ଭବାନୀପାଟଣା,: କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ୍‌ର ଗୁପ୍ତକୋଠରିକୁ ନେଇ ଏବେ ଚର୍ଚ୍ଚା! ଏହା କୁଆଡ଼େ ଏକ ଯୌନ କେଳେଙ୍କାରୀର ଆଡ୍ଡା, ଯେଉଁଠି ନେତା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଆପ୍ୟାୟିତ ହେଉଥିଲେ। ଏହାର ସୁଯୋଗ ନେଇ ଅହେତୁକ ଅନୁକମ୍ପା ଓ ସାହାଯ୍ୟ ସହଯୋଗ ହାସଲ କରୁଥିଲେ ସ୍କୁଲ୍‌ର ମାଲିକ ଗୋବିନ୍ଦ ସାହୁ। ଏହି କାରଣରୁ ସରକାରୀ ଯୋଜନାର ଅର୍ଥ ମହାଲିଙ୍ଗ କଲେଜରେ ବିନିଯୋଗ ହେଉଥିଲା। ଏପର୍ଯ୍ୟନ୍ତ ପୁଲିସ ଏହି ଗୁପ୍ତ କୋଠରିର ଗୁମର ଖୋଲି ନଥିବା ଯୋଗୁଁ ଅନେକ ରହସ୍ୟ ଏବେ ମଧ୍ୟ ଉନ୍ମୋଚିତ ହୋଇପାରିନାହିଁ। ନିଖୋଜ୍‌ ସ୍କୁଲ୍‌ ଅଧ୍ୟକ୍ଷା ମମିତା ମେହେର୍‌ଙ୍କ ପରିବାର ପକ୍ଷରୁ ସଙ୍ଗୀନ୍‌ ଅଭିଯୋଗ ଅଣାଯିବା ପରେ ଗୁପ୍ତ କୋଠରିର କଳାକାର୍‌ନାମା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।

ମହାଲିଙ୍ଗ କଲେଜ ମୁଖ୍ୟ ଗେଟ୍‌ର ବାମ ପାର୍ଶ୍ବରେ ଯୁକ୍ତ ଦୁଇ ହଷ୍ଟେଲରେ ରହିଛି ଏହି ଗୁପ୍ତ କୋଠରି । କୁହାଯାଉଛି ଯେ ଏହି ଗୁପ୍ତ କୋଠରି ହେଉଛି ଅନେକ କଳାକାରନାମାର ମୂକସାକ୍ଷୀ। ମାର୍କ ବଢ଼ାଇବା ପାଇଁ ପ୍ରଲୋଭିତ କରି ଛାତ୍ରୀମାନଙ୍କୁ ଏଠାରେ ନେତା, ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭେଟି ଦେଉଥିଲେ। ଏଠାରେ ଆପ୍ୟାୟିତ ହେବାପରେ କଲେଜ ଓ ଏହାର ମାଲିକ ଗୋବିନ୍ଦଙ୍କ ପ୍ରତି ଅକୁଣ୍ଠ ସହଯୋଗ କରୁଥିଲେ ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତି। ସ୍ଥାନୀୟ ଲୋକମାନେ ଏ ସମ୍ପର୍କରେ ଜାଣୁଥିଲେ। ମାତ୍ର ଗୋବିନ୍ଦ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥିବାରୁ ଏବଂ ତାଙ୍କ ଉପରେ ନେତା, ମନ୍ତ୍ରୀଙ୍କ ଆଶୀର୍ବାଦ ରହିଥିବାରୁ ପ୍ରତିବାଦ କରିବାକୁ ସେମାନେ ସାହସ ଜୁଟାଇ ପାରୁନଥିଲେ। ସେହିଭଳି, ଲୋକଲଜ୍ଜା ଭୟରେ ଛାତ୍ରୀମାନେ ମଧ୍ୟ ପାଟି ଖୋଲିବାକୁ ସାହସ କରୁନଥିଲେ।

ଏହାର ସୁଯୋଗରେ କଲେଜକୁ ଅକୁଣ୍ଠିତ ସହଯୋଗ କରାଯାଉଥିଲା। ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ସରକାରଙ୍କ ଡବ୍ଲ୍ୟୁଡିସି, କେବିକେ, ସାଂସଦ ପାଣ୍ଠି, ବିଧାୟକ ପାଣ୍ଠିର ମାଳ ମାଳ ଉନ୍ନୟନ କାର୍ଯ୍ୟ ଏହି କଲେଜକୁ ଦିଆଯାଇଛି। ଖାଲି ସେତିକି ନୁହେଁ, ଆଫିଲେସନ୍‌ ନ ଥାଇ ବି ମହାଲିଙ୍ଗର ଡିଗ୍ରି କଲେଜକୁ ସରକାରୀ ସ୍ବୀକୃତି ମିଳିଛି। ୨୦୧୪-୧୫ ମସିହା ପର୍ଯ୍ୟନ୍ତ ମହାଲିଙ୍ଗର ଡିଗ୍ରି କଲେଜକୁ ଆଫିଲେସନ ମିଳିଥିଲା। ବର୍ତ୍ତମାନ ୬ ବର୍ଷ ଧରି ଆଫିଲେସନ ମଧ୍ୟ ନାହିଁ। କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯-୨୦ ମସିହାର ସ୍ବୀକୃତି ରହିଛି। କୌଣସି କାଗଜପତ୍ର ନଥାଇ ଡିଗ୍ରି କଲେଜରେ ପ୍ରାୟ ୩୨୦ ମଞ୍ଜୁରିପ୍ରାପ୍ତ ସିଟ୍‌ ରହିଛି। କଲେଜର ଆଫିଲେସନ ନଥିବାବେଳେ ପରୀକ୍ଷା କେନ୍ଦ୍ର ମଧ୍ୟ କରାଯାଉଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ଏହି କଲେଜର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଯୋଗୁଁ ଦାୟିତ୍ବରେ ଥିବା ସୁପରିନ୍‌ଟେଣ୍ଡେଣ୍ଟ ବିଜୟ ଜେନା ଗିରଫ ହୋଇ ଜେଲ୍‌ ଯାଇଥିଲେ। ଏହି କେନ୍ଦ୍ରକୁ କପି କେନ୍ଦ୍ର ଭାବରେ ଉଚ୍ଚଶିକ୍ଷା ବିଭାଗ ଘୋଷଣା କରିଥିଲା। କିନ୍ତୁ ରାଜନୈତିକ ପ୍ରଭାବ ଯୋଗୁଁ ଏଠାରେ ଏବେ ମଧ୍ୟ ଯୁକ୍ତ ଦୁଇ ପରୀକ୍ଷା ହେଉଛି।

ଗୋବିନ୍ଦ ଆଉ ଏକ ଘଟଣାରେ ସମ୍ପୃକ୍ତ ଥାଇ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ୧୯୯୯-୨୦୦୦ ମସିହାରେ ଲେତେରଠାରୁ ମକରାଗୁଡ଼ା ପୋଲ ନିର୍ମାଣ କାର୍ଯ୍ୟ କରୁଥିଲେ। ସେତେବେଳେ ତାଙ୍କ ଭାଇ ଜଣେ ଯୁବତୀଙ୍କୁ ଟ୍ରାକ୍ଟର ଚପାଇ ଦେଇଥିଲା। ଏହି ଘଟଣାରେ ଉତ୍ତ୍ୟକ୍ତ ଲୋକେ ଗୋବିନ୍ଦ ସାହୁଙ୍କ ଘର ପୋଡ଼ି ଦେବା ସହିତ ଥାନାରେ ମଧ୍ୟ ନିଆଁ ଲଗାଇଥିଲେ। ଏହି ଘଟଣାରେ ୨୦ରୁ ୨୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ବି‌ଭିନ୍ନ ସମୟରେ ପୁଲିସର ଭୟ ଦେଖାଉଥିବା ଯୋଗୁ ସାଧାରଣ ଲୋ‌କେ ତାଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ସାହସ ମଧ୍ୟ କରନ୍ତି ନାହିଁ। ନେତାମନ୍ତ୍ରୀଙ୍କ ଆତଯାତ ଯୋଗୁଁ ପୁଲିସଠାରୁ ପ୍ରଶାସନ ପର୍ଯ୍ୟନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡରନ୍ତି। ଫଳରେ ଗୋବିନ୍ଦ ସାହୁଙ୍କ ଗୁପ୍ତ କୋଠରିର ‌କଳାକାରନାମା ଲୋକ ଲୋଚନକୁ ଆସିପାରି ନାହିଁ। ପୁଲିସ ଏହି ଗୁପ୍ତ କୋଠରିର ରହସ୍ୟ ଉନ୍ମୋଚନ କଲେ ବହୁ ଗୁମର ଫିଟିବ ବୋଲି ସାଧାରଣରେ ଦାବି ହୋଇଛି। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ନାମ ଗୋପନ ରଖିବା ସର୍ତ୍ତରେ ‘ସମ୍ବାଦ’କୁ କହିଛନ୍ତି, ‘ଗୋବିନ୍ଦଙ୍କ ହାତରେ ସ୍ଥାନୀୟ ଅଞ୍ଚଳ ରାଜ‌ନୈତିକ ରିମୋଟ୍‌ ରହିଛି। ଭୋଟ୍‌ ସମୟରେ ବି ସେ ପ୍ରଭାବଶାଳୀ ଭୂମିକା ନିର୍ବାହ କରିଥା’ନ୍ତି। ସେଥିଯୋଗୁଁ ପୁଲିସ ଓ ପ୍ରଶାସନକୁ ପ୍ରଭାବିତ କରି ସାଧାରଣ ଲୋକଙ୍କୁ ଭୟଭୀତ କରୁଥିବାରୁ ଲୋକେ ମୁହଁ ଖୋଲୁନଥିଲେ। ’ ଉଲ୍ଲେଖଯୋଗ୍ୟ ଯେ ସ୍କୁଲ୍‌ ଅଧ୍ୟକ୍ଷା ମମିତା ମେହେର୍‌ ନିଖୋଜ ହେବା, ମାଲିକ ଗୋବିନ୍ଦ ସାହୁ ଗିରଫ ହେବା ଏବଂ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିବା ସହିତ ଏବେ ଏହି ଗୁପ୍ତ କୋଠରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

The post ଚର୍ଚ୍ଚାରେ ମହାଲିଙ୍ଗ କଲେଜର ଗୁପ୍ତ କୋଠରି: ଚାଲିଥିଲା ଯୌନ କେଳେଙ୍କାରୀ! first appeared on Sambad.

from ଜିଲ୍ଲା | Sambad https://ift.tt/3piZgt2