
କୋରାପୁଟ: ପୁଲିସ ଡିଜି ଅଭୟଙ୍କ କୋରାପୁଟ ଗସ୍ତବେଳେ ଆତ୍ମସମର୍ପଣ କରିଛନ୍ତି ଆନ୍ଧ୍ର ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ୨ ହାର୍ଡକୋର ମହିଳା ମାଓବାଦୀ। ସେମାନେ ହେଲେ ଦୁର୍ଦାନ୍ତ ମାଓ ନେତ୍ରୀ ତଥା ଗୁମା ଏରିଆ କମିଟିର ସଦସ୍ୟ ଦେବା ପଡିଆମି ଓରଫ୍ ଗାଙ୍ଗି ଓ ଗୀତା ପଡିଆମି ଓରଫ ରଂଜିତା। ଜଣେ ଏସିଏମ କ୍ୟାଡର ହୋଇଥିବାବେଳେ ଅନ୍ୟ ଜଣକ ମିଲିଟାରୀ ଗୃପର ସଦସ୍ୟ ଥିଲେ। ସେମାନଙ୍କ ମୁଣ୍ଡରେ ୪ ଲକ୍ଷ ଓ ୨ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରହିଥିଲା। ଆଜି ପୁଲିସ ଡିଜି ଅଭୟ, ଆଇଜି ଅପରେସନ ଅମିତାଭ ଠାକୁର, ଗୁଇନ୍ଦା ନିର୍ଦେଶକ ଲଳିତ ଦାଶ, ଆଇଜିଏସଡବ୍ଲୁ ଅନିରୁଦ୍ଧ ସିଂହ ରହିଥିଲେ। ଏହାସହ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲି ରହିଥିଲେ।
ତେବେ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଓ ମାଓବାଦରେ ଅନୈତିକ କାର୍ଯ୍ୟ ବୃଦ୍ଧି ଲାଗି ସଂଗଠନ ଛାଡି ମୁଖ୍ୟସ୍ରୋତକୁ ଫେରିଥିବା ଜଣାପଡିଛି। ଏହି ଅବସରରେ ପୁଲିସ ଡିଜି ଏହି ଦୁଇଜଣଙ୍କୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ତେବେ ମାଲକାନଗିରି ଜିଲ୍ଲା କାଲିମେଳା ଥାନ୍ତା ଅନ୍ତର୍ଗତ କୁରୁବ ଗାଁର ଗାଙ୍ଗି ୨୦୦୫ରେ ମସିହାରେ ମାଓ ସଂଗଠନରେ ସାମିଲ ହୋଇଥିଲେ। କାଲିମେଳା ଦଳରେ ଯୋଗଦେଇଥିଲା ସେ। ସେ ପ୍ରମୁଖ ୭ଟି ହିଂସା କାଣ୍ଡରେ ସମ୍ପୃକ୍ତି ରହିଥିବା ପୁଲିସ ପକ୍ଷରୁ ସୂଚନା ରହିଛି।
୨୦୦୭ରେ ବନ୍ଧୁକ ଚାଲନା ତାଲିମ ନେବା ପରେ ୨୦୦୮ରୁ ମାଛକୁଣ୍ଡ ଓ ଗୁମା ଏରିଆ କମିଟିରେ କାମ କରିଥିଲା। ୨୦୨୦ରେ ଏସିଏମ ପଦବୀକୁ ପଦୋନ୍ନତି ପାଇଥିଲେ। ପ୍ରଥମେ ତାଙ୍କୁ ଡଟ୍ ୩୦୩ ବନ୍ଧୁକ ପ୍ରଦାନ କରାଯାଇଥିବାବେଳେ ପରେ ଇନସାସ୍ ବନ୍ଧୁକ ପ୍ରଦାନ କରାଯାଇଥିଲା। ସେ ୨୦୦୬ରେ ମାଲକାନଗିରି ଜିଲ୍ଲା ଗେମ୍ଫାକୁଣ୍ଡା ଗୁଳି ବିନିମୟ, ୨୦୦୭ ଟେକ୍ଗୁଡା ଗୁଳି ବିନିମୟ, ୨୦୧୧ରେ କାଳିଆଅଟଳ ମୋବାଇଲ ଟାୱାର ବିସ୍ଫୋରଣ, ୨୦୧୫ ସିଙ୍ଗାଭରମ ଗୁଳିକାଣ୍ଡ, ୨୦୧୮ ପାନପଦର ଗୁଳିକାଣ୍ଡ, ୨୦୨୧ ଦଲଦଲି ଗୁଳିକାଣ୍ଡ ଓ ନୁନ୍ଖରି ଗୁଳିକାଣ୍ଡ ସହ ଜଡିତ ରହିଥିଲେ।
ସେହିଭଳି ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ମାନକିର ଗାଁର ଗୀତା ପଡିଆମି ଓରଫ ରଂଜିତା ୨୦୧୮ରେ ମାଓ ସଂଗଠନରେ ସାମିଲ ହୋଇଥିଲେ। ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ ମିଲିଟାରୀ କମିଟିରର ନାଟ୍ୟମଣ୍ଡଳି ସଦସ୍ୟ ଭାବେ ଯୋଗ ଦେଇଥିଲା। ୬ ମାସ ପରେ ତାଙ୍କର ଆନ୍ଧ୍ର ଓଡ଼ିଶା ବର୍ଡର ସପ୍ଲାଇ ଟିମ୍କୁ ବଦଳି ହୋଇଥିଲା। ପୁଣିଥରେ ତାଙ୍କୁ ଏଓବି ମିଲିଟାରୀ ପ୍ଲାଟୁନ୍କୁ ଫେରାଇ ନିଆଯାଇଥିଲା। ଏହାପରେ ତାକୁ ଡଟ୍ ୩୦୩ ବନ୍ଧୁକ ଚାଳନା ଶିକ୍ଷା ଦିଆଯିବା ସହ ସାଧାରଣ ଟ୍ରେନିଂ ଦିଆଯାଇଥିଲା। ୨୦୧୮ରେ ମାଓ ସଙ୍ଗଠନରେ ସାମିଲ ହୋଇ ୨୦୨୧ ଏବେ ଯାଏଁ ବୈପାରିଗୁଡା, ମାଛକୁଣ୍ଡ, ମାଲକାନଗିରିର ସ୍ବାଭିମାନ ଅଂଚଳ ଓ ଆନ୍ଧ୍ରର ପେଦାବାଇଲୁ ଏରିଆ କମିଟିରେ କାମ କରିଥିବା କହିଛନ୍ତି।
ପୁଲିସର ଘନଘନ ଆକ୍ରମଣ, ମାଓ ସଂଗଠନ ଦୁର୍ବଳ ହୋଇପଡିଥିବା ସହ ପୂର୍ବଭଳି ଲୋକ ସମର୍ଥନ ମାଓବାଦୀଙ୍କୁ ମିଳୁ ନଥିବା ଓ ମାଓବାଦୀଙ୍କ ମଧ୍ୟରେ ଖରାପ ଚିନ୍ତାଧାରା ସହ ସରକାରଙ୍କ ବିକାଶ ପ୍ରକିୟାକୁ ଦେଖି ଆତ୍ମସମର୍ପଣ କରିଥିବା କହିଛନ୍ତି ଗୀତା। ସେ ୨୦୧୮ ଟିକରପଡା ଗୁଳିବିନିମୟ, ପାନପଦର ଗୁଳି ବିନିମୟ, ୨୦୨୧ ଦଲଦଲି ଓ ନୁନ୍ଖରି ଗୁଳି ବିନିମୟରେ ସାମିଲ ରହିଥିଲେ। ଉଭୟ ମାଓ ସଙ୍ଗଠନ ଛାଡିବାର କାରଣ ହେଉଛି ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟ, ମାଓଗତିଶୀଳ ଅଞ୍ଚଳରେ ପୁଲିସ ପୋଷ୍ଟ, ବିଏସଏଫ ପ୍ରତିଷ୍ଠା ଓ ଘନଘନ ପଇଁତରା। ଏହାସହ ଆନ୍ଧ୍ର କ୍ୟାଡରଙ୍କର ଖରାପ ବ୍ୟବହାର ଓ ଆଦିବାସୀଙ୍କୁ ନେଇ ଭେଦଭାବ କରି ବିଶୃଙ୍ଖଳା ସୃଷ୍ଟି କରିବା। ଦୀର୍ଘଦିନ ଧରି ମାଓ ସଂଗଠନରେ କାମ କରୁଥିଲେ ମଧ୍ୟ ସେମାନଙ୍କୁ ପଦୋନ୍ନତି ମିଳୁ ନଥିଲା। ଗୁଳି ବିନିମୟ ବେଳେ ଏହି ମାନଙ୍କୁ ପାଦରେ ରଖି ମୁଖ୍ୟନେତା ଖସି ଯାଉଥିଲେ। ସେମାନଙ୍କ କାର୍ଯ୍ୟ ଶେଷ ହେଲା ପରେ ପରସ୍ପର ମଧ୍ୟରେ ଲଢେଇ କରାଉଥିଲେ। ଏହାପରେ ପୁଲିସ ଇନର୍ଫମର ସଜାଇ ନିର୍ମମ୍ମ ଭାବେ ହତ୍ୟା କରୁଥିଲେ ବୋଲି ସେମାନେ କହିଛନ୍ତି। ଏନେଇ ଡିଜି ଅଭୟ କହିଛନ୍ତି ଯେ, ମାଓ ସଂଗଠନ ଛାଡି ଯେଉଁ ମାନେ ଆସିବାକୁ ଚାହୁଁଛନ୍ତି ଆସନ୍ତୁ ଆମେ ସେମାନଙ୍କୁ ପାଛୋଟି ନେବୁ। ଓଡ଼ିଶାର ବିକାଶକୁ ତ୍ବରାନ୍ବିତ କରିବାକୁ ସହଯୋଗର ହାତ ବଢାନ୍ତୁ। ସରକାରଙ୍କ ପକ୍ଷରୁ ଥଇଥାନ ବ୍ୟବସ୍ଥାରେ ସବୁ ସହଯୋଗ କରାଯିବ ବୋଲି ସେ କହିଛନ୍ତି।
The post ଡିଜିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ଗାଙ୍ଗି ଓ ଗୀତା first appeared on Sambad.from ଜିଲ୍ଲା | Sambad https://ift.tt/3uyLenS
0 Comments