
ଭଞ୍ଜନଗର: ତୃଣମୂଳ ସ୍ତରରୁ ବିକାଶ ଲାଗି ସରକାର କରୁଛନ୍ତି ଅନେକ ଯୋଜନା। ଆଉ ଏଥି ନିମନ୍ତେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ପ୍ରତ୍ୟେକ ଗ୍ରାମକୁ ସମସ୍ତ ପ୍ରକାରର ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବାର ଗୋଲାପୀ ଚିତ୍ର ଦେଖାଉଛନ୍ତି ସରକାର। ସାଧାରଣ ଗରୀବ ଅସହାୟ ଓ ଉପାନ୍ତ ଇଲାକାରେ ରହୁଥିବା ଲୋକଙ୍କ ବିକାଶର କଥା କହି ରାଜନୀତି କରୁଛନ୍ତି ସବୁ ରାଜନୈତିକ ଦଳ। କିନ୍ତୁ ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ ଅନେକ ଗାଁ ରହିଛି ଯେଉଁଠି ବିକାଶ ପାଲଟିଛି ସାତ ସପନ। ବିଦ୍ୟୁତ ସଂଯୋଗ ରହି ମଧ୍ୟ ଡିବିରି ଆଲୁଅ ଭରସାରେ ଦିନ ବିତାଉଛନ୍ତି ଗ୍ରାମବାସୀ। ସାତବର୍ଷ ହେଲା ବିଦ୍ୟୁତ ବିଛିନ୍ନ ହୋଇ ପଡିଛି। ହେଲେ ମରାମତି ହୋଇପାରୁ ନଥିବାରୁ ଆଜି କିରୋସିନ୍ ବତୀରେ କଟୁଛି ଜୀବନ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବ୍ରାହ୍ମଣପଦର ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଲିଙ୍କିଆ ଗ୍ରାମରେ କାହିଁ କେତେ ବର୍ଷରୁ ରହି ଆସୁଥିବା ୨୦ ଆଦିବାସୀ ପରିବାର ବର୍ତ୍ତମାନ ଅଙ୍କାବଙ୍କା ବିକାଶରେ ଜୀବନ କାଟୁଛନ୍ତି। ସରକାରଙ୍କ ମାଳମାଳ ଯୋଜନା ଯେପରି ଏହି ଗ୍ରାମବାସୀଙ୍କୁ ପରିହାସ କଲା ପରି ମନେ ହେଉଛି। ଦୀର୍ଘ ଦିନର ଦାବି ପରେ ଏହି ଗ୍ରାମକୁ ବିଜୁଳି ସଂଯୋଗ ହୋଇଥିଲା। କିନ୍ତୁ ଫାଇଲିନ ବାତ୍ୟାରେ ବିଜୁଳି ଖୁଣ୍ଟ ଭାଙ୍ଗି ଯିବା ପରଠୁ ୭ବର୍ଷ ହେବ ବିଜୁଳି ସେବା ଠପ୍ ହୋଇଯାଇଛି। ଆଉ ସଂନ୍ଧ୍ୟା ହେଲେ ଡିବିରି ଆଲୁଅ ଭରସାରେ ଗ୍ରାମବାସୀ। ଜଙ୍ଗଲ ମଧ୍ୟରେ ରହୁଥିବାରୁ ବର୍ଷର ସାରା ଜଙ୍ଗଲୀ ଜନ୍ତୁଙ୍କ ଭୟ ରହୁଛି। ଗ୍ରାମ ନିକଟରେ ହାତୀ ଶଦ୍ଦ ଶୁଭୁଛି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ସବୁ କିଛି ଏଠି ଅପହଞ୍ଚ କହିଲେ ଅତ୍ୟୁକ୍ତି ହେବ ନାହିଁ। ପିଲାଙ୍କ ଭବିଷ୍ୟତ ଗଢିବା ପାଇଁ ନିକଟରେ କୌଣସି ଅଙ୍ଗନବାଡ଼ି କେନ୍ଦ୍ର କିମ୍ବା ବିଦ୍ୟାଳୟଟିଏ ମଧ୍ୟ ନାହିଁ। ଫଳରେ ପିଲାଙ୍କ ଭବିଷ୍ୟତ ଦୀପ ଆଲୁଅର ମିଞ୍ଜି ମିଞ୍ଜି ମଧ୍ୟରେ ମଳିନ ପଡିବାରେ ଲାଗିଛି।
ଗ୍ରାମକୁ ଯିବା ପାଇଁ ଭଲ ରାସ୍ତା ଟିଏ ନାହିଁ। ଦୀର୍ଘବର୍ଷ ହେଲା ଜଙ୍ଗଲ ମଧ୍ୟରେ ଅଣଓସାରିଆ ପଥୁରିଆ ପାଦଚଲା ରାସ୍ତାକୁ ବ୍ୟବହାର କରିଆସୁଛନ୍ତି। ଗ୍ରାମ ଠାରୁ ୧୫ କିମି ଦୂର ପଞ୍ଚାୟତ କାର୍ଯ୍ୟାଳୟ ଯାଇ ସେଠାରୁ ରାସନ ସାମଗ୍ରୀ ପ୍ରତିଥର ଆଣୁଥିବା ଗ୍ରାମର ହାଡୁ ମଲ୍କିକ ପ୍ରକାଶ କରିଛନ୍ତି। ଫାଇଲିନ ବାତ୍ୟାରେ ବିଦ୍ୟୁତ ତାର ଛିଡି ଯାଇଥିଲା ବାରମ୍ବାର ଅଭିଯୋଗ ପରେ ବିଭାଗ ପକ୍ଷରୁ ବିଦ୍ୟୁତ ସଜଡା ଗଲା କିନ୍ତୁ କିଛି ମାସ ପରେ ପୁଣି ଖରାପ ହୋଇଗଲା ତାପରେ କେହି ମଧ୍ୟ ଶୁଣୁ ନଥିବା ବିଭାଗୀୟ କର୍ତ୍ତୃପକ୍ଷ ସମସ୍ୟା ସମାଧାନ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ନିର୍ବାଚନ ସମୟରେ ରାଜନୈତକ ନେତା ମାନେ ଭୋଟ ପାଇଁ ଆସୁଥିବା ବେଳେ ନିର୍ବାଚନ ସରିଲେ ଗ୍ରାମର ବିକାଶର କଥାକୁ ଭୁଲି ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏସଂର୍ପକରେ ବିଡ଼ିଓ ଅନୀଲ କୁମାର ସେଠୀ କହିଛନ୍ତି ଗ୍ରାମର ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ହୋଇଛି। ତୁରନ୍ତ ଗ୍ରାମରେ ଖରାପ ହୋଇ ରହିଥିବା ବିଦ୍ୟୁତ ସେବା ସଜଡା ଯାଇ ବିଦ୍ୟୁତ୍ ସେବା ପହଞ୍ଚାଇବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। ଏଥିସହିତ ଉକ୍ତ ଗ୍ରାମର ରାସ୍ତାଟି ବନବିଭାଗ ଅଧୀନରେ ଆସୁଥିବାରୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଗ୍ରାମକୁ ସୁଗମ ରାସ୍ତା କରାଯାଇ ଗ୍ରାମର ସମସ୍ୟା ଦୂର ପାଇଁ ପଦକ୍ଷେପ ଗ୍ରହଣ କରାଯିବ।
The post ଅଙ୍କାବଙ୍କା ବିକାଶରେ ବାଲିଙ୍କିଆ, ଫାଇଲିନ ଠାରୁ ଠପ୍ ହୋଇଛି ବିଦ୍ୟୁତ୍ ସେବା first appeared on Sambad.from ଜିଲ୍ଲା | Sambad https://ift.tt/300fWuM
0 Comments