
କଂଟାବାଞ୍ଜ : କଂଟାବାଞ୍ଜି ବସ୍ଷ୍ଟାଣ୍ଡ ନିକଟରୁ ନିଖୋଜ ହୋଇଥିବା ୪ମାସର ଶିଶୁକନ୍ୟାକୁ ଦୁଇଘଣ୍ଟା ପରେ ରେଳ ଷ୍ଟେସନରୁ ଉଦ୍ଧାର କରାଯାଇଛି । ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ବୁଧବାର ସକାଳ ପ୍ରାୟ ୧୦ଟାରେ ଜୟଶ୍ରୀ ପୁଟେଲ ନାମ୍ନୀ ଜଣେ ମହିଳା ବସ୍ ଯୋଗେ ତୁରେକେଲା ପଟୁ କଂଟାବାଞ୍ଜି ଆସୁଥିଲେ। ତାଙ୍କ ସହିତ ଗୋଟିଏ ୪ମାସର ଶିଶୁକନ୍ୟା ଓ ଅନ୍ୟଟି ୩ବର୍ଷର ଶିଶୁ ଥିଲେ। ସେ ବେଲପଡ଼ା ବ୍ଲକ୍ ଡୁଙ୍ଗୁରିପାଲି ଗାଁକୁ ଯିବାର ଥିଲା। ବସ୍ ଭିତରେ ସେ ଅନ୍ୟ ଜଣେ ମହିଳାଙ୍କୁ ତାଙ୍କ ୪ମାସର ଶିଶୁକନ୍ୟାକୁ ଧରେଇ ଦେଇଥିଲେ। କଂଟାବାଞ୍ଜିରେ ଓହ୍ଲାଇବା ସମୟରେ ସେ ଶିଶୁକନ୍ୟାକୁ ଭୁଲି ଯାଇଥିଲେ। ତାଙ୍କ ମାନସିକ ଅବସ୍ଥା ଠିକ୍ ନଥିବାରୁ ଏଭଳି ଘଟିଥିବା ପୁଲିସ ଜାଣି ପାରିଛି। ଅଭିଯୋଗ ପାଇବା ପରେ ଥାନା ଅଧିକାରୀ ସତ୍ୟଜିତ କନ୍ଦଳକେଲଙ୍କ ନେତୃତ୍ବରେ ପୁଲିସ ତନାଘନା ଆରମ୍ଭ କରିଥିଲା। ଦୁଇଘଣ୍ଟା ପରେ କଂଟାବାଞ୍ଜି ରେଳ ଷ୍ଟେସନରେ ଜଣେ ମହିଳା ଉକ୍ତ ଶିଶୁକନ୍ୟାକୁ ଧରି ବସିଥିବା ପୁଲିସ ଜାଣିବାକୁ ପାଇଥିଲା । ସେଠାରୁ ଉକ୍ତ ଶିଶୁକନ୍ୟାକୁ ଉଦ୍ଧାର କରିବା ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଷ୍ଟେସନରେ ଶିଶୁକନ୍ୟାକୁ ଧରିଥିବା ଉକ୍ତ ମହିଳା ପୁଲିସକୁ ଦେଇଥିବା ସୂଚନା ଅନୁସାରେ, ଜୟଶ୍ରୀ ଶିଶୁକନ୍ୟାକୁ ତାଙ୍କୁ ଧରାଇ ଦେଇ ପାଣି ଆଣିବାକୁ ଯାଇଥିଲେ। ତା ପରେ ସେ ଆଉ ନଫେରିବାରୁ ସେ ଶିଶୁକନ୍ୟାଟିକୁ ଧରି ବସିଥିଲେ ବୋଲି କହିଛନ୍ତି। ଶିଶୁକନ୍ୟା ଉଦ୍ଧାର ସମୟରେ ରେଳ ଷ୍ଟେସନରେ ଏସ୍ଡିପିଓ ହୃଷୀକେଶ ମେହେର, ଥାନା ଅଧିକାରୀ ଶ୍ରୀ କନ୍ଦଳକେଲ, ରେଳବାଇ ପୁଲିସ ଅଧିକାରୀ ସୁଦାମ ପଣ୍ଡା, ଏସ୍ଆଇ ପ୍ରଦୀପ ଦୁରିଆ, ଏସ୍ଆଇ ହୀରା ଖାଲକୋ, ରେଡ୍କ୍ରସ୍ ପରାମର୍ଶଦାତା ବିରଂଚି ନାରାୟଣ ଦାସ, ବିବେକ ରାୟ ପ୍ରମୁଖ ଉପସ୍ଥିତ ଥିଲେ।
The post ନିଖୋଜର ୨ଘଣ୍ଟା ପରେ ଉଦ୍ଧାର ହେଲା ଶିଶୁକନ୍ୟା first appeared on Sambad.from ଜିଲ୍ଲା | Sambad https://ift.tt/3FJ1UOM
0 Comments