
ବାରିପଦା: ୨୦୦୯ ମସିହାରେ ଚାନ୍ଦୁଆ ଥାନା ଅନ୍ତର୍ଗତ ବଣ୍ଡାବ ଗ୍ରାମରେ କାର୍ଯ୍ୟରତ ସମୟରେ ମାଓ ଆକ୍ରମଣରେ ସହିଦ ୩ ଜଣ ପୁଲିସ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ସହିଦ ପୁଲିସ କର୍ମଚାରୀ ଚାନ୍ଦୁଆ ଥାନାର ଏଏସଆଇ ନାରାୟଣ ପ୍ରଧାନ, ହାବିଲଦାର ରାଜେନ୍ଦ୍ର ମହାନ୍ତ ଓ କନେଷ୍ଟବଳ ଗହ୍ମା ହେମ୍ବ୍ରମ। ସେହି ଦୁଃଖଦ ଘଟଣାକୁ ମନେ ପକାଇବା ସହ କର୍ତ୍ତବ୍ୟରେ ସହିଦ ହୋଇଥିବା ପୁଲିସ୍ ଭାଇମାନଙ୍କ ଅମ୍ଳାନ ସ୍ମୃତିରେ ଓ ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଓଡିଶା ପୁଲିସ୍ ବାହିନୀ ତଥା ସମସ୍ତ ଜନସାଧାରଣଙ୍କ ତରଫରୁ ୧୩ତମ ଶ୍ରଦ୍ଧାଞ୍ଜଳୀ ଦିବସ କରୋନା କଟକଣା ପାଳନ ପୂର୍ବକ ବାରିପଦା ରିଜର୍ଭ ପୁଲିସ ପଡିଆ ପରିସରରେ ଥିବା ସହିଦମାନଙ୍କ ସ୍ମୃତି ପୀଠରେ ତିନି ସହିଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି।
ଶ୍ରଦ୍ଧାଞ୍ଜଳି ସଭାକୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଜିଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀ ଓ ମୋରଡ଼ା ବିଧାୟକ ରାଜକିଶୋର ଦାସ ଅତିଥି ଭାବେ ଯୋଗ ଦେଇ ସହିଦଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ। ସରକାରଙ୍କ ପକ୍ଷରୁ ସହିଦ ପରିବାରଙ୍କୁ ଦିଆଯାଇଥିବା ପ୍ରତିଶୃତି ପୂରଣ କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ସହିଦଙ୍କ ପରିବାର ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି। ସୂଚନା ମୁତାବକ ୨୦୦୯ ଅକ୍ଟୋବର ୧୩ ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ବଣ୍ଡାବ ଗ୍ରାମର ଫୁଟବଲ ପଡ଼ିଆରେ ଚାଲିଥିଲା ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚର ପୁରଷ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥାନ୍ତି ତତ୍କାଳୀନ ଜେଏମଏମର ରାଜ୍ୟ ସଭାପତି ତଥା ବର୍ତ୍ତମାନ ବିଜେଡି ସରକାରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି।
ସନ୍ଧ୍ୟା ନଇଁ ଆସିଥିଲା। କେହି କିଛି ବୁଝିବା ପୂର୍ବରୁ ଅତର୍କିତ ଭାବେ ୩/ ୪ ମାଓବାଦୀ ଗୁଳି ଚାଳନା ଆରମ୍ଭ କରି ଦେଇଥିଲେ ଏବଂ ଏହି ସମୟରେ ନିଜ ଜୀବନକୁ ବାଜି ଲଗାଇ ସାହସର ସହିତ ମାଓବାଦୀଙ୍କ ଗୁଳିର ସାମନା କରିବାକୁ ଯାଇ ଛାତିରେ ଗୁଳି ଖାଇ ସହିଦ ହୋଇଥିଲେ। ସେହି ସହିଦ ପୁଲିସ କର୍ମଚାରୀଙ୍କ ସ୍ମୃତି ଚାରଣ ପାଇଁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।
The post ବଣ୍ଡାବ ମାଓ ଆକ୍ରମଣରେ ସହିଦ ପୁଲିସ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି first appeared on Sambad.from ଜିଲ୍ଲା | Sambad https://ift.tt/3p0qRPQ
0 Comments