
ବାରିପଦା: ମୟୂରଭଞ୍ଜରେ ପ୍ରତିଷ୍ଠା ହେବ ଅଧିକ ବାତ୍ୟା ଆଶ୍ରୟସ୍ଥଳ, ଯାହାଫଳରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଏହା ଉଦ୍ଧାର କାର୍ଯ୍ୟରେ ସହାୟକ ହେବ। ପ୍ରାକୃତିକ ବିପର୍ୟ୍ୟୟରେ ପ୍ରଭାବିତ ହେଉଥିବା ଅଞ୍ଚଳଗୁଡ଼ିକରେ ଅଧିକ ବହୁମୁଖି ବନ୍ୟାବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିବା ନିମନ୍ତେ ପ୍ରସ୍ତାବ ତାଲିକା ରାଜସ୍ୱ ବିଭାଗକୁ ପଠାଇବାକୁ ଜିଲ୍ଲା ପ୍ରସାଶନକୁ ପରାମର୍ଶ ଦେଇଥିଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି।
ଆଜି ଦିନିକିଆ ମୟୂରଭଞ୍ଜ ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ବର୍ଷାଜନିତ କ୍ଷୟକ୍ଷତି ଆକଳନ ସମୀକ୍ଷା ବେଳେ ଏହି ସୂଚନା ଦେଇଛନ୍ତି। ଗତ ସେପ୍ଟେମ୍ବର ମାସ ୨୦ ରୁ ୨୩ ତାରିଖ ମଧ୍ୟରେ ଜିଲ୍ଲାର ଶୁଳିଆପଦା, ମୋରଡା ଓ ରାସଗୋବିନ୍ଦପୁର ବ୍ଲକ ଅଂଚଳରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଜନିତ କ୍ଷୟକ୍ଷତିର ଆକଳନ ସମୀକ୍ଷା କରିଥିଲେ ମନ୍ତ୍ରୀ। ଜିଲ୍ଲାପାଳଙ୍କ କାର୍ୟ୍ୟାଳୟସ୍ଥିତ ଓସ୍ୱାନ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ବୈଠକରେ ରାଜସ୍ୱ ମନ୍ତ୍ରୀ ଅଧ୍ୟକ୍ଷତା କରି ବିଭିନ୍ନ ବିଭାଗ ଅଧିନରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଜିଲ୍ଲାପାଳ ବିନୀତ ଭରଦ୍ୱାଜ କ୍ଷୟକ୍ଷତି ଓ ପୁନରୁଦ୍ଧାର ସମ୍ପର୍କରେ ସୂଚନା ଦେଇଥିଲେ। ଗ୍ରାମୀଣ ଆବାସ ଯୋଜନାରୁ ବାଦ ପଡିଯାଇଥିବା ପ୍ରକୃତ ହିତାଧିକାରୀଙ୍କ ସ୍ୱତନ୍ତ୍ର ତାଲିକା ପଂଚାୟତିରାଜ୍ ବିଭାଗ ନିକଟକୁ ପଠାଇବାକୁ ପରାମର୍ଶ ଦେଇଥିଲେ । ଅନ୍ୟାନ୍ୟ ପ୍ରସଙ୍ଗ କ୍ରମରେ ଜିଲ୍ଲାର ସୀମାନ୍ତ ଅଂଚଳ ଗ୍ରାମ ମାନଙ୍କରେ ପାନୀୟଜଳ, ଶିକ୍ଷା ସ୍ୱାସ୍ଥ୍ୟ, ଗମାନାଗମନ ରାସ୍ତାଘାଟ ସଂଯୋଗୀକରଣ ଏବଂ ଅତ୍ୟାବଶ୍ୟକ ସୁବିଧା ଯୋଗାଇ ଦେବା ଦିଗରେ ତୀକ୍ଷଣ ଦୃଷ୍ଟି ଦେଇ ଯୋଜନା କାର୍ଯ୍ୟକ୍ରମ ତ୍ବରାନ୍ବିତ କରିବାକୁ କହିଥିଲେ।

ଏହି ଅବସରରେ ସରକାରଙ୍କ ରିଲିଫ୍ କୋର୍ଡ ଅନୁସାରେ ବିଭିନ୍ନ ସମୟରେ ବନ୍ୟା ବାତ୍ୟା ପ୍ରାକୃତିକ ବିପର୍ୟ୍ୟୟ / ଦୈବୀ ଦୁର୍ବିପାକ ଜନିତ ମୃତ୍ୟୁବରଣ କରିଥିବା ପରିବାରର ୨୮ ଜଣ ହିତାଧିକାରୀଙ୍କ ପାଇଁ ରାଜ୍ୟସରକାରଙ୍କ ଏସ୍ଆର୍ସି ଦ୍ୱାରା ମଞ୍ଜୁର ପ୍ରାପ୍ତ ପ୍ରତ୍ୟେକ ୪ଲକ୍ଷ ଟଙ୍କା ହିସାବରେ ମୋଟ ୧ କୋଟି ୧୨ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବା ନେଇ ସମୀକ୍ଷା ବୈଠକରେ ଉପସ୍ଥିତ ଥିବା ୧୩ ଜଣଙ୍କୁ ଅନୁକମ୍ପା ରାଶି ପ୍ରଦାନ କରିଥିଲେ । ଏହି ବୈଠକରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡା ବିଧାୟକ ରାଜକିଶୋର ଦାସ, କରଂଜିଆ ବିଧାୟିକା ବାସନ୍ତି ହେମ୍ବ୍ରମ୍, ଆରକ୍ଷୀ ଅଧିକ୍ଷକ ଆର.ଡି. ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରକାଶ ଚନ୍ଦ୍ର ବେହେରା ଓ ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରୁଦ୍ର ନାରାୟଣ ମହାନ୍ତି, ପିଡି ଡିଆରଡିଏ. ପି ଅନ୍ୱେଶା ରେଡ୍ଡି, ଉପ-ଜିଲ୍ଲାପାଳ ତଥା ପୌରନିର୍ବାହୀ ଅଧିକାରୀ ବାରିପଦା ଅନ୍ୟା ଦାସ, ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି, ଶୁଳିଆପଦା, ମୋରଡା ଓ ରାସଗୋବିନ୍ଦପୁର ବ୍ଲକର ସଂପୃକ୍ତ ବି.ଡି.ଓ., ତହସିଲଦାର, ଏବଂ ବିଭିନ୍ନ ଲାଇନ ବିଭାଗ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ଆଲୋଚନାରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।
The post ରାଜସ୍ୱ ମନ୍ତ୍ରୀଙ୍କ ବର୍ଷାଜନିତ କ୍ଷୟକ୍ଷତି ଆକଳନ ସମୀକ୍ଷା, ଜିଲ୍ଲାରେ ପ୍ରତିଷ୍ଠା ହେବ ଅଧିକ ବାତ୍ୟା ଆଶ୍ରୟସ୍ଥଳ first appeared on Sambad.
from ଜିଲ୍ଲା | Sambad https://ift.tt/3l3AWZS
0 Comments