ନିରାକାରପୁର : ନିରାକାରପୁର, ଲେଣ୍ଡୋ, ରାମେଶ୍ବର, ଡିଆ, ବଡ଼ପୋଖରିଆ ଆଦି ପଞ୍ଚାୟତକୁ ନେଇ ନିରାକାରପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଗଠିତ। ଦୀର୍ଘ ବର୍ଷଧରି ଏହି କାର୍ଯାଳୟଟି ଅବ୍ୟବସ୍ଥା ଭିତରେ ଗତି କରୁଛି। ଦୀପତଳ ଅନ୍ଧାର ଭଳି ଜିଲ୍ଲା ଓ ବ୍ଲକ୍‌ ପ୍ରଶାସନଠାରୁ ଅତି ନିକଟରେ ଥିବା ଏହି କାର୍ଯ୍ୟାଳୟ ପ୍ରତି ବିଭାଗୀୟ ଅଧିକାରୀମାନେ ସତେ ଯେମିତି ଆଖି ବୁଜି ଦେଇଛନ୍ତି। ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟଟି ଦୀର୍ଘ ଦିନ ଧରି ଆଜବେଷ୍ଟସ୍‌ ଛପର ଘରେ ରହିଛି। ହେଲେ ଘରଭିତର ପାଣି ସାଧାରଣ ବର୍ଷାହେଲେ ଲହଡି ଭାଙ୍ଗୁଛି। ଦୀର୍ଘ ଦିନରୁ ଏ ନେଇ ଅଭିଯୋଗ କରିଲେ ମଧ୍ୟ ମରାମତି କରାଯାଉନାହିଁ। ଘରେ ଥିବା ଆସବାବପତ୍ର ବର୍ଷା ପଣିରେ ଭିଜୁଛି। ସର୍ବଦା ପଣିଗଳୁଥିବାରୁ ଚତୁଃପାର୍ଶ୍ବ ଉଇ ଲାଗିବାକୁ ବସିଲାଣି। ଘର ଅଭାବରୁ ସେଠାରେ କୌଣସି କର୍ମଚାରୀ ରହୁ ନାହାନ୍ତି।

ସେହିପରି ପାନୀୟ ଜଳର ସୁବିଧା ନଥିବାରୁ କର୍ମଚାରୀ ଏଠାରେ ରହିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଯେଉଁ କାର୍ଯ୍ୟାଳୟଟି ଲକ୍ଷଲକ୍ଷ ଟଙ୍କା ରାଜସ୍ବ ଆଦାୟ କରି ସରକାରଙ୍କ ରାଜକୋଷକୁ ପଠାଉଛି, ତାହାର ପୁଣି ଏହିଭଳି ଦୟନୀୟ ଅବସ୍ଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୫୦ ବର୍ଷରୁ ଅଧିକ ସମୟ ଧରି ଏଠାରେ ରାଜସ୍ବ ନରୀକ୍ଷକ କାର୍ଯ୍ୟାଳୟ ଚାଲିଥିଲେ ମଧ୍ୟ ଉକ୍ତ ଅଫିସ୍‌ ନାମରେ ଅଦ୍ୟାବଧି ଜମିପଟା ହୋଇନାହିଁ। ପାନୀୟ ଜଳର ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀମାନେ ବାରମ୍ବାର ଅଭିଯୋଗ କରିବାନେଇ ବିଭିନ୍ନ ଗଣମାଧ୍ୟମରେ ଅନେକଥର ଖବର ପ୍ରକାଶ ପାଇଥିଲେ ମଧ୍ୟ ବ୍ୟବସ୍ଥା ପାଇଁ ସାଧାରଣ ନଳକୂପଟିଏ ଅଦ୍ୟାବଧି ହୋଇ ପାରିନାହିଁ। କାର୍ଯ୍ୟାଳୟ ପରିସରଟି ଏଭଳି ଅବ୍ୟବସ୍ଥା ମଧ୍ୟରେ ରହିଛି ଯେ, ତାହା ଏକ ପରିତ୍ୟକ୍ତ ଜଙ୍ଗଲର ଭ୍ରମ ସୃଷ୍ଟିକରୁଛି।

ସାଧାରଣତଃ ପାନୀୟଜଳ ଟୋପେ ପାଇଁ କର୍ମଚାରୀମାନେ ନିକଟସ୍ଥ ପରିତ୍ୟକ୍ତ ପୁଷ୍କରିଣୀ ଓ ପଞ୍ଚାୟତ କୂପ ଉପରେ ନିର୍ଭର କରୁଥିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଦରକାରୀ କାଗଜପତ୍ର ରହୁଥିବାରୁ ତୁରନ୍ତ ଉକ୍ତ କାର୍ଯ୍ୟାଳୟକୁ ମରାମତି ନିମନ୍ତେ ଦାବି ହେଉଛି। ଦୁଃଖର ବିଷୟ ଗତ ଫନିବାତ୍ୟାରେ ଗୃହର ଛପର ଅଧା ଉଡ଼ିଯାଇଥିଲା। କିଛି ମାସ ଧରି ଜରିପାଲ ଘୋଡ଼ାହେବା ପରେ ତାଳିପକା ନ୍ୟାୟରେ ମରାମତି କରାଯାଉଛି। ଫଳରେ ଅସରାଏ ବର୍ଷାରେ କାର୍ଯ୍ୟାଳୟ ଅବସ୍ଥା ଦୟନୀୟ ହୋଇ ପଡୁଛି। ଏନେଇ ନିରାକାରପୁର ରାଜସ୍ବ ନିରୀକ୍ଷକଙ୍କ ଦିବ୍ୟଲୋଚନ ଜାଲିଙ୍କୁ ପଚାରିବାରେ ଏଭଳି ଅବ୍ୟବସ୍ଥା ସଂପର୍କରେ ଉପରିସ୍ଥ ଅଧିକାରୀମାନେ ଅବଗତ ଅଛନ୍ତି। କିନ୍ତୁ କେବେ ଏହାର ଭାଗ୍ୟ ପରିବର୍ତନ ହେବ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ।

The post ଜରାଜୀର୍ଣ୍ଣ ଅବସ୍ଥାରେ ଆର୍‌ଆଇ କାର୍ଯ୍ୟାଳୟ first appeared on Sambad.

from ଜିଲ୍ଲା | Sambad https://ift.tt/3BHWfG6