲାର ସବୁଠୁ ଦୁର୍ଗମ ବ୍ଲକ୍ ଚନ୍ଦ୍ରପୁରରେ ମୋବାଇଲ୍ ନେଟୱାର୍କ ସମସ୍ୟା ଲାଗି ରହିଛି। ବହୁ ପୂର୍ବରୁ ଚନ୍ଦ୍ରପୁର, ହନୁମନ୍ତପୁର, ଡାଙ୍ଗସୋରଡା, ଟୁରିଗୁଡ଼ାରେ ବିଏସଏନ୍ଏଲ୍ ଟାୱାର ପ୍ରତିଷ୍ଠା ହୋଇଥିଲେ ମଧ୍ୟ ସମସ୍ୟା ଯୋଗୁ ମାସର ଅଧାରୁ ଅଧିକ ଦିନ ବିଏସଏନ୍ଏଲ୍ ନେଟୱାର୍କ ଫେଲ୍ ରହୁଛି।
ଜିଓ ନେଟୱାର୍କ ଆରମ୍ଭ ହେବା ପରେ ଏବେ ବ୍ଲକର ହନୁମନ୍ତପୁର ପଞ୍ଚାୟତରେ ଟାୱାର ସ୍ଥାପନ କରାଯାଇ ଜିଓ ମୋବାଇଲ୍ ସେବା ଉପଲବ୍ଧ କରାଯାଇଛି। କିନ୍ତୁ ହନୁମନ୍ତପୁରରୁ ୧୩ କିମି ଦୂର ଚନ୍ଦ୍ରପୁରକୁ ଜିଓ ନେଟୱାର୍କ ପହଞ୍ଚାଇବାକୁ ପାଖାପାଖି ୭ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାରୁ ତାହା ସମ୍ଭବ ହୋଇପାରୁନି। ଚନ୍ଦ୍ରପୁର ବ୍ଲକ୍ ସଦର ମହକୁମା ସମେତ ଆଖପାଖ ପଞ୍ଚାୟତରେ କମ୍ ସଂଖ୍ୟକ ମୋବାଇଲ୍ ବ୍ୟବହାରକାରୀ ଥିବାରୁ କମ୍ପାନୀ ଏତେ ଟଙ୍କା ଖର୍ଚ୍ଚ କରିବାକୁ ପଛଘୁଞ୍ଚା ଦେଉଛି। ଚନ୍ଦ୍ରପୁରରେ ଜିଓ ମୋବାଇଲ୍ ସେବା ଉପଲବ୍ଧ କରିବାକୁ ପୂର୍ବରୁ ଜିଓ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ, ଏସ୍ପି ଚିଠି ଲେଖିଥିବା ବେଳେ ସଂସଦରେ ଲୋକସଭା ସାଂସଦ ସପ୍ତଗିରି ଉଲାକା ଓ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ ପ୍ରଶ୍ନ ଉଠାଇଛନ୍ତି। ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ଏ ଦିଗରେ ସରକାର ଓ ମୋବାଇଲ୍ କମ୍ପାନୀର ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ କୌଣସି ସୁଫଳ ମିଳିପାରିନି। ଆଜି ଜିଓ କର୍ତ୍ତୃପକ୍ଷ ମୁନିଗୁଡ଼ା ଆସିଥିବା ବେଳେ ବିଷମକଟକ ଏସଡିପିଓ ଶ୍ରୀ ସାହୁ ଜିଓ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।
ଆଗାମୀ ଦିନରେ ଗୁଡାରିରୁ ସିରିଗୁଡ଼ା ଦେଇ ଚନ୍ଦ୍ରପୁରକୁ ଜିଓ ମୋବାଇଲ୍ ସେବା ଯୋଗାଇବାର ଯୋଜନା ରହିଛି। କିନ୍ତୁ ପାହାଡ଼ିଆ ଅଞ୍ଚଳ ଯୋଗୁ ଫାଇବର କନେକସନ୍ ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହେବାକୁ ଥିବାରୁ କାମ ଆରମ୍ଭ ପାଇଁ ବିଭାଗୀୟ ଅନୁମୋଦନ ମିଳିନଥିବା ଜିଓ କର୍ତ୍ତୃପକ୍ଷ କହିଛନ୍ତି। ସୂଚନାଯୋଗ୍ୟ, ଚନ୍ଦ୍ରପୁର ବ୍ଲକର ୪ ପଞ୍ଚାୟତରେ ଆଦୌ ମୋବାଇଲ୍ ସେବା ନଥିବା ବେଳେ ଅନ୍ୟ ୪ ପଞ୍ଚାୟତ ମଧ୍ୟରୁ କେବଳ ହନୁମନ୍ତପୁରକୁ ଛାଡ଼ିଲେ ଅନ୍ୟ କେଉଁଠି ସେବା ନିତିଦିନ ଉପଲବ୍ଧ ହୋଇପାରୁନି। ହନୁମନ୍ତପୁରରେ ପ୍ରତିଷ୍ଠା ହୋଇଥିବା ଜିଓ ଟାୱାର ଦ୍ବାରା ୩ କିମି ଅଞ୍ଚଳରେ ଲୋକେ ଜିଓ ସେବା ପାଇ ପାରୁଛନ୍ତି। ମାଓ ମୁକାବିଲା ବୈଠକରେ ମାଓ ଅଧ୍ୟୁଷିତ ଇଲାକାରେ ବିଏସଏନ୍ଏଲ୍ ପକ୍ଷରୁ ମୋବାଇଲ୍ ଟାୱାର ପ୍ରତିଷ୍ଠା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶ ରହିଛି। ଅଥଚ ଦୁର୍ଗମ ଚନ୍ଦ୍ରପୁରରେ ସରକାରୀ ନିର୍ଦେଶନାମା ବାଟ ହୁଡ଼ିଛି।
The post ଚନ୍ଦ୍ରପୁରରେ ମୋବାଇଲ୍ ନେଟୱାର୍କ ସମସ୍ୟା, ଜିଓ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କଲା ପ୍ରଶାସନ first appeared on Sambad.from ଜିଲ୍ଲା | Sambad https://ift.tt/3Bjw0oz
0 Comments