ବାରିପଦା: ଘରକୁ ଫେରିବ ମୋ କାହ୍ନା। ଗତ ବର୍ଷ କରୋନା ଆରମ୍ଭରୁ ଘରୁ କେଉଁଆଡ଼େ ଚାଲିଯାଇଥିବା ନିଜର ଏକମାତ୍ର ପୁଅକୁ ଫେରିପାଇବା ନେଇ ଆଖିରୁ ଝରିପଡ଼ୁଛି ଆନନ୍ଦାଶ୍ରୁ। କରୋନାର ଦୁଇ ଦୁଇଟି ଭୟଙ୍କର ପ୍ରକୋପ ପରେ ନିଜ ପୁଅକୁ ପୁଣିଥରେ ଫେରିପାଇବେ, ସେ ବିଶ୍ବାସ ମଧ୍ୟ ନଥିଲା। ମାତ୍ର ବିଧିର ବିଧାନ ବଡ଼ ବିଚିତ୍ର। ମାନସିକଭାବେ ଅନଗ୍ରସର ପୁଅ ଏବେ ସମ୍ପୂର୍ଣ୍ଣ ସୁସ୍ଥ। କଥାରେ ଅଛି ଯାହାକୁ ରଖିବେ ଅନନ୍ତ କେ କରିପାରେ ବଳବନ୍ତ। ଏହି ଉକ୍ତି ସତ୍ୟ ପ୍ରମାଣିତ ହୋଇଛି ବାରିପଦା ଶୂନଗଡ଼ିଆ ଅଞ୍ଚଳର ମାନସିକ ଅନଗ୍ରସର ଯୁବକ କାହ୍ନା ମୁଖୀଙ୍କ କ୍ଷେତ୍ରରେ।

କରୋନା ଆରମ୍ଭରୁ କେଉଁଆଡ଼େ ଚାଲିଯାଇଥିବା କାହ୍ନା ପୁଣିଥରେ ଘରକୁ ଫେରିବା ଆଶା ଉଜ୍ଜ୍ବଳ ହୋଇଛି। ମାନସିକ ବିକାରଗ୍ରସ୍ତଙ୍କୁ ସୁସ୍ଥ କରିବା ପାଇଁ କାମ କରୁଥିବା ତାମିଲନାଡୁ ରାଜ୍ୟର ପେରମବାଲୁର ସହରର ଏରାଇୟା ସମୁଦ୍ରମ ଅଞ୍ଚଳରେ ଥିବା ଭେଲା କରୁଣାଇଲ୍ଲମ୍ରେ ଏବେ ଅଛନ୍ତି ବାରିପଦା ଶୂନଗଡ଼ିଆ ଅଞ୍ଚଳର କାହ୍ନା ମୁଖୀ(୩୧)। ନିଶାମଣୀ ଏବଂ ସୁଶୀଲ ମୁଖୀଙ୍କ ଏକମାତ୍ର ପୁଅ କାହ୍ନାଙ୍କ ନିକଟରେ ପ୍ରାୟ ୨୦୧୩ ମସିହା ଶେଷବେଳକୁ ପାଗଳାମୀର ଲକ୍ଷଣ ଦେଖାଯାଇଥିଲା। ବିଭିନ୍ନ କାରଣରୁ ବିଷାଦଗ୍ରସ୍ତ ରହିବା ସହିତ ନିଜକୁ ସବୁବେଳେ ଏକୁଟିଆ ରଖୁଥିଲେ। ଏପରିକି ବେଳେ ବେଳେ କେଉଁଆଡ଼କୁ ଚାଲି ମଧ୍ୟ ଯାଉଥିଲେ। ପୁଣି କିଛି ଦିନ ପରେ ଘରକୁ ଫେରିଆସନ୍ତି କାହ୍ନା। ଇତିମଧ୍ୟରେ କାହ୍ନାଙ୍କ ମା’ ନିଶାମଣୀଙ୍କ ଦେହାନ୍ତ ହୋଇଯାଇଥିଲା। ଆଉ ପରିବାର ଗୁଜୁରାଣ ମେଣ୍ଟାଇବାକୁ ସ୍ଥାନୀୟ ପିଆରଏମ୍ ହସ୍ପିଟାଲରେ ସୁଇପର୍ ଭାବେ କାର୍ଯ୍ୟ କରୁଥିବା ତାଙ୍କ ବାପା ଆର୍ଥିକ ଅନଟନ କାରଣରୁ କାହ୍ନାଙ୍କ ଉନ୍ନତ ଚିକିତ୍ସା କରିବାରେ ଅକ୍ଷମ ହୋଇଥିଲେ। ତେବେ ୨୦୨୦ ମାର୍ଚ୍ଚ ମାସରେ ଘରୁ କେଉଁଆଡ଼େ ଚାଲିଯାଇଥିଲେ କାହ୍ନା।

କିଛିଦିନ ପରେ ଘରକୁ ଫେରିଆସିବ ବୋଲି ଭାବିଥିଲେ ପିତା ସୁଶୀଲ ଏବଂ ଭଉଣୀ ଦିପାଞ୍ଜଳୀ। ମାତ୍ର ଢେରଦିନ ପର୍ଯ୍ୟନ୍ତ ନଫେରିବାରୁ ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି ମଧ୍ୟ କରିଥିଲେ। ମାତ୍ର କୌଣସି ଫଳ ମିଳିନଥିଲା। ମାର୍ଚ୍ଚ ୨୦୨୦ ଶେଷବେଳକୁ ଆରମ୍ଭ ହୋଇଥିବା କରୋନାର ଭୟାବହ ରୂପ ଏବଂ ତତ୍ଜନିତ ଲକଡାଉନ ସଟ୍ଡାଉନ କାରଣରୁ କାହ୍ନାକୁ ଖୋଜିବା ସମ୍ଭବପର ହେଲାନାହିଁବୋଲି ତାଙ୍କ ଭଉଣୀ ଦିପାଞ୍ଜଳୀ ପ୍ରକାଶ କରିଛନ୍ତି। ତଥାପି ତାଙ୍କ ଭାଇ ଯେଉଁଠି ବି ଅଛି ଭଲରେ ଥାଉ ବୋଲି ସବୁବେଳେ ପ୍ରାର୍ଥନା କରୁଥିଲେ ବୋଲି ସେ କହିଛନ୍ତି। ତେବେ ନିଜ ପୁଅକୁ ପୁଣିଥରେ ଫେରିପାଇବେ ବୋଲି ଆଶା କରିନଥିଲେ ପିତା ସୁଶୀଲ। କରୋନାର କରାଳ ରୂପରେ ଯେପରି ସବୁଠି ଭୟଙ୍କର ବାତାବରଣ ଥିଲା ସେମଧ୍ୟରେ କାହ୍ନା ଚାଲିଚାଲି ତାମିଲନାଡୁର ପେରମବାଲୁର୍ ସହରରେ ପହଞ୍ଚିଯାଇଥିବା ଭେଲା କରୁଣାଇଲ୍ଲମ ସଂସ୍ଥାର ପରିଚାଳିକା ଅନିତା ଅରୁଣ କୁମାରଙ୍କ ପକ୍ଷରୁ ପ୍ରକାଶ।

ପ୍ରାୟ ଦଶମାସ ତଳେ କାହ୍ନାଙ୍କୁ ପାଗଳାମୀ ଅବସ୍ଥାରେ ରାସ୍ତାରେ ବୁଲୁଥିବା ବେଳେ ତାଙ୍କ ସଂସ୍ଥା ଉଦ୍ଧାର କରିଥିଲା ବୋଲି ଅନିତା ସୂଚନା ଦେଇଛନ୍ତି। ଉଦ୍ଧାର ବେଳେ କାହ୍ନା ନିଜ ନାମ କିମ୍ବା ପରିଚୟ କିଛି ମଧ୍ୟ କହିପାରୁନଥିଲେ। ତେଣୁ ସେଠାରେ ତାଙ୍କୁ ସମସ୍ତେ କରୋଚ୍ ଭାବେ ସମ୍ବୋଧନ କରୁଥିଲେ। ମାତ୍ର ଉତ୍ତମ ଚିକିତ୍ସା ଏବଂ ନିୟମିତ ଔଷଧ ସେବନ ପରେ ସେ ସୁସ୍ଥ ହେବା ସହିତ ନିଜ ନାମ ଏବଂ ଘର ଠିକଣା କହିଥିଲେ। ଏପରିକି ନିଜ ଘରକୁ ଫେରି ପରିବାରକୁ ଦେଖିବାକୁ ଅନୁରୋଧ କରିଥିଲେ। ତାଙ୍କଠାରୁ ବାରିପଦା ଠିକଣା ନେଇ ସଂସ୍ଥା ପକ୍ଷରୁ ପରିବାରକୁ ଯୋଗାଯୋଗ କରାଯାଇଥିବା ଅନୀଥା ପ୍ରକାଶ କରିଛନ୍ତି।

ତାମିଲନାଡୁର ଉକ୍ତ ସଂସ୍ଥା ପକ୍ଷରୁ କାହ୍ନାଙ୍କ ପରିବାରକୁ ୩୦ ଅଗଷ୍ଟରୁ ଚିଠି କରାଯାଇଥିଲା। ଗତ ସପ୍ତାହରେ ହିଁ ଉକ୍ତ ଚିଠି ବାରିପଦାସ୍ଥିତ ତାଙ୍କ ଘରେ ମିଳିଥିବା କାହ୍ନାଙ୍କ ଭଉଣୀ ଦିପାଞ୍ଜଳୀ ସୂଚନା ଦେଇଛନ୍ତି। ଭେଲା କରୁଣାଇଲ୍ଲମ ପକ୍ଷରୁ ଦିଆଯାଇଥିବା ଟେଲିଫୋନ୍ ନମ୍ବରରେ ତାଙ୍କ ଭାଇଙ୍କ ସହିତ କଥା ହେବା ସହିତ ଭିଡିଓ କଲ୍ରେ ଦେଖି ଚିହ୍ନଟ ମଧ୍ୟ କରିଛନ୍ତି। ତାଙ୍କ ଭାଇକୁ ପୁଣିଥରେ ଫେରିପାଇବା ନେଇ ସେ ବେଶ୍ ଖୁସି ଜାହିର କରିଛନ୍ତି। ମାତ୍ର ଘରର ଆର୍ଥିକ ଅବସ୍ଥା ସେତେ ଭଲ ନଥିବାରୁ ତାମିଲନାଡୁର ପେରାମବାଲୁର୍ ସହରକୁ ଯାଇ ଭାଇକୁ ଆଣିବା ବେଶ୍ କଷ୍ଟସାଧ୍ୟ ବୋଲି ଦିପାଞ୍ଜଳୀ କୋହଭରା କଣ୍ଠରେ କହିଛନ୍ତି। ତେବେ ନିଜ ପୁଅକୁ ଫେରାଇଆଣିବାକୁ ଆକୁଳ ନିବେଦନ କରିଛନ୍ତି ଅସହାୟ ପିତା ସୁଶୀଲ। ତାମିଲନାଡୁର ଉକ୍ତ ସଂସ୍ଥା ଉପଯୁକ୍ତ ପରିଚୟ ପ୍ରମାଣପତ୍ର ଦେଇ କାହ୍ନାଙ୍କୁ ଘରକୁ ନେଇଯିବାକୁ ତାଙ୍କ ପରିବାରକୁ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମାନସିକଦୁର୍ବଳ କାହ୍ନା ଏବେ ସୁସ୍ଥ ହୋଇଯାଇଛନ୍ତି।

The post ପରିବାର ପାଖକୁ ଫେରୁଛନ୍ତି କାହ୍ନା, କରୋନା ଆରମ୍ଭରୁ ଚାଲିଯାଇଥିଲେ ଘରୁ first appeared on Sambad.

from ଜିଲ୍ଲା | Sambad https://ift.tt/3lLqkPn