କୋରାପୁଟ: ହାତ ଛାଡିବେ କି କୈଳାଶ ? ଲକ୍ଷ୍ମୀପୁରର ହାତ ଛାଡି ଶଙ୍ଖ ଧରିବେ କି କୋରାପୁଟର ଟାଣୁଆ ନେତା କୈଳାଶ କୁଲେଶିକା ? ଆଜି ଶତାଧିକ କର୍ମୀଙ୍କୁ ଧରି ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ୨୦ଟି ଗାଡିରେ ଭୁବନେଶ୍ୱରକୁ ଯାଇଥିବା ଜଣାପଡିଛି। ଆସନ୍ତାକାଲି ବିଜେଡିରେ ସ୍ବତନ୍ତ୍ର ମିଶ୍ରଣ ପର୍ବରେ ସେ ଶଙ୍ଖ ଧରୁଥିବା ଜଣାପଡିଛି। ଆସନ୍ତାକାଲି ଜଣେ ସାଂସଦଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ହେବାକୁ ଥିବା ମିଶ୍ରଣ ପର୍ବରେ ତାଙ୍କ ସହ ତାଙ୍କ ପତ୍ନୀ ତଥା ଲକ୍ଷ୍ମୀପୁର ବ୍ଲକ ଅଧକ୍ଷା‌ ସୁବାଇ କୁଲେଶିକା ମଧ୍ୟ କଂଗ୍ରେସ ହାତ ଛାଡି ବିଜେଡିରେ ମିଶୁଥିବା ଜଣାପଡିଛି। ତାଙ୍କ ସହ ଲକ୍ଷ୍ମୀପୁର, ନାରାୟଣପାଟଣା, ବନ୍ଧୁଗାଁ ଓ ଦଶମନ୍ତପୁର ବ୍ଲକର ୪ରୁ ଅଧିକ ସମିତିସଭ୍ୟ ଓ ସରପଞ୍ଚ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ପୂର୍ବରୁ କୋଟପାଡର ପୂର୍ବତନ ବିଧାୟକ ଚନ୍ଦ୍ର ଶେଖରୀ ମାଝି ଦଳ ଛାଡି ବିଜେଡିରେ ମିଶିଥିବାବେଳେ ଏକେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ଦଳ ଛାଡିବା କଂଗ୍ରେସ ପାଇଁ ଅଶୁଭ ସଙ୍କେତ ପରି ମନେ ହେଉଛି।

ଦଳ ଛାଡିବା ନେଇ ଗଣମାଧ୍ୟମରେ ସେ ପାଟି ଖୋଲୁ ନ ଥିବାବେଳେ ଜିଲ୍ଲା କଂଗ୍ରେସ ଉପ‌ରେ ଖପ୍ପା ହୋଇଥିବା ଜଣାପଡିଛି। ଦଳରେ ଅନ୍ଥଃଘାତୀ କାର୍ଯ୍ୟ କରାଯାଉଥିବା ସହ ବାହିନିପତି ପରିବାର ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। କିଛିଦିନ ହେଲା କୈଳାଶ-ମୀନାକ୍ଷୀ-ତାରାଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଚାଲୁ ରହିଥିଲା। ଏକଥା ନେଇ ପିସିସି ସଭାପତିଙ୍କ ନିକଟରେ ପହଞ୍ଚିବା ଓ ଓଡ଼ିଶା ପ୍ରଭାରୀଙ୍କ ହସ୍ତକ୍ଷେପ ପରେ ସବୁ ତୁଟିଥିଲା। ମୀନାକ୍ଷୀଙ୍କ ନେତୃତ୍ବକୁ ମାନିବାକୁ କୈଳାଶ ରାଜି ନ ଥିବାବେଳେ ଦଳରେ ଅନ୍ତଃଘାତୀ କାର୍ଯ୍ୟ କଥା ସେ ସବୁବେଳେ କହି ଆସୁଛନ୍ତି। ଦିନ ଥିଲା କୋରାପୁଟ, କୋଟପାଡ, ଲକ୍ଷ୍ମୀପୁର ଓ ଜୟପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ରାଜ କରୁଥିଲା।

ଯେତେ‌ବେଳେ ସାରା ଓଡ଼ିଶାରେ ବିଜେଡି ଜିତୁଥିଲା ସେହି ସମୟରେ କଂଗ୍ରେସ ଏହି ୪ଟି ବିଧାନସଭାରେ ରାଜୁତି କରୁଥିଲା। ତେବେ ୨୦୧୯ ନିର୍ବାଚନ ପରେ କୋରାପୁଟ କଂଗ୍ରେସ ଦଳୀୟ କନ୍ଦଳ ଥମିବା ନାଁ ନେଉନି। ନିକଟରେ କୋଟପାଡ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସରୁ ପ୍ରାର୍ଥି ହୋଇଥିବା ତଥା ଟାଣୁଆ ନେତା ଚନ୍ଦ୍ର ଶେଖର ମାଝି ଅସନ୍ତୁଷ୍ଟ ହୋଇ ଦଳ ଛାଡି ବିଜେଡିରେ ମିଶିଛନ୍ତି। ଏବେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ଦଳ ଛାଡିବା ଓ ୨୦୧୯ ନିର୍ବାଚନ ପୂର୍ବରୁ କୋରାପୁଟ କଂଗ୍ରେସର ହାତ ଛାଡି ଜୟପୁରରୁ ପ୍ରାର୍ଥି ହୋଇ ପରାଜିତ ହୋଇଥିଲେ ଥିବା କୃଷ୍ଣ ସଗରିଆ। ଗୋଟିଏ ପରେ ଗୋଟିଏ ଟାଣୁଆ ନେତା କୋରାପୁଟ କଂଗ୍ରେସ ଛାଡୁ ବିଜେଡି ତଥା ଅନ୍ୟ ଦଳରେ ମିଶୁଥିବାରୁ ଏହା କଂଗ୍ରେସ ପ୍ରତି ବଡ ସମସ୍ୟା ହୋଇପାରେ। ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ରହିଥିବା‌ବେଳେ କୋରାପୁଟ କଂଗ୍ର‌ରେ ଏହି ସମସ୍ୟା କଂଗ୍ରେସ ଭୋଟ ଉପରେ ପ୍ରଭାବ ପକାଇବ କି ବୋଲି ପ୍ରଶ୍ନ ଉଠିଛି। ଅପରପକ୍ଷରେ କେବଳ କୃଷ୍ଣ ସଗରିଆକୁ ଛାଡି କୈଳାଶ ଓ ଚନ୍ଦ୍ରଶେଖର ଦଳ ଛାଡି ବିଜେଡିରେ ମିଶିଥିବାରୁ ବିଜେଡି ଦିନକୁ ଦିନ ବଳ ଜୁଟାଉଥିବାବେଳେ ଦୋହଲୁଛି କଂଗ୍ରେସ ଗଡ।

The post ହାତ ଛାଡି ଶଙ୍ଖ ଧରିବେ କି କୈଳାଶ ? first appeared on Sambad.

from ଜିଲ୍ଲା | Sambad https://ift.tt/3aPefmh