
ରାମଚନ୍ଦ୍ରପୁର : ଘସିପୁରା ବ୍ଲକ୍ ପୁରୁଣାବାନ୍ଧଗୋଡ଼ା ଗ୍ରାମର ତାରିଣୀ ଶାଳ ନିକଟରେ ବାଇକ୍ ଧକ୍କାରେ ଏକ ହରିଣର ମୃତ୍ୟୁ ଘଟିଥିବାବେଳେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ସୋମବାର ଭୋରରୁ ସ୍ଥାନୀୟ ଦାନ୍ତିଆ ଗ୍ରାମର ଶିଶିର ସ୍ବାଇଁ (୪୫) ବରାଙ୍ଗ ସଂରକ୍ଷିତ ଜଙ୍ଗଲ ରାସ୍ତା ଦେଇ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ବାଇକ୍ରେ ଯାଉଥିଲେ। ପୁରୁଣାବାନ୍ଧଗୋଡ଼ା ତାରିଣୀ ଶାଳ ନିକଟରେ ବାଇକ୍ ଆଗକୁ ଏକ ହରିଣ ଚାଲି ଆସିଥିଲା। ଦୁର୍ଘଟଣାରେ ହରିଣର ମୃତ୍ୟୁ ଘଟିଥିବା ବେଳେ ଶିଶିର ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ପଠାଇଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଖବର ପାଇ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହରିଣର ମୃତଦେହ ଉଦ୍ଧାର କରିଛନ୍ତି।

ସୂଚନାଯୋଗ୍ୟ, ବରାଙ୍ଗ ସଂରକ୍ଷିତ ଜଙ୍ଗଲ ଦେଇ ଦୁଇଟି ରାସ୍ତା ଯାଜପୁର ଜିଲ୍ଲା କଳିଙ୍ଗନଗରକୁ ସଂଯୋଗ କରିଛି। ଏହି ରାସ୍ତାରେ ବିଭିନ୍ନ ସମୟରେ ହରିଣମାନେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଉଛନ୍ତି। ବନ ବିଭାଗ ପକ୍ଷରୁ ରାସ୍ତାର ବିଭିନ୍ନ ସ୍ଥାନରେ ସ୍ପିଡବ୍ରେକର ଲଗାଇବାକୁ ସ୍ଥାନୀୟ ସରପଞ୍ଚ ପ୍ରଦୀପ କୁମାର ଧୀର ଏବଂ ପରିବେଶବିତ୍ ନୃସିଂହ ଚରଣ ଧୀର ଦାବି କରିଛନ୍ତି।
The post ବାଇକ୍ ଧକ୍କାରେ ହରିଣ ମୃତ first appeared on Sambad.from ଜିଲ୍ଲା | Sambad https://ift.tt/3aPeQUR
0 Comments