
ଏକଜୁଟ୍ ହୁଅ, ପ୍ରଦୀପଙ୍କୁ ଶିକ୍ଷା ଦିଅ: ଚେଲା କୁମାର
ମମିତା ମେହେର ପ୍ରସଙ୍ଗ ଉଠାଇଲେ, ସରକାରଙ୍କୁ ଘେରିଲେ
ନବରଙ୍ଗପୁର : ନବରଙ୍ଗପୁରର ଜଟାବାଲଠାରେ ରବିବାର ଦିନ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ। ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳୀୟ ନେତା ପ୍ରଦୀପ ମାଝୀଙ୍କ ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସମସ୍ତେ ଏକଜୁଟ୍ ହୋଇ ପ୍ରଦୀପଙ୍କୁ ଉଚିତ ଶିକ୍ଷାଦେବା ପାଇଁ କଂଗ୍ରେସର ରାଜ୍ୟ ପ୍ରଭାରୀ ତଥା ଏଆଇସିସି ସଂପାଦକ ଡ. ଚେଲା କୁମାର ଉପସ୍ଥିତ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ହଜାରହଜାର ଦଳୀୟ କର୍ମୀ ସାମିଲ୍ ହୋଇଥିଲେ।
ରାଜ୍ୟ ପ୍ରଭାରୀ ଡ. ଚେଲା କୁମାର ନିଜ ବକ୍ତବ୍ୟ ଆରମ୍ଭରୁ ହିଁ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ସମାଲୋଚନା କରିଥିଲେ। ଯେଉଁମାନେ ପ୍ରଦୀପଙ୍କ ସହ ଦଳ ଛାଡ଼ି ଯାଇଥିଲେ ଆଜି ସେମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ତେଣୁ ସମସ୍ତେ ଏକଜୁଟ ହୁଅ, ପ୍ରଦୀପ ମାଝୀଙ୍କୁ ଉଚିତ ଶିକ୍ଷା ଦିଅ ବୋଲି ଆହ୍ବାନ ଦେଇଥିଲେ। ନବୀନ ଓ ମୋଦୀ ସରକାର ଗରିବ ବିରୋଧୀ। କଂଗ୍ରେସ ସରକାର ଯାହା ଯୋଜନା କରିଥିଲା ତାହାକୁ ହିଁ ଉଭୟ ସରକାର କାର୍ଯ୍ୟକାରୀ କରୁଛନ୍ତି। ନାରୀ ନିର୍ଯାତନାରେ ଓଡ଼ିଶା ପ୍ରଥମ। ମମିତା ହତ୍ୟା ମାମଲାରେ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ସଂପୃକ୍ତି ରହିଛି, ତେଣୁ କଂଗ୍ରେସ ଆଦୌ ଚୁପ୍ ରହିବ ନାହିଁ। ବରିଷ୍ଠ ନେତା ନରସିଂହ ମିଶ୍ର ମମିତାଙ୍କୁ ନ୍ୟାୟ ଦେବା ପାଇଁ ଉଚ୍ଚ ନ୍ୟାୟାଳୟରେ ଲଢ଼ିବେ ବୋଲି ପ୍ରକାଶ କରିଥିଲେ।

ବଲାଙ୍ଗିର ବିଧାୟକ ତଥା ବରିଷ୍ଠା ନେତା ନରସିଂହ ମିଶ୍ର ଦଳ ପ୍ରତି ବିଶ୍ବାସ ଘାତକତା କରିଥିବା ବ୍ୟକ୍ତିଙ୍କୁ ଲୋକେ ନିଶ୍ଚିତ ଜବାବ ଦେବେ ବୋଲି କହିଥିଲେ। ଯଦି ପ୍ରଦୀପ ଜଣେ ଟାଣୁଆ ନେତା। ତେବେ ବିଜେଡି ତାଙ୍କୁ କାର୍ଯ୍ୟକାରୀ ସଭାପତି କରୁ। ସେହିପରି କଂଗ୍ରେସ କ’ଣ କରିଛି, କ’ଣ କରିବ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚି ପାରୁନି। ତେଣୁ ଅତୀତରେ କଂଗ୍ରେସର ପରାଜୟ ହୋଇଛି। ଏବେ ବାର୍ତ୍ତା ପହଞ୍ଚାଇ ପାରିଲେ ସଫଳତା ନିଶ୍ଚିତ ମିଳିବ। ମମିତା ମେହରଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଗଲା। ସାରା ରାଜ୍ୟରେ ନିଆଁ ଜଳୁଛି। ତଥାପି ମୁଖ୍ୟମନ୍ତ୍ରୀ ପଦେ ହେଲେ କିଛି କହିଲେ ନାହିଁ। ଯେଉଁ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଛନ୍ତି ତାଙ୍କୁ ଦଳରୁ ବହିଷ୍କାର କରାଯାଉ। ୨୧ବର୍ଷ ଶାସନରେ ରାଜ୍ୟବାସୀଙ୍କୁ ଶାନ୍ତି, ମୁକ୍ତି, ପ୍ରଗତି ମିଳିପାରି ନାହିଁ ବୋଲି ଶ୍ରୀ ମିଶ୍ର କହିଥିଲେ। ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ଜଙ୍ଗଲରୁ ଗୋଟିଏ ଗଛ କଟିଲେ ଜଙ୍ଗଲ ନଷ୍ଟ ହେବ ନାହିଁ ବୋଲି ପ୍ରଦୀପଙ୍କୁ କଟାକ୍ଷ କରି କହିଥିଲେ। କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କୁନ୍ଦୁଲି, ଟିକିରି ଓ ଯାଜପୁର ପୀଡ଼ିତାଙ୍କୁ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିଲା ନାହିଁ। କଂଗ୍ରେସ ଆଦିବାସୀ, ଗରିବ ଓ ଚାଷୀଙ୍କ ଦଳ। ବିଜେଡି ସରକାର ପୁଞ୍ଜିପତିଙ୍କ ଦଳ। ୨୦୧୪ ପୂର୍ବରୁ ଯାହା କିଛି ଯୋଜନା କେବିକେ ପାଇଁ ପ୍ରଣୟନ ହୋଇଥିଲା। ସବୁ ବନ୍ଦ ହୋଇଗଲା। ଯେତେ ନେତା ଦଳ ଛାଡ଼ିଲେ ବି କଂଗ୍ରେସ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଥିଲେ।
ସେହିପରି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ପ୍ରଦୀପଙ୍କୁ ଟାର୍ଗେଟ କରି ବେଇମାନଙ୍କୁ ଆଦିବାସୀ ଭୋଟ ଦେବେ ନାହିଁ। ପ୍ରଦୀପଙ୍କ ଭାଇ ଜିଲ୍ଲା ପରିଷଦ ଆସନ ଜିତିପାରିଲେ ନାହିଁ କିମ୍ବା ସେ ନିଜେ ବି ଜିତିପାରିଲେ ନାହିଁ। ତଥାପି ଏଆଇସିସି ପକ୍ଷରୁ ପିସିସି ଓ ଏଆଇସିସିରେ ବଡ଼ ଦାୟିତ୍ବ ଦିଆଯାଇଥିଲା। ଦଳରୁ ଶନି, ରାହୁ ଓ କେତୁ ଚାଲିଗଲେ। ଡାବୁଗାଁର ପୂର୍ବତନ ବିଧାୟକ ଭୁଜବଳ ମାଝୀ ନବରଙ୍ଗପୁର ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବେ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ୨ଟି ସାଂସଦ ଓ ୧୪ଟି ବିଧାୟକ ଆସନ ଆସିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଲକ୍ଷ ଲକ୍ଷ ଲୋକଙ୍କୁ ଛାଡି ନିଜ ସ୍ବାର୍ଥକୁ ପ୍ରଦୀପ ଅଗ୍ରାଧିକାର ଦେଇଛନ୍ତି। ଗରିବ ଓ ଆଦିବାସୀଙ୍କ ଭଲ ପାଇବାକୁ ଛାଡି ଚାଲି ଯାଇଛନ୍ତି ବୋଲି କହିଥିଲେ।
ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ନୂଆପଡା ବିଧାୟକ ଅଧିରାଜ ପାଣିଗ୍ରାହୀ, ଏଆଇସିସି ସାଧାରଣ ସମ୍ପାଦକ ମୋହନ ପ୍ରକାଶ, ସମ୍ପାଦକ ରୁଦ୍ର ରାଜୁ, ନକୁଳ ନାୟକ, ପୂର୍ବତନ ବିଧାୟିକା ମମତା ମାଢ଼ୀ, କୋରାପୁଟ ଡିସିସି ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ପୂର୍ବତନ ବିଧାୟକ ସଦନ ନାୟକ, ଭୁଜବଳ ମାଝୀ, କ୍ଷେମରାଜ ବାଘ, ସୀମାଞ୍ଚଳଗିରି ଉଲ୍ଲାକା, ରାୟଗଡା ଡିସିସି ସଭାପତି ଦୁର୍ଗା ପଣ୍ଡା, ମାଲକାନାଗିରି ସଭାପତି ଗୋବିନ୍ଦ ପାତ୍ର ପ୍ରମୁଖଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ।
The post ନବରଙ୍ଗପୁରରେ ଶକ୍ତି ପ୍ରଦର୍ଶନ କଲା କଂଗ୍ରେସ first appeared on Sambad.from ଜିଲ୍ଲା | Sambad https://ift.tt/3BxLs0f
0 Comments