କଟକ:  ଏକଦା ଶିଳ୍ପାନୁଷ୍ଠାନ‌କୁ ନେଇ ଚଳଚଞ୍ଚଳ ଥିଲା ଶିଳ୍ପନଗରୀ ଚୌଦ୍ବାର। ରାଜ୍ୟର ଅନ୍ୟତମ ସମୃଦ୍ଧ ଅଂଚଳ ଭାବେ ପରିଗଣିତ ହେଉଥିଲା। ଚୌଦ୍ବାରକୁ ନେଇ ଅନେକ ସ୍ବପ୍ନ ଦେଖାଯାଉଥିଲା। କିନ୍ତୁ ୨୦୦୧ରେ ଓଟିଏମ୍‌ ଓ ବଲ୍ଲାରପୁର ପେ‌ପର ମିଲ୍‌ରେ ତାଲା ପଡ଼ିବା ପରେ ଆରମ୍ଭ ହେଲା ଦୁର୍ଦ୍ଦଶା। ପରେ ୨୦୧୫ରେ ଅନ୍ୟତମ ସମୃଦ୍ଧ ଶିଳ୍ପାନୁଷ୍ଠାନ ଲିବ୍ରା କାର୍ପେଟ୍‌ ବି ବନ୍ଦ ହୋଇଗଲା। ଏବେ କେବଳ ଚୌଦ୍ବାର ଶିଳ୍ପ ନଗରୀର ପ୍ରତିଷ୍ଠାର ଚିହ୍ନ ଭାବେ ମୁଣ୍ଡ ଟେକି ରହିଛି ଇମ୍ଫା ଗୋଷ୍ଠୀ। କିନ୍ତୁ ଚୌଦ୍ବାର ଯେମିତି ଧୀରେ ଧୀରେ ହତଶ୍ରୀ ହେବାରେ ଲାଗିଛି।  ଚୌଦ୍ବାର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ ପାଇଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଗାନ୍ଧୀଛକ ପରିବା ମାର୍କେଟର ବ୍ୟବସାୟୀ। ବର୍ଷ ବର୍ଷ ଧରି ରାସ୍ତା କଡ଼ରେ ପରିବା ବ୍ୟବସାୟ କରୁଥିବା ଦୋକାନୀଙ୍କ ଦୋକାନକୁ ରାସ୍ତା ସଂପ୍ରସାରଣ ପାଇଁ ୨୦୧୮ରେ ଭାଙ୍ଗି ଦିଆଗଲା। ହେଲେ ପ୍ରଶାସନର ପ୍ରତିଶ୍ରୁତି ପରେ ବି ଆଜି ସୁଦ୍ଧା ପରିବା ବ୍ୟବସାୟୀଙ୍କ ପାଇଁ ଥଇଥାନର ବ୍ୟବସ୍ଥା ହେଲାନାହିଁ। ଭାଙ୍ଗିବା ପୂର୍ବରୁ ସେମାନଙ୍କ ପାଇଁ ଜାତୀୟ ରାଜପଥ ପାର୍ଶ୍ବରେ ଭେଣ୍ଡିଂ ଜୋନ୍‌ କରି ବ୍ୟବସାୟ ପାଇଁ ସୁଯୋଗ ଦେବାକୁ କୁହାଯାଇଥିଲା।

ହେଲେ ତାହା ଏବେ ପବନରେ ହଜି ଯାଇଛି। ଗାନ୍ଧୀଛକ ପରିବା ବ୍ୟବସାୟୀ ମଙ୍ଗୁଳିରୁ ଚୌଦ୍ବାର ଯିବା ପାଇଁ ନିର୍ମାଣ ଚାଲିଥିବା ସର୍ଭିସ ରାସ୍ତା ଉପରେ ଜରି ଟାଣି ବେପାର କରୁଛନ୍ତି। ୨୦୧୮ରେ ଏଠାରେ ୫୫ଜଣ ପରିବା ବ୍ୟବସାୟୀ ବସୁଥିବା ବେଳେ କରୋନା ପାଇଁ ଏବେ ଏହି ସଂଖ୍ୟା ୧୫୦ରୁ ଅଧିକ ହେଲାଣି। ଦୋକାନ କରିବାକୁ ପ୍ରଶାସନ ଜାଗା ‌ଦେଉ ନଥିବା ବେଳେ ରାସ୍ତା ଉପରେ ଖୁଣ୍ଟ ପୋତି ଓ ଜରି ଟାଣି ବ୍ୟବସାୟ କରୁଥିବା ଦୋକାନୀଙ୍କ ଦୁର୍ଦଶା ବଢି ଯାଇଛି। ୫ଶହ ମିଟର ରାସ୍ତା ଉପରେ ଏତେ ସଂଖ୍ୟାରେ ପରିବା ‌ଦୋକାନୀ ବସୁଥିବା ବେଳେ ଏହାର ପରିମଳ ପ୍ରତି ଚୌଦ୍ବାର ପୌର ପରିଷଦ ଆଖି ବୁଜି ଦେଇଛି। ଦୋକାନ ପଛ‌େର କୁଢ କୁଢ ପରିବା ଚୋପା ଗଦା ହେବା ସହିତ ପାଣି ଜମି ରହି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ପରିବା ନେବାକୁ ଆସୁଥିବା ଗ୍ରାହାକ ପରିବା ଚୋପା ଦୁର୍ଗନ୍ଧରେ ଜିଣିଷ କଣିବାକୁ ବାଧ୍ୟ ହେଉଛନ୍ତି। ୪ ବର୍ଷ ଧରି ଜରିପାଲ ତଳେ ବେପାର କରୁଥିବା ଶତାଧିକ ପରିବା ବ୍ୟବସାୟୀଙ୍କ ପ୍ରତି ପ୍ରଶାସନ ଧ୍ୟାନ‌ ଦେବାକୁ ଦାବି ହୋଇଛି।

Sambad

 

ଜାଗା ଦେବାର ପ୍ରତିଶ୍ରୁତି ଭୁଲି ଯାଇଛି ପ୍ରଶାସନ
ଚୌଦ୍ବାର ଗାନ୍ଧୀ ଛକ ପରିବା ମାର୍କେଟରେ ୨୨ ବର୍ଷ ଧରି ବେପାର କରୁଥିଲି। ରାଜପଥ ସଂପ୍ରସାରଣ ପାଇଁ ୨୦୧୮ରୁ ଆମକୁ ଏଠାରୁ ଉଠାଇ ଦିଆଗଲା। ୪ ବର୍ଷ ତଳେ ଦୋକାନ କରିବାକୁ ସ୍ଥାନ ଦେବା ପାଇଁ ପ୍ରଶାସନ ଆମକୁ ପ୍ରତିଶ୍ରୁତି ଦେଇ ତାହା ଏବେ ଭୁଲି ଯାଇଛି। ବର୍ଷା, ଖରା ଓ ଶୀତରେ ଜରି ତଳେ ବେପାର କରିବାକୁ ବାଧ୍ୟ ହେଉଛୁ। ନିର୍ମାଣ ଚାଲିଥିବା ରାସ୍ତା ଉପରେ ଦୋକାନ ଖୋଲିଛୁ। ରାସ୍ତା ହୋଇଗଲେ କେଉଁ ସ୍ଥାନକୁ ଯିବୁ ତାହା ଆମେ ଜାଣିନୁ।
ଲକ୍ଷ୍ମୀଧର ପରିଡା, ପରିବା ବ୍ୟବସାୟୀ ‌

ଦୁର୍ଘଟଣା ପାଇଁ ଗ୍ରାହକଙ୍କ ସଂଖ୍ୟା କମୁଛି
୪ବର୍ଷ ଧରି ଚୌଦ୍ବାର ରାସ୍ତା କାମ ଚାଲିଥିବା ବେଳେ ତାହା ଶେଷ ହେବାର ନାଁ ଧରୁନି। ରାସ୍ତା କଡରେ ପରିବା ଦୋକାନ ଦେଇଥିବାରୁ ଧୂଳି ଆମ ପାଇଁ ବଡ ସମସ୍ୟା କରୁଛି। ସେପଟେ ରାସ୍ତା ପାର୍ଶ୍ବରେ ଡ୍ରେନ ନଥିବାରୁ ବର୍ଷା ଜଳ ନିଷ୍କାସନ ନ ହୋଇ ମାସ ମାସ ଧରି ଏଠାରେ ଜମି ରହୁଛି। ପ୍ରଶାସନ ଆମକୁ ଜାଗା ଦେବାକୁ କହି ଏବେ ଆଉ ତାହା ପାଳନ କରୁନାହିଁ। ରାସ୍ତାର ଅବସ୍ଥା ଖରାପ ଥିବାରୁ ପ୍ରତିଦିନ ଏଠାରେ ଦୁର୍ଘଟଣା ଘଟୁଛି। ଏଭଳି ସ୍ଥିତିରେ ଆମର ଅନେକ ପୁରୁଣା ଗ୍ରାହକ ଏଠାକୁ ଆସିବାକୁ ଡରୁଛନ୍ତି।
ଶାନ୍ତନୁ କୁମାର ସାହୁ, ପରିବା ବ୍ୟବସାୟୀ

ଗୋଟିଏ ସ୍ଥାନରେ ବସିବାର ବ୍ୟବସ୍ଥା ହେଉ
ଚୌଦ୍ବାର ରାସ୍ତା ସଂପ୍ରସାରଣ ହେଲେ ଆମର ବହୁତ ଉପକାର ହେବ ବୋଲି ଆଶା ରଖିଥିଲୁ। ହେଲେ ବହୁ ବର୍ଷ ଧରି ରାସ୍ତା ଶେଷ ହେଉ ନଥିବା ବେଳେ ଆମ ସମସ୍ୟା ବଢି ଚାଲିଛି। ରାସ୍ତା କାମ ପାଇଁ ଆମକୁ ଦୋକାନ କରିବାକୁ ଏ ସ୍ଥାନରୁ ସେ ସ୍ଥାନକୁ ଉଠିବାକୁ ହେଉଛି। କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଆମ ପାଇଁ ବସିବାର ବ୍ୟବସ୍ଥା କରିବାକୁ ପ୍ରଶାସନ ନିକଟରେ ବହୁବାର ଦାବି କରିଛୁ। ମାତ୍ର ତାହାକୁ କେହି ଶୁଣୁ ନାହାନ୍ତି।
ରାକେଶ ବେହେରା, ପରିବା ବ୍ୟବସାୟୀ

The post ପ୍ରତିଶ୍ରୁତି ଦେଇ ଭୁଲିଗଲା ପ୍ରଶାସନ, ଧୂଳିର ଚାଦର ତଳେ ବିଜୁଙ୍କ ସ୍ବପ୍ନର ଚୌଦ୍ବାର first appeared on Sambad.

from ଜିଲ୍ଲା | Sambad https://ift.tt/3Ekcqud