
ରଣପୁର : ରଣପୁର ବ୍ଲକ୍ ଅନ୍ତର୍ଗତ ତାଳକଣି ପଞ୍ଚାୟତ ଅଧୀନ ନଚ୍ଛିପୁର ଗାଁରେ ଅଧାପନ୍ତରିଆ ପାଣି ଟାଙ୍କି ନିର୍ମାଣ କରି ଠିକାଦାର ଛୁ ମାରିଥିବା ବେଳେ ବିଶୁଦ୍ଧ ପିଇବା ପାଣି ଟୋପାଏ ପାଇଁ ଲୋକେ ଡହକ ବିକଳ ହେଉଥିବା ଅଭିଯୋଗ ହୋଇଛି।
ସୂଚନା ଥାଉକି, ତାଳକଣି ପଞ୍ଚାୟତ ଅଧୀନ ନଚ୍ଛିପୁର ଗାଁସ୍ଥିତ ପ୍ରାଥମିକ ସ୍କୁଲ ନିକଟରେ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ ଦୀର୍ଘ ଅଢେଇ ବର୍ଷ ତଳେ ୪୫ ଲକ୍ଷ ଟଙ୍କା ବ୍ୟୟରେ ଏକ ପାନୀୟ ଜଳ ପ୍ରକଳ୍ପ ସାଙ୍ଗକୁ ଏକ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା। ଏପରିକି ଏହାର ଦେଢ ବର୍ଷ ପରେ ବିଶୁଦ୍ଧ ପାନୀୟ ଜଳ ନିମନ୍ତେ ସମଗ୍ର ନଚ୍ଛିପୁର ଗାଁରେ ପାଇପ୍ ବିଛାଯାଇଥିଲେ ହେଁ ପ୍ରକଳ୍ପ ସଚଳ ନହେବାରୁ ପାଇପ୍ ଖତ ଖାଉଛି। ସେହିପରି ଅର୍ଦ୍ଧନିର୍ମିତ ପାଣି ଟାଙ୍କି ମଧ୍ୟ ଭାଙ୍ଗିରୁଜି ନଷ୍ଟ ହେବାକୁ ବସିଲାଣି। ତେବେ ଠିକାଦାରଙ୍କ ମନମୁଖୀ କାମ ସାଙ୍ଗକୁ ବିଭାଗୀୟ ଅଧିକାରୀଙ୍କୁ ହାତବାରିଶି କରି ବିଲ ଉଠାଇ ନେଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ଉକ୍ତ ଗାଁର ସାଢେ ୩ ଶହ ଲୋକଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ନିର୍ମାଣ ହେଉଥିବା ଉକ୍ତ ପ୍ରକଳ୍ପ କାହା ସ୍ବାର୍ଥରେ ବୋଲି ଏବେ ଗାଁରେ ଚର୍ଚ୍ଚା ଜୋର ଧରିଛି।
ଅପରପକ୍ଷେ ଠିକାଦାର ପ୍ରାଥମିକ ରନିଂ ବିଲ ଉଠାଇ ନେବା ଉଦ୍ଦେଶ୍ୟରେ ଗାଁ ଲୋକଙ୍କୁ ଭୁଆଁ ବୁଲାଇ ପରୀକ୍ଷାମୂଳକ ଭାବେ ଟ୍ୟାବ୍ ଲଗାଇ ଏବଂ ପରବର୍ତ୍ତୀ ସମୟରେ ଟ୍ୟାବ୍ ଖୋଲି ନେଇଥିବା ନେଇ ଅଞ୍ଚଳର ସମାଜସେବୀ ସୁକାନ୍ତ କୁମାର ନାୟକ କହିଛନ୍ତି। ତେବେ ଏ ନେଇ ଗ୍ରାମ୍ୟ ଜଳେଯାଗାଣ ଯନ୍ତ୍ରୀ ପ୍ରକାଶ ମହାନ୍ତିଙ୍କୁ ପଚାରିବାରୁ ଉକ୍ତ ପ୍ରକଳ୍ପ କାମ ଖୁବ୍ ଶୀଘ୍ର ଶେଷ ହେବ ବୋଲି କହିଛନ୍ତି। ଅପରପକ୍ଷେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନିମନ୍ତେ ଉଦ୍ଦିଷ୍ଟ ଉକ୍ତ ପ୍ରକଳ୍ପ କାମ ତୁରନ୍ତ ସଂପନ୍ନ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
The post ଅଧାପନ୍ତରିଆ ପାଣି ଟାଙ୍କିକୁ ନେଇ ଅସନ୍ତୋଷ first appeared on Sambad.from ଜିଲ୍ଲା | Sambad https://ift.tt/3FOOhgN
0 Comments