ତରଭା : ପୁଲିସ ଓ ଅବକାରୀ କର୍ମଚାରୀଙ୍କୁ ଚକ୍‌ମା ଦେବାକୁ ଦିନକୁ ଦିନ ଅଭିନବ ଉପାୟରେ ଗଞ୍ଜେଇ ଚୋରାଚାଲାଣ ହେବାରେ ଲାଗିଛି। ଶୁକ୍ରବାର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଏକ ଆମ୍ବୁଲାନ୍ସକୁ ଧରିବା ସହ ଏଥିରେ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ପୁଲିସ।

କୌଣସି ସୂତ୍ରରୁ ଖବର ପାଇ ତରଭା ପୁଲିସ ଶୁକ୍ରବାର ଦିନ ୧୦.୪୦ମି.ରେ ଘାଟକଇଁନ୍ତରା ଗ୍ରାମ ନିକଟସ୍ଥ ଠକପାଲି ପୋଲ ପାଖରେ ଗୋଟିଏ ଆମ୍ବୁଲାନ୍ସକୁ ଅଟକାଇ ଯାଞ୍ଚ କରିଥିଲା। ଆମ୍ବୁଲାନ୍ସରୁ ୮ଟି ବସ୍ତାରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଗଞ୍ଜେଇ ସହ ଆମ୍ବୁଲାନ୍ସ (ଓଡି ୦୩ ଇ ୦୫୭୯)କୁ ପୁଲିସ ଜବତ କରିଛି। ଜବତ ଗଞ୍ଜେଇର ପରିମାଣ ୨ କ୍ବିଣ୍ଟାଲରୁ ଅଧିକ ହେବ ବୋଲି ଜଣାଯାଇଛି। ଗାଡ଼ିରେ ଥିବା ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ରତାଖଣ୍ଡି ଗ୍ରାମର ହରିବୋଲ ପାଣ୍ଡେ (୩୫) ଓ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମର ମାୟାଧର ସେଠୀ (୨୭)ଙ୍କୁ ଗିରଫ କରିଛି। ଆଜିର ଏହି ଚଢ଼ଉରେ ତରଭା ଥାନା ଏସ୍‌ଆଇ ଆରତୀ କହଁର, ଏଏସ୍‌ଆଇ ଅରକ୍ଷିତ ମାଝୀ, କନେଷ୍ଟେବଳ ସାଲିନା ମଲ୍ଲିକ ଓ ପ୍ରକାଶ ଧରୁଆ ପ୍ରମୁଖ ସାମିଲ ଥିଲେ। ତରଭା ଥାନା ପୁଲିସ ଏକ ମାମଲ ରୁଜୁ କରି ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

The post ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ; ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3aqgtbe