
ଇବ୍ଥର୍ମାଲ : ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ବନ୍ଧବାହାଲ ଫାଣ୍ଡି ଅନ୍ତର୍ଗତ କଲୋନି ସ୍ଥିତ ସୁପର ମାର୍କେଟରେ ରାତି ପ୍ରାୟ ୮ଟା ୩୦ ରୁ୯ ଟା ଭିତରେ ତିନି ଦୁର୍ବୃତ୍ତ ଗୁଳି ଫୁଟାଇ ଲୁଟ୍ ଉଦ୍ୟମ କରିଥିଲେ। ବଜାରରେ ଲୋକ ଥିବା ବେଳେ ଦୁର୍ବୃତ୍ତମାନେ ସୁପର ମାର୍କେଟ ପରିସରକୁ ପଶି ୩ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ସେମାନେ ଏହି ବଜାରରେ ଥିବା ଏକ ଗହଣା ଦୋକାନରୁ ଲୁଟ୍ କରିବାର ଯୋଜନା କରିଥିଲେ। ଏପରିକି ଗୁଳି ଚଳାଇ ଲୋକମାନଙ୍କୁ ଭୟଭୀତ କରାଇ ଗହଣା ଦୋକାନ ମାଲିକଙ୍କ ଏକ ବ୍ୟାଗ୍ ଛାଡ଼ାଇ ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ ଆଜି ଲକ୍ଷ୍ମୀପୂଜା ଭସାଣି ଥିଲା। ଲକ୍ଷ୍ମୀ ମାର୍କେଟ ସ୍ଥିତ ଓଡ଼ିଶା ଜ୍ବେଲର୍ସର ମାଲିକ ଧୀରଜ ପ୍ରସାଦ (୪୦) ଦୋକାନ ବନ୍ଦ କରି ସୁପର ମାର୍କେଟରେ ଥିବା ସୁନା ଦୋକାନ ଓଡ଼ିଶା ଅଳଙ୍କାରରେ ଥିବା ତାଙ୍କ ଭାଇ ଦୀପକ ପ୍ରସାଦ (୩୭)ଙ୍କ ପାଖକୁ ଯାଇଥିଲେ। ସେଠାରୁ ଦୁଇ ଭାଇ ଦୋକାନ ବନ୍ଦ କରି ବେଲପାହାଡ଼ ଯିବାକୁ ବାହାରିବା ବେଳେ ଅଚାନକ ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ଘେରି ବ୍ୟାଗ୍ ଛଡ଼ାଇବାର ପ୍ରୟାସ କରିଥିଲେ। ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ଦୁର୍ବୃତ୍ତମାନେ ୩ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ। ଏଥିରେ ଦୀପକ ଓ ଧୀରଜ ଭୟଭୀତ ହୋଇଯିବାରୁ ଦୁର୍ବୃତ୍ତମାନେ ସେମାନଙ୍କଠାରୁ ଏକ ବ୍ୟାଗ୍ ଝାମ୍ପି ନେଇ ଜଗନ୍ନାଥ ମନ୍ଦିର ରାସ୍ତା ଦେଇ ବାଇକ୍ରେ ଫେରାର୍ ହୋଇଯାଇଥିଲେ। ତିନିଜଣ ହେଲମେଟ୍ ପିନ୍ଧିଥିବା ବେଳେ ଓଡ଼ିଆରେ କଥାହେଉଥିବା କୁହାଯାଇଛି। ଧୀରଜଙ୍କ କହିବା ଅନୁସାରେ ସେମାନେ ମୋବାଇଲ ଛଡାଇନେଇ ଯାଇଥିଲେ ମଧ୍ୟ ପରେ ଫିଙ୍ଗି ଦେଇଥିଲେ।
ଖବରପାଇ ଅଧଘଣ୍ଟା ଭିତରେ ବ୍ରଜରାଜନଗର ଏସ୍ଡିପିଓ ଦିଲୀପ ଦାସ, ବନହରପାଲି ଆଇଆଇସି ରଶ୍ମିତା ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଦୁର୍ବୃତ୍ତମାନେ ଯେଉଁ ବ୍ୟାଗ ନେଇଯାଇଛନ୍ତି ସେଥିରେ ଦୋକାନର ଚାବିଥିବା ଧୀରଜ କହିଛନ୍ତି। ପୁଲିସ ଏବେ ବି ତନାଘନା ତଦନ୍ତ ଚଳାଇଛି। ଖବର ପାଇବା ପରେ ବନ୍ଧବାହାଲରେ ଭୟର ବାତାବରଣ ଖେଳି ଯାଇଛି। ଏଠାରେ ଫାଣ୍ଡି ଥାଇ ଓ ଲୋକଙ୍କ ଗହଳି ଥିବା ସତ୍ତ୍ବେ ଦୁର୍ବୃତ୍ତମାନେ ଲୁଟ୍ କରିବାକୁ ଉଦ୍ୟମ କରିବା ଚିନ୍ତାଜନକ ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ପୁଲିସ ପାଟ୍ରୋଲିଂ ଅଭାବକୁ ଲୋକେ ଦାୟୀ କରିଛନ୍ତି। ଯଦି ପୁଲିସ ଠୋସ୍ ପଦକ୍ଷେପ ନ ନିଏ ତାହେଲେ ଲୁଟେରାଙ୍କ ମନୋବଳ ବଢ଼ିଯିବ ବୋଲି ଉପସ୍ଥିତ ଜନସାଧାରଣ ମତ ପ୍ରକାଶ କରିଛନ୍ତି।
The post ବନ୍ଧବାହାଲରେ ଗୁଳି ଫୁଟାଇ ଗହଣା ଦୋକାନରୁ ଲୁଟ୍ ଉଦ୍ୟମ first appeared on Sambad.from ଜିଲ୍ଲା | Sambad https://ift.tt/3pBKc9Y
0 Comments