ଥୁଆମୂଳ ରାମପୁର : ସୋମବାର ଥୁଆମୂଳ ରାମପୁର ସିଏଚ୍‌ସିରେ ସେବା ଯୋଗାଉଥିବା ଏକ ଆମ୍ବୁଲାନ୍ସର ଚକା ଚଳନ୍ତା ଅବସ୍ଥାରେ ଫାଟି ଯାଇଥିଲା। ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୌଭାଗ୍ୟକୁ ସେଥିରେ ଥିବା ରୋଗୀ ଓ କର୍ମଚାରୀଙ୍କ କୌଣସି କ୍ଷତି ହୋଇନାହିଁ। ସୂଚନାନୁସାରେ, ସିଏଚ୍‌ସିରୁ ସ୍ଥାନୀୟ ନେହେଲା ଗ୍ରାମର ୧୨ ବର୍ଷୀୟା କୁନ୍ତଳା ନାଏକ ନାମକ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ କରାଯାଉଥିଲା। କଲମପୁର-ଜୁନାଗଡ଼ ମୁଖ୍ୟ ରାସ୍ତାର କଦଳୀଚୁଆଁ ଛକ ନିକଟରେ ଆମ୍ବୁଲାନ୍ସର ଆଗ ଚକ ଫାଟି ଯାଇଥିଲା। ପରବର୍ତ୍ତୀ ସମୟରେ ରୋଗୀଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ସୂଚନାଥାଉ କି, ଏହି ସିଏଚ୍‌ସିର ଆମ୍ବୁଲାନ୍ସ ଅଚଳ ହେବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ୪ଥର ଚକା ପଞ୍ଚର୍‌ ହୋଇଥିବା ଖବର ସାମ୍‌ନାକୁ ଆସିଥିଲା। ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଆମ୍ବୁଲାନ୍ସ ପରିଚାଳନା ଦାୟିତ୍ବରେ ଥିବା ସଂସ୍ଥା କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି। ଆମ୍ବୁଲାନ୍ସର ୪ଟି ଚକ ଅତ୍ୟନ୍ତ ଦୁର୍ବଳ ହୋଇଯାଇଛି। ଏହାସତ୍ତ୍ବେ ପାହାଡ଼ିଆ ଅଞ୍ଚଳରେ ରୋଗୀ ପରିବହନ ପାଇଁ କିଭଳି ଅନୁମତି ଦିଆଯାଉଛି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସପ୍ତାହକ ମଧ୍ୟରେ ୪ରୁ ଅଧିକ ଥର ଆମ୍ବୁଲାନ୍ସ ଅଚଳ ହେବା ସତ୍ତ୍ବେ କୌଣସି ପଦକ୍ଷେପ ନିଆଯାଉନଥିବାରୁ ସଚେତନ ନାଗରିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

The post ଚଳନ୍ତା ଆମ୍ବୁଲାନ୍ସର ଚକ ଫାଟିଲା, ରୋଗୀ ଓ କର୍ମଚାରୀ ସୁରକ୍ଷିତ first appeared on Sambad.

from ଜିଲ୍ଲା | Sambad https://ift.tt/3iS5Pij