
କୋଇଡ଼ା: ‘ଜଳ ହିଁ ଜୀବନ’ ପ୍ରକୃତିର ଅନନ୍ୟ ଉପହାର ହେଉଛି ଜଳ ବା ପାଣି। ବିଡ଼ମ୍ବନା ଯେ, ଭାରତର ବିଭିନ୍ନ ପ୍ରାନ୍ତଃରେ ଦିନକୁ ଦିନ ଜଳ ସଂକଟ ବୃଦ୍ଧି ପାଉଥିବାବେଳେ, ଲୋକଙ୍କ ପାଇଁ ଜଳ କଷ୍ଟ ଏକ ପ୍ରମୁଖ ସମସ୍ୟା ହୋଇଛି। ଗାଁ ଠାରୁ ସହର ସବୁଠି ପାଣିର ଅଭାବ। ପ୍ରାକୃତିକ ଜଳ ଉତ୍ସ ଶୁଖି ଶୁଖି ଯାଉଛି। ଖଣି ଖାଦାନ, କଳକାରଖାନା ଗଢ଼ି ଉଠିବା ଦ୍ୱାରା ନଦୀ, ନାଳ ସବୁ ପ୍ରଦୂଷିତ ହେବାରେ ଲାଗିଛି। ମୃତ୍ତିକା ଅବକ୍ଷୟ ଯୋଗୁ ଅନେକ ନଦୀ, ନାଳ ଓ ପୁଷ୍କରଣୀ ପୋତି ହୋଇଗଲାଣି। ଭୂତଳ ଜଳସ୍ତର ଶେଷ ହେବାକୁ ବସିଲାଣି।
ଏପରି ପରିସ୍ଥିତିରେ ନଦୀ, ନାଳ ଓ ଅନ୍ୟ ଜଳ ଉତ୍ସ ଗୁଡ଼ିକର ପୁନଃରୁଦ୍ଧାର କରି ବର୍ଷାଜଳ ସଂରକ୍ଷଣ ଦିଗରେ ଗୁରୁତ୍ବ ଦିଆଯିବା ଆବଶ୍ୟକତା ରହିଛି। ସେପଟେ ଜଳସଂକଟରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଓ ଆନ୍ଦୋଳନ ହେଉଛି। ସୁନ୍ଦରଗଡ଼ ଜିଲ୍ଲାର ଖଣି ରାଜଧାନୀ କୋଇଡ଼ା ଜଳ ସମସ୍ୟା ଉତ୍କଟ ହୋଇଛି। ସୁନାନଦୀ ଏବଂ କାରୋ ନଦୀର ପାଣି ଅତ୍ୟଧିକ ପ୍ରଦୂଷିତ ହୋଇସାରିଛି। ମୃର୍ତ୍ତିକା ଅବକ୍ଷୟ ଏବଂ ନଦୀରେ ବର୍ଜ୍ୟବସ୍ତୁ ପଡ଼ିବା ଫଳରେ ଉଭୟ ନଦୀ ସଂକୁଚିତ ହେବା ସହ ନଦୀଗର୍ଭ ପୋତିହୋଇ ଯାଉଛି। ଏଥି ସହ ଖଣି ଓ ଶିଳ୍ପ ସଂସ୍ଥା ଗୁଡ଼ିକ ଏହି ଦୁଇ ନଦୀରୁ ମୋଟର ଲଗାଇ ବ୍ୟାପକ ପରିମାଣର ପାଣି ନେଉଥିବାବେଳେ, ନଦୀର ସୁରକ୍ଷା ପ୍ରତି ଆଖି ବୁଜି ଦେଇଥିଲା ପରି ମନେ ହେଉଛି। ଓଲଟା ଅସାଧୁ ଉପାୟରେ ମଇଳା, ବର୍ଜ୍ୟବସ୍ତୁ ଯୁକ୍ତ ପାଣି ନଦୀଗର୍ଭକୁ ଛାଡ଼ୁଥିବାରୁ ଅଧିକ ପ୍ରଦୂଷିତ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ଏବେ ତେଜୁଛି ‘ନଦୀ ବଞ୍ଚାଅ ଆନ୍ଦୋଳନ’।
କୋଇଡ଼ା ବ୍ଲକ୍ ଡେଙ୍ଗୁଳା ପଞ୍ଚାୟତ ରାଇକଳା ଗ୍ରାମ ମୁଣ୍ଡାଣିରୁ ଉତ୍ପତ୍ତି ହୋଇଥିବା କାରୋ ନଦୀ କୋଇଡ଼ା ହୋଇ ବଡ଼ବିଲ ତା ପରେ ଝାଡ଼ଖଣ୍ଡରେ କୋଏଲ୍ ନଦୀରେ ମିଶିଛି। କିନ୍ତୁ କୋଇଡ଼ା ଲାଇଫ୍ ଲାଇନ୍ କୁହାଯାଉଥିବା କାରୋ ନଦୀ ଏବେ ଶେଷ ଶଯ୍ୟାରେ। ବିଶେଷ କରି କାରୋ ନଦୀର ସୃଷ୍ଟି ସ୍ଥଳ ରାଇକଳା ସ୍ଥିତ ପିଟିଏ ଲୌହଖଣି, ଏନ୍ଇ ଲୌହଖଣିର ବର୍ଯ୍ୟବସ୍ତୁ ଓ ଫାଇନ୍ସ ବର୍ଷା ଦିନରେ ଖଣିରୁ ବୋହି ଆସି କାରୋ ଉତ୍ପତ୍ତି ସ୍ଥଳରେ ପଡୁଛି। ବହୁ ଅଭିଯୋଗ ପରେ ଗାର୍ଡ ୱାଲ୍ କମ୍ପାନି କରିଛି ସତ ହେଲେ ଅତ୍ୟଧିକ ବର୍ଷା ପ୍ରଭାବରେ ସେ ନଦୀର ଆଖି ବୁଜି ହୋଇ ଗଲାଣି।
ଅନ୍ୟପଟେ ଫାଇନ୍ସ ଯୁକ୍ତ କାଦୁଅ ନିକଟ ଚାଷ ଜମିରେ ପଡ଼ି ଜମି ସବୁ ଚାଷ ଅନୁପୋଯୋଗୀ ହୋଇପଡ଼ିଛି। ଦିନେ ଏହି ନଦୀର ଜଳ ମଣିଷ ନିଜ ଦୈନନ୍ଦିନ କାର୍ଯ୍ୟ ପାଇଁ ବ୍ୟବହାର କରୁଥିବାବେଳେ ବହୁ ପଶୁ ପକ୍ଷୀ ଏହାର ପାଣି ପିଇ ବଞ୍ଚୁଥିଲେ ହେଲେ କମଣ୍ଡ ନିକଟରେ ସ୍ଥାନୀୟ ରୁଙ୍ଗଟା ମାଇନ୍ସ ଲିମିଟେଡ୍ କମଣ୍ଡ ଷ୍ଟିଲ ପ୍ଲାଣ୍ଟର ଆବର୍ଜନା ଓ ରାସାୟନିକ ପାଣି ଏହି ନଦୀରେ ମିଶିବା ଫଳରେ ଏହାର ରଙ୍ଗ କଳା ପଡିବା ସହ ସମ୍ପୂର୍ଣ୍ଣ ଜଳ ବିଷାକ୍ତ ହୋଇପଡ଼ିଛି। ଫଳସ୍ଵରୂପ ସ୍ଥାନୀୟ ଆଦିବାସୀଙ୍କ ପାଇଁ ଏହା ଅନୁପୋଯୋଗୀ ହୋଇସାରିଲାଣି। ବିଶେଷ କରି ପୁଣ୍ଡିପୋଖରୀ ଗାଁ ଠାରେ ପାନୀୟ ଜଳ ପହଞ୍ଚି ନଥିବାବେଳେ ଏହି ନଦୀ ଜଳ ହିଁ ତାଙ୍କର ଜୀବନରେଖା। ହେଲେ ଏ ବିଷମୟ ପାନୀୟଜଳ ବ୍ୟବହାର କରି ଲୋକେ ବହୁ ଚର୍ମ ରୋଗ ସହ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଚାଷ କାର୍ଯ୍ୟ ମଧ୍ୟ ହେଉନାହିଁ। ନିକଟରେ କୋଇଡ଼ା ବିଜେପି ପକ୍ଷରୁ ଆୟୋଜିତ ନମାମି ଗଙ୍ଗେ କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ଟିମ୍ ପରିଦର୍ଶନ କରି ଉଦ୍ବେଗ ପ୍ରକାଶ କରିବା ସହ ନଦୀ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ଵର ନେଇଥିଲେ। ଯଦି ଏ ନଦୀ ଉପରେ ପ୍ରସାଶନ ଓ ଖଣି କର୍ତ୍ତୃପକ୍ଷ ବିଶେଷ ଧ୍ୟାନ ନ ଦିଅନ୍ତି ହେଲେ ଆଗକୁ କାରୋ ନଦୀ ନିଶ୍ଚିତ ଶେଷ ଶଯ୍ୟାରେ ପଡ଼ିବ।
The post ଶେଷ ଶଯ୍ୟାରେ କୋଇଡ଼ା ଜୀବନରେଖା ‘କାରୋ’ first appeared on Sambad.from ଜିଲ୍ଲା | Sambad https://ift.tt/3EgL0Fy
0 Comments