ବାରିପଦା : ପଞ୍ଚାୟତ ନିର୍ବାଚନକୁ ନେଇ ପ୍ରକାଶ ପାଇଛି ସଂରକ୍ଷଣ ତାଲିକା। ଜିଲ୍ଲାପରିଷଦ ସଭାପତି ପଦରୁ ଆରମ୍ଭ କରି ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା, ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ ନିମନ୍ତେ ସଂରକ୍ଷଣ ତାଲିକା ପ୍ରକାଶ ପରେ ସବୁ ରାଜନୈତିକ ଦଳରେ ଅଳ୍ପ ବହୁତ ତତ୍ପରତା ପ୍ରକାଶ ପାଇଛି। ତେବେ ସବୁଠୁ ଅଧିକ ଚଳଚଞ୍ଚଳ ହୋଇପଡ଼ିଛି ଜିଲ୍ଲା ବିଜେଡି ଶିବିର। କାରଣ ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚଳିତ ମାସ ୨୨ ତାରିଖରେ ବାରିପଦା ସହିଦ ସ୍ମୃତି ଭବନରେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ଏନେଇ ଜିଲ୍ଲାରେ ଆରମ୍ଭ ହୋଇଛି ରାଜନୈତିକ ତତ୍ପରତା। ଯଦିଓ ଏହା ସମ୍ପୂର୍ଣ୍ଣ ସରକାରୀ କାର୍ୟ୍ୟକ୍ରମ ତେବେ ନବୀନଙ୍କ ଏହି ସଭାରୁ ରାଜନୈତିକ ଫାଇଦା ପାଇଁ ଲକ୍ଷ୍ୟ ରଖିଛି ବିଜେଡି। ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ ଥିବାରୁ ମୟୂରଭଞ୍ଜରେ ସ୍ମାର୍ଟ ହେଲ୍ଥ କାର୍ଡ ଏକ ଟ୍ରମ୍ପ୍ କାର୍ଡ ହେବ ବୋଲି ବିଜେଡିର ଶୀର୍ଷ ନେତୃତ୍ବ ଆଶା ରଖିଛନ୍ତି। ତେଣୁ ଏହି କାର୍ୟ୍ୟକ୍ରମକୁ ଜିଲ୍ଲାବ୍ୟାପୀ ସଫଳତାର ସହିତ ଆୟୋଜନ କରିବାକୁ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ମୁଖ୍ୟମନ୍ତ୍ରୀ ବାରିପଦାରେ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ମାତ୍ର ଜିଲ୍ଲାର ସମସ୍ତ ବ୍ଲକ୍ ମୁଖ୍ୟାଳୟ ସହିତ ବିଭିନ୍ନ ସ୍ଥାନରେ ମନ୍ତ୍ରୀ, ବିଧାୟକ, ନିଗମ ଅଧ୍ୟକ୍ଷମାନେ ହେଲ୍ଥ କାର୍ଡ ବାଣ୍ଟିବେ। ତେଣୁ ଜିଲ୍ଲାରେ ଏକପ୍ରକାର ପଞ୍ଚାୟତ ନିର୍ବାଚନ ଉଷ୍ମତା ଦେଖାଦେଇଛି। ବିଜେଡିର ଏକାଧିକ ରାଜ୍ୟସ୍ତରୀୟ ନେତା ଆଜିଠାରୁ ବାରିପଦାରେ ଡେରା ପକେଇଲେଣି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ଖାଦ୍ୟ ସୁରକ୍ଷା ଅଭିଯାନରେ ସାମିଲ ଥିବା ସମସ୍ତ ପୁରୁଷ ହିତାଧିକାରୀଙ୍କୁ ୫ ଲକ୍ଷ ଏବଂ ମହିଳାଙ୍କ ଲାଗି ବର୍ଷକୁ ଚିକିତ୍ସା ନିମନ୍ତେ ୧୦ ଲକ୍ଷ ଦେବାର ବ୍ୟବସ୍ଥା ସ୍ମାର୍ଟ କାର୍ଡରେ ରହିଛି। ଏନେଇ ଆଜି ବାରିପଦାରେ ବିଜେଡି ମୟୂରଭଞ୍ଜ ସାଂଗଠନିକ ଜିଲ୍ଲା ଅନ୍ତର୍ଗତ ଉଦଳା, ବଡସାହି, ବାରିପଦା, ମୋରଡା ଓ ବାଙ୍ଗିରିପୋଷି ଭଳି ୫ ଗୋଟି ନିର୍ବାଚନମଣ୍ଡଳୀର ଦଳୀୟ ନେତୃବୃନ୍ଦଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା । ମୟୂରଭଞ୍ଜ ଜିଲ୍ଲା ସହ-ପର୍ୟ୍ୟବେକ୍ଷକ ଜନ୍ମେଜୟ ଲେଙ୍କାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ୱାରା ଉକ୍ତ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ୟ୍ୟକ୍ରମକୁ ବ୍ୟାପକ ଭାବେ ବିଜେଡି ଦଳ ପକ୍ଷରୁ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଦଳର ଛାମୁଆ ସଂଗଠନ ଯୁବ ଛାତ୍ର, ମହିଳା ଓ ନେତୃମଣ୍ଡଳୀ ଦ୍ୱାରା ଉକ୍ତ କାର୍ୟ୍ୟକ୍ରମକୁ ସଫଳ କରିବା ପାଇଁ ବ୍ୟାପକ ବିଚାର ବିମର୍ଷ କରାଯାଇ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା । ବୈଠକରେ ରାଜ୍ୟ ଯୁବ ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ରାଜ୍ୟ କ୍ଷୁଦ୍ର ଶିଳ୍ପ ନିଗର ଅଧ୍ୟକ୍ଷ ଚିନ୍ମୟ ସାହୁ ଓ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ସମସ୍ତ ଦଳୀୟ ନେତୃତ୍ବ ଓ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ୟ୍ରକ୍ରମକୁ ସଫଳ କରିବାକୁ ସଭାରେ ନିଷ୍ପତି ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମୋରଡ଼ା ବିଧାୟକ ରାଜ କିଶୋର ଦାସ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ଭାଦବ ହାଁସଦା, ଗଣେଶ୍ୱର ପାତ୍ର, ଶ୍ରୀନାଥ ସୋରେନ, ବାରିପଦା ନିର୍ବାଚନ ମଣ୍ଡଳୀ ସହ-ପର୍ୟ୍ୟବେକ୍ଷକ ମାନସ ଦାସପଟ୍ଟନାୟକ, ପୂର୍ବତନ ଏସ୍ଡିସି ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି, ପୂର୍ବତନ ନଗରପାଳ ତଥା ମୋରଡା ନିର୍ବାଚନ ମଣ୍ଡଳୀ ସଂଯୋଜକ କୃଷ୍ଣାନନ୍ଦ ମହାନ୍ତି, ଉଦଳା ନିର୍ବାଚନ ମଣ୍ଡଳୀ ସଂଯୋଜକ କୃଷ୍ଣଚନ୍ଦ୍ର ଦାସ, ଜିଲ୍ଲା ମହିଳା ପର୍ୟ୍ୟକ୍ଷେକ ଉର୍ମିଲତା ଦାସ, ଜିଲ୍ଲା ମହିଳା ସଭାନେତ୍ରୀ ଦିପ୍ତିଲତା ମିଶ୍ର, ଜିଲ୍ଲା ଯୁବ ସଭାପତି ଅରୁଣ ବରାଡ, ଛାତ୍ର ସଭାପତି ସୁନୀଲ ନାୟକଙ୍କ ସମେତ ସମସ୍ତ ନିର୍ବାଚନ ମଣ୍ଡଳୀର ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳ ପରିଦର୍ଶନ କଲେ ବବି

ବାରିପଦା : ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତକୁ ସଫଳ କରିବାକୁ ଅଣ୍ଟା ଭିଡ଼ିଛନ୍ତି ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ମୟୂରଭଞ୍ଜ ପର୍ୟ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଓରଫ୍ ବବି। ଆଜି ବିଜେଡି ପକ୍ଷରୁ ବାରିପଦାରେ ଆୟୋଜିତ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକରେ ବବି ଯୋଗଦେଇନଥିଲେ। କିନ୍ତୁ ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳ ସହିଦ ସ୍ମୃତି ଭବନ ପରିଦର୍ଶନ କରି ସ୍ଥିତି ନିରୀକ୍ଷଣ କରିଥିଲେ। ସେହିପରି ସମ୍ଭାବ୍ୟ ହେଲିପ୍ୟାଡ୍ ସ୍ଥାନ ଛଉ ପଡ଼ିଆ ବୁଲି ଦେଖିଥିଲେ। ଜିଲ୍ଲାପାଳ ଏବଂ ଏସ୍ପିଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସବିଶେଷ ଆଲୋଚନା କରିଥିଲେ। ସଭାସ୍ଥଳରେ କେବଳ ହେଲ୍ଥ କାର୍ଡ ହିତାଧିକାରୀମାନେ ହିଁ ରହିବେ। ତେଣୁ କରୋନା କଟକଣା ମଧ୍ୟରେ ଯେପରି ସବୁକଥା ସଠିକ୍ ଢଙ୍ଗରେ ହୁଏ ସେନେଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ। ତେବେ ଏହାପରେ ପ୍ରଣବ ପ୍ରକାଶ ଦଳୀୟ ପ୍ରସ୍ତୁତି ବୈଠକରେ ଯୋଗନଦେଇ ଫେରିଯାଇଥିଲେ। ଏହି ଅବସରରେ ବବିଙ୍କ ସହିତ ହାତଗଣତି କିଛି ନେତା ଉପସ୍ଥିତ ଥିଲେ। ଦଳୀୟ ବୈଠକରେ ଯୋଗଦେଇନଥିଲେ ମଧ୍ୟ ବବି ଯେ ଏହି କାର୍ୟ୍ୟକ୍ରମର ମଙ୍ଗ ଧରିଛନ୍ତି ତାହା ସ୍ପଷ୍ଟ ବୁଝା ପଡ଼ୁଛି।

The post ମୟୂରଭଞ୍ଜରେ ପଞ୍ଚାୟତ ନିର୍ବାଚନ ଉଷ୍ମତା, ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ବିଜେଡି first appeared on Sambad.

from ଜିଲ୍ଲା | Sambad https://ift.tt/3BZaZk4