
ସୁନ୍ଦରଗଡ଼: ମଦନା ବଢ଼ା୍ଇ। ଘର ଝୁପୁରୁଙ୍ଗାରେ। ଏମସିଏଲ ସିଆରମାଲ ଖୋଲାମୁହଁ ଖଣି ପାଇଁ ତାଙ୍କର ୩ ଏକର ୨୪ ଡିସିମିଲ ଜମି ଅଧିଗ୍ରହଣ ହୋଇଛି। ଏଥିପାଇଁ ତାଙ୍କୁ କ୍ଷତିପୂରଣ ବାବଦକୁ ୯୫.୪୭ ଲକ୍ଷ ଟଙ୍କା ମିଳିବା କଥା। ଟଙ୍କା ପାଇଁ ସେ ଏମସିଏଲ ପାଇଁ ସ୍ବତନ୍ତ୍ର ଭାବେ ନିଯୁକ୍ତ ଏଡିଏମ ଓ ଆରଆଇ ଅଫିସକୁ ଯାଇ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ। କିନ୍ତୁ ୨ ଲକ୍ଷ ଟଙ୍କା ଆଗ୍ରୀମ ନଦେଲେ କାଗଜପତ୍ରରେ ହାତ ମାରିବୁ ନାହିଁ ବୋଲି ଏମସିଏଲରେ ନିଯୁକ୍ତ ଆରଆଇ ତାଙ୍କୁ କହିଥିଲେ। ଏହା ମଧ୍ୟରେ ୬ ମାସ ବିତିଗଲାଣି। ଟଙ୍କା ପାଇଁ ତାଙ୍କ ଫାଇଲ ସେମିତି ଅଫିସରେ ପଡ଼ି ରହିଛି। ତାଙ୍କ ପରି ଗାଁର ଦିଲୀପ ପ୍ରଧାନ ମଧ୍ୟ ସମାନ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ସେ ଜମି ବାବଦ କ୍ଷତିପୂରଣ ଦେଢ଼ କୋଟି ପାଇବାକୁ ରହିଛି। କାଗଜପତ୍ର ଦାଖଲ କରି ସେ ବହୁବାର ଧାଇଁଲେଣି ଆରଆଇଙ୍କ ପାଖକୁ। କିନ୍ତୁ ଦାବି ମୁତାବକ ଲାଞ୍ଚ ଟଙ୍କା ନଦେବା କାରଣରୁ ତାଙ୍କୁ କ୍ଷତିପୂରଣ ଦେବାର ନାଁ ଧରୁ ନାହାନ୍ତି ଆରଆଇ। ସେହିପରି ହଲଦିବାହାଲ ଗାଁର ବିସ୍ଥାପିତ ଅକ୍ରୁର ବାଗ ଜମି ବାବଦରେ ପାଇବାକୁ ଥିଲା ୪୮ ଲକ୍ଷ। କିନ୍ତୁ ଅତି ଚତୁରତାର ସହ ଦଲାଲ ଓ ଅଧିକାରୀମାନେ ସେଥିରୁ ୧୨ ଲକ୍ଷ କାଟି ନେଇ ଯାଇଥିବା ଅକ୍ରୁର ଅଭିଯୋଗ କରିଛନ୍ତି।
ତେବେ ଝୁପୁରୁଙ୍ଗାର ମଦନା ବଢ଼ାଇ, ଦିଲୀପ ପ୍ରଧାନ କି ହଲଦିବାହାଲର ଅକ୍ରୁର ବାଗଙ୍କ ଠାରେ ସୀମିତ ନୁହେଁ, ୨୦୧୨-୧୩ରେ ଏମସିଏଲ ସିଆରମାଲ ଖଣି ପାଇଁ ଝୁପୁରୁଙ୍ଗା, ପତ୍ରାପାଲି, ହଲଦିବାହାଲ, ଫିଟିଙ୍ଗପଡା, ଛିଟକେନଢିପା, ସ୍କୁଲପଡ଼ାର ଜମି ହରାଇଥିବା ପ୍ରାୟ ୩ ଶହ ପରିବାର ଏପରି ଶୋଷଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହା ମଧ୍ୟରେ ଆରଆଇଙ୍କ ଏକ ଲାଞ୍ଚ ଅଡିଓ ଭାଇରାଲ ହୋଇଛି। ସେ ଜଣେ ବିସ୍ଥାପିତଙ୍କ ସହ ଫୋନରେ କଥାବାର୍ତ୍ତା ହେବା ବେଳେ ୨ ଲକ୍ଷ ଟଙ୍କା ଦେଲେ ସବୁ କାମ ଶୀଘ୍ର ହୋଇଯିବ ବୋଲି କହୁଛନ୍ତି।

ଏପରିକି ସେ ଅଫିସ୍ ର ମୁଖ୍ୟ, ସେ ଯାହା ଚାହିବେ ତାହା ହେବ ବୋଲି କହୁଥିବା ଶୁଣିବାକୁ ମିଳିଛି। ଏସିଆର ଦ୍ବିତୀୟ ସର୍ବବୃହତ କୋଇଲା ଖଣିରେ ବିସ୍ଥାପିତଙ୍କ ମିଳୁଥିବା କ୍ଷତିପୂରଣରେ ଏପରି ଲାଞ୍ଚ କାରବାର ଚାଲିଛି। ଖଣି ପାଇଁ ଜମି ଅଧିଗ୍ରହଣ ପରେ ଆବଶ୍ୟକ କାଗଜପତ୍ର ଦେଖି ଜମି ମାଲିକଙ୍କ ବ୍ୟାଙ୍କ ଖାତାକୁ କ୍ଷତିପୂରଣ ରାଶି ସିଧା ପଠାଯିବା କଥା। କିନ୍ତୁ ଦଲାଲ, ଆରଆଇ ଓ ଅଧିକାରୀଙ୍କୁ ଟଙ୍କା ନଦେଲେ କାମ ଆଗେଇ ପାରୁ ନାହିଁ। ଯିଏ ଲାଞ୍ଚ ଦେଉଛି, ତା’ଙ୍କ କ୍ଷତିପୂରଣ ରାଶି ମାତ୍ର ୩ରୁ ୪ ଦିନ ମଧ୍ୟରେ ବ୍ୟାଙ୍କ ଖାତାରେ ଜମା ହୋଇ ଯାଉଥିବା ବେଳେ ଯିଏ ଦେଇପାରୁ ନାହିଁ ତାଙ୍କୁ ବିଭିନ୍ନ ଆଳ ଦେଖାଇ ମାସ ମାସ ଗଡ଼ାଇ ନେଉଥିବା ବିସ୍ଥାପିତମାନେ ଅଭିଯୋଗ କରିଛନ୍ତି। ଦେଶର ବିକାଶ ନାଁରେ ଖଣି ପାଇଁ ଲୋକେ ନିଜ ପୂର୍ବପୁରୁଷ ଭିଟାମାଟି, ଜମି ଟେକି ଦେଇଛନ୍ତି।
ଯୁଗପୁରୁଷର ଜୀବିକାକୁ ବି ହରାଇଛନ୍ତି। ଏହା ମଧ୍ୟରେ ସରକାରୀ ନୀତି ନିୟମ ସତ୍ତ୍ବେ ଭିଟାମାଟି ଓ ଜମିର କ୍ଷତିପୁରଣ ପାଇବାକୁ ନିରୀହ ଅଧିବାସୀ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି। ଆଉ ଏସ୍ଥିତିରେ କ୍ଷତିପୁରଣ ଟଙ୍କାରେ ଦଲାଲ ଓ ଅସାଧୁ ଅଧିକାରୀମାନେ ବିଭିନ୍ନ ଆଳରେ ଭାଗ ବସାଉ ଲୁଟି ନେଉଛନ୍ତି। ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ସମ୍ପୃକ୍ତ ଦଲାଲ ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
The post ଏମସିଏଲ ବିସ୍ଥାପିତଙ୍କ କ୍ଷତିପୂରଣ ରାଶି ଉପରେ ଦଲାଲ, ଅଧିକାରୀଙ୍କ ଆଖି first appeared on Sambad.from ଜିଲ୍ଲା | Sambad https://ift.tt/3jHmO7n
0 Comments