
ଖୋର୍ଦ୍ଧା: ସରକାରୀ ଚିକିତ୍ସାଳୟ ମଧ୍ୟରେ ଘରୋଇ ହସ୍ପିଟାଲ୍, ନର୍ସିଂହୋମ୍ ଆଦିର ଦଲାଲଙ୍କ ରାଜୁତି କଥା ଶୁଣାଯାଉଥିଲା, କିନ୍ତୁ ରାଜ୍ୟ ରାଜଧାନୀର ଜିଲ୍ଲା ମହକୁମା ଖୋର୍ଦ୍ଧାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଦୋକାନ, ହୋଟେଲ୍ ପାଇଁ ଜାଗା ବିକ୍ରି ହେଉଛି, ଏହି କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଗୋଟିଏ ପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଭିତ୍ତିଭୂମିର ବିକାଶ ପାଇଁ ସ୍ଥାନର ଅଭାବ ବୋଲି କର୍ତ୍ତୃପକ୍ଷ ସଫେଇ ଦେଉଥିବା ବେଳେ ଆରପଟେ ବେଆଇନ ଭାବେ ପରିସର ମଧ୍ୟରେ ଘରୋଇ ହୋଟେଲ୍, ଦୋକାନ ଆଦି କରିବାକୁ ବେଆଇନ ଭାବେ ଜାଗା ଦିଆଯାଉଛି।
୧୦୦-୧୫୦ ବର୍ଗଫୁଟ ଜାଗା ପାଇଁ ୩୦ ରୁ ୪୦ ହଜାର ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହେଉଛି। ପ୍ରାୟ ୨୦ ଏକରରୁ ଉର୍ଦ୍ଧ୍ବ ପରିମିତ ଅଂଚଳରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଜିକୁ ପ୍ରାୟ ୧୫ ବର୍ଷ ପୂର୍ବେ କାର୍ଯ୍ୟକ୍ଷମ ହୋଇଥିଲା। ୨୫୮ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବର୍ତ୍ତମାନ ଅନେକ ସମସ୍ୟା ଦେଇ ଗତି କରୁଛି। ଡାକ୍ତରଙ୍କ ଅଭାବ ସାଙ୍ଗକୁ ଭିତ୍ତିଭୂମିର ଅଭାବ ଚିକିତ୍ସାଳୟ ପ୍ରତି ଲୋକଙ୍କ ଆସ୍ଥା ଦିନକୁ ଦିନ କମିବାରେ ଲାଗିଛି। ମୋଟ ଶଯ୍ୟା ମଧ୍ୟରୁ ବର୍ତ୍ତମାନ ପ୍ରାୟ ୫୦ ଶଯ୍ୟାରେ ବିନିଯୋଗ ନହୋଇ ପଡ଼ି ରହିଛି। ଶଯ୍ୟା ପାଇଁ ରୋଗୀଙ୍କ ପରିବାରଙ୍କ ଠାରୁ ହାତଗୁଂଜା ଦାବି କରିବାକୁ ନେଇ ଚିକିତ୍ସାଳୟରେ ଅନେକ ସମୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଜ୍ୟବସ୍ତୁ ପରିଚାଳନା, ହର୍ବାଲ୍ ଗାର୍ଡେନ୍, ପାର୍କିଂ ବ୍ୟବସ୍ଥା ଓ ନୂତନ କୋଠା ନିର୍ମାଣ ହୋଇ ପାରୁନଥିବା ଘଟଣାରେ ସଫେଇ ଦେଇ ଚିକିତ୍ସାଳୟ କର୍ତ୍ତୃପକ୍ଷ ସ୍ଥାନର ଅଭାବ କଥା କୁହନ୍ତି।
କିନ୍ତୁ ବର୍ତ୍ତମାନ ପରିସର ମଧ୍ୟ ୧୦ରୁ ଉର୍ଦ୍ଧ୍ବ ବେଆଇନ ଦୋକାନ, ହୋଟେଲ୍ ଆଦି ଖୋଲିଛି। ଆହୁରି ଅନେକ ଦୋକାନ ଖୋଲିବା ପାଇଁ ଲୋକ ଜାଗା ଆବୋରି ଚିହ୍ନଟ କରିଛନ୍ତି। ପରିସରରେ ଏଭଳି ବେଆଇନ ଦୋକାନ ବଜାର ସମ୍ପର୍କରେ ଅନୁସନ୍ଧାନରୁ ଜଣାଯାଇଛି ଯେ ଏଥିରେ ଚିକିତ୍ସାଳୟର କେତେକ ଅଧିକାରୀ ଓ କର୍ମଚାରୀ ସମ୍ପୃକ୍ତ ଅଛନ୍ତି। ଦଲାଲ ମାନେ ପରିସରରେ ଦୋକାନ, ହୋଟେଲ୍ ଆଦି କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କ ଠାରୁ ୧୦ଫୁଟ ଓସାର ୧୦ଫୁଟ ଲମ୍ବ ଜାଗା ପାଇଁ ୩୦ରୁ ୩୫ ହଜାର ଟଙ୍କା ନେଉଥିବା ଜଣାଯାଇଛି। ବର୍ଷେ ଦୁଇବର୍ଷ ପୂର୍ବେ ଚିକିତ୍ସାଳୟ ପରିସରରେ ୧୦-୧୨ଟି ଉଠା ଦୋକାନ ଥିଲା।
ବର୍ତ୍ତମାନ ଏହିଗୁଡ଼ିକ ମଧ୍ୟରେ ଅନେକ ସ୍ଥାୟୀ ଭାବେ ଦୋକାନ ଘର ନିର୍ମାଣ କରିଥିବା ବେଳେ ଗତ କିଛି ମାସ ମଧ୍ୟରେ ନୂତନ ହୋଟେଲ୍, ଗ୍ରୋସରୀ ଦୋକାନ ମଧ୍ୟ ସ୍ଥାପିତ ହୋଇଛି। ଚଳିତବର୍ଷ ଫେବୃଆରୀ ମାସରେ ହୋଇଥିବା ରୋଗୀ କଲ୍ୟାଣ ସମିତି ବୈଠକରେ ଚିକିତ୍ସାଳୟ ପରିସରରୁ ଜବରଦଖଲ ହଟାଇବା ସହ ପାଚେରୀ ନିର୍ମାଣ କରାଯାଇ ଭିତ୍ତିଭୂମିର ବିକାଶ ପାଇଁ ୬ଟି ନୂତନ ନିର୍ମାଣ କରାଯିବା ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହାମଧ୍ୟରେ ୮ ମାସ ବିତିଯାଇଛି, କିନ୍ତୁ ଚିକିତ୍ସାଳୟ ପରିସରରେ କୌଣସି ନୂତନ ଭିତ୍ତିଭୂମିର ବିକାଶ ହୋଇନଥିବା ବେଳେ ବେଆଇନ ଜବର ଦଖଲକାରୀଙ୍କ କବ୍ଜା ବଢ଼ିବାରେ ଲାଗିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
The post ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ହୋଟେଲ୍-ଦୋକାନ ପାଇଁ ଜାଗା ଲିଜ୍ first appeared on Sambad.from ଜିଲ୍ଲା | Sambad https://ift.tt/3vtnmCt
0 Comments