ସମ୍ବଲପୁର : କ୍ଷେତରାଜପୁର ଥାନା ଅଧୀନ କ୍ଷେତରାଜପୁର ବାଳିକା ବିଦ୍ୟାଳୟଠାରେ ଚାଲିଥିଲା ଜୁଆ ଖେଳ। ଏ ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କ୍ଷେତରାଜପୁର ପୁଲିସ ଜୁଆ ଆଡ଼ାରେ ଚଢ଼ଉ କରିଥିଲା। ଚଡ଼ଉରେ ପୁଲିସ ମୋଟ ଉପରେ ୯ ଜଣଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ଦିନରୁ କ୍ଷେତରାଜପୁର ଥାନା ଅଧୀନ ଅଞ୍ଚଳରେ ବେଧଡ଼କ ଭାବେ ଜୁଆଖେଳ ଚାଲିତିଲା। ଏ ନେଇ ବାରମ୍ବାର ଅଭିଯୋଗ ଆସିବା ପରେ କ୍ଷେତରାଜପୁର ପୁଲିସ ଜୁଆ ଆଡ଼ାରେ ଚଢ଼ଉ କରିବା ପାଇଁ ଯୋଜନା ପ୍ରସ୍ତୁତ କରି ରଖିଥିଲା। କ୍ଷେତରାଜପୁର ବାଳିକା ବିଦ୍ୟାଳୟଠାରେ ଜୁଆ ଖେଳ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପୁଲିସ ରବିବାର ସନ୍ଧ୍ୟା ୭ଟା ୩୦ରେ ଚଢ଼ଉ କରିଥିଲା। ୯ ଜଣଙ୍କୁ ଗିରଫ କରିବା ସହ ପୁଲିସ ସେମାନଙ୍କ ପାଖରୁ ୫ଟି ମୋବାଇଲ୍‌ ଫୋନ୍‌, ୫୨ଟି ପ୍ଲେଇଂ କାର୍ଡ ଏବଂ ନଗଦ ୮୦,୫୮୦ ଟଙ୍କା ଜବତ କରିଥିଲା।

ଗିରଫ ହୋଇଥିବା ଅଭିଯୋଗମାନେ ହେଲେ ବଡ଼ବଜାରର ଅମିତ ମେହେର(୪୫), କ୍ଷେତରାଜପୁର ମହାବୀର ଲେନ୍‌ର ସୁଭାଷ ଅଗ୍ରଵାଲ୍‌(୫୧), ପ୍ରତାପ ସିଂହ(୨୮), କାହ୍ନୁ ଖେର୍‌ଵାଲ୍‌(୨୮) ଓ ରାଜେନ୍ଦ୍ର ସିଂହ(୫୫), ତିଵାରିଗଳିର ବିଜୟ ସିଂ(୫୭), ନୂଆପଡ଼ାର ସନ୍ତୋଷ କୁମାର ଅଗ୍ରଵାଲ୍‌(୫୨), ରାମଲାଲ୍‌ ରାଇସ୍‌ ମିଲ୍‌ ପାଖ ଅଞ୍ଚଳର ମିଥିଳେଶ ସିଂ(୩୮) ଏବଂ ହସ୍ପିଟାଲ୍‌ ଲେନ୍‌ର ମହାବୀର ଅଗ୍ରଵାଲ୍‌(୫୪)। ସୋମବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କ୍ଷେତରାଜପୁର ପୁଲିସ ପକ୍ଷରୁ କହାଯାଇଛି।

The post ଜୁଆ ଆଡ଼ା ଉପରେ ଚଢ଼ଉ, ୯ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3FRItmZ