
ଗୋରୁ ଗାଡ଼ି ବେପାର କିମ୍ବା ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ
ଚଣ୍ଡିଖୋଲ : ପ୍ରସିଦ୍ଧ ଓଳାଶୁଣୀ ପାହାଡ଼ ପାଦଦେଶରେ ଥିବା ମା’ଙ୍କ ମନ୍ଦିର ନିକଟରେ ଆଜି ରାତିରେ ଦୁର୍ବୃତ୍ତମାନେ ବନ୍ଦରେଶ୍ୱର ଗ୍ରାମର ଯୁବକ ସିଦ୍ଧାନ୍ତ ସାମଲ ଓରଫ ବୁବୁନା(୩୦)ଙ୍କୁ ଗୁଳି କରି ଫେରାର ହୋଇଯାଇଛନ୍ତି । ଗୁରୁତର ଆହତ ବୁବୁନାଙ୍କୁ ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତ ବୁବୁନାଙ୍କ ଘର ବାଲିଚନ୍ଦ୍ରପୁର ଥାନା ବନ୍ଦରେଶ୍ଵର ଗ୍ରାମରେ। ଗୋରୁ ବେପାର ଅବା ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ବିବାଦ ପାଇଁ ଏଭଳି ଗୁଳିକାଣ୍ଡ ବୋଲି ଚର୍ଚ୍ଚା ହେଉଛି।
ସୂଚନା ଯୋଗ୍ୟ ବନ୍ଦରେଶ୍ୱର ଗ୍ରାମର ସ୍ୱର୍ଗତ ରଙ୍ଗାଧର ସାମଲଙ୍କ ବଡ଼ପୁଅ ସିଦ୍ଧାନ୍ତ ସାମଲ ଓରଫ ବୁବୁନା ଆଜି ରାତି ୮ ଟା ବେଳେ ତାଙ୍କର ଅନ୍ୟସାଥୀଙ୍କ ସହ ୫୩ ଜାତୀୟ ରାଜପଥ ପାର୍ଶ୍ବ ଓଳାଶୁଣୀ ପାହାଡ଼ ପାଦଦେଶରେ ଥିବା ମନ୍ଦିର ନିକଟରେ ବସିଥିବା ବେଳେ କେତେକ ଯୁବକ ଏକ କାର ଓ ବାଇକରେ ଆସି ତାଙ୍କୁ ଖୋଜିଥିଲେ। ବୁବୁନା ସେଠାରେ ଥିବା ଜାଣିବା ପରେ ତା ଉପରକୁ ଗୁଳିମାଡ଼ କରିଥିଲେ । ଗୋଟିଏ ଗୁଳି ବୁବୁନାଙ୍କ ଜଙ୍ଘରେ ବାଜିଥିବା ବେଳେ ଅନ୍ୟଟି ତାଙ୍କ ହାତରେ ବାଜିଛି । ଗୁଳିମାଡ଼ ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ବେଳେ ସାଥୀମାନେ ବାଲିଚନ୍ଦ୍ରପୁର ଥାନା ପୁଲିସକୁ ଖବର ଦେବା ସହିତ ବଡ଼ଚଣା ମେଡ଼ିକାଲକୁ ନେଇଯାଇଥିଲେ। ଘଟଣାସ୍ଥଳରୁ ଏକ ଗୁଳି ଓ ମୋବାଇଲ ପୁଲିସ ଜବତ କରିଛି। ଏହା ପଛରେ ଗୋରୁ ଗାଡ଼ି ଅଟକାଇବା ଅବା ଅସାମାଜିକ କାର୍ଯ୍ୟକୁ ନେଇ ଗୋଷ୍ଠୀ ବିବାଦ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି। ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ପ୍ରକୃତ କାରଣ ଷ୍ପଷ୍ଟ ହୋଇନାହିଁ।
ଏହି ଅଞ୍ଚଳରେ ବ୍ୟାପକ ଚୋରା ତେଲ, କୋଇଲା, ରଡ ଇତ୍ୟାଦି ଠାରୁ ଆରମ୍ଭ କରି ଅଧିକାଂଶ ସମୟ ରାହାଜାନୀ ହେଉଛି। ବାଲିଚନ୍ଦ୍ରପୁର ଥାନା ଓ କେନ୍ଦ୍ରାପଡ଼ା ଜିଲ୍ଲାର ଡ଼େରାବିଶ ଥାନା ସୀମାନ୍ତ ହୋଇଥିବାରୁ ଅସାମାଜିକ କାର୍ଯ୍ୟକଳାପ ଓ ଚୋରା କାରବାର ଚରମ ସୀମାରେ ପହଞ୍ଚିଛି।
The post ଓଳାଶୁଣୀ ପାହାଡ଼ ତଳେ ଯୁବକକୁ ଗୁଳି, ସଂଘବଦ୍ଧ ଆକ୍ରମଣ ପରେ ଦୁର୍ବୃତ୍ତମାନେ ଫେରାର୍ first appeared on Sambad.from ଜିଲ୍ଲା | Sambad https://ift.tt/3Fp0J71
0 Comments