
ସମ୍ବଲପୁର: ବୁର୍ଲା ଭିମ୍ସାରରେ ଡାକ୍ତରଙ୍କ ଅବହେଳା ଯୋଗୁ ଚାଲିଗଲା ଅଭିଜିତ ପୂଜାହାରୀଙ୍କ ଜୀବନ। ଡେଙ୍ଗୁରୋଗୀଙ୍କ ଚିକିତ୍ସା ପାଇଁ ମାଗଦର୍ଶିକାର ବି ଅନୁପାଳନ କରାଗଲା ନାହିଁ। ଏକଦମ୍ ଖାମଖିଆଲି ଭାବେ ଚାଲିଥିଲା ଚିକିତ୍ସା। ଠିକ୍ ଭାବେ ଚିକିତ୍ସା ହୋଇଥିଲେ ଅକାଳରେ ମୋ ପୁଅର ଜୀବନ ଯାଇନଥାନ୍ତା ବୋଲି ଅଭିଜିତଙ୍କ ପିତା ଅଭିଯୋଗ ଆଣିଛନ୍ତି।
ସୁବୁର୍ଣ୍ଣପୁର ଜିଲ୍ଲା ବିନିକା ନୂଆବଜାର ନିବାସୀ ସାମ୍ବାଦିକ ଅକ୍ଷୟ ପୂଜହାରୀଙ୍କ ଏକମାତ୍ର ପୁଅ ଅଭିଜିତ ଥିଲେ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ। ଖେଳକୁଦ, ନୃତ୍ୟଗୀତ ସବୁଥିରେ ସେ ଥିଲେ ନିପୁଣ। ଭବିଷ୍ୟତକୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ ଅଭିଜିତ ଆଉ ତାଙ୍କ ପରିବାର। ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ଜନସେବା କରିବାକୁ ସେ ଲକ୍ଷ୍ୟ ରଖିଥିଲେ। ପରୀକ୍ଷା ପ୍ରସ୍ତୁତି ପାଇଁ ଗତ ୬ ମାସ ହେଲା ଦିଲ୍ଲୀରେ ରହୁଥିଲେ। ପରୀକ୍ଷାରେ ସଫଳତା ପ୍ରାପ୍ତି ପାଇଁ ସେ ଦିନରାତି ଏକ କରି ଦେଇଥିଲେ। ମାତ୍ର ଗତ ୧୦ ତାରିଖ ଦିନ ସେ ଅଚାନକ ଅସୁସ୍ଥତା ଅନୁଭବ କରିବା ସହିତ ଡେଂଗୁରେ ଆକ୍ରାନ୍ତ ହୋଇଥିବା ସନ୍ଦେହ ହୋଇଥିବାରୁ ପରିବାର ଲୋକଙ୍କୁ ଖବର ଦେଇଥିଲେ। ୧୧ ତାରିଖ ଦିନ ସେ ବିମାନ ଯୋଗେ ଦିଲ୍ଲୀରୁ ଝାରସୁଗୁଡ଼ା ଆସିବା ପରେ ସେଠାରୁ ବୁର୍ଲା ଭିମ୍ସାର ଆସି ରାତି ୮ଟାରେ ମେଡିସିନ ବିଭାଗର ପ୍ରଫେସର ଡାକ୍ତର ପି.କେ. ମହାନ୍ତିଙ୍କୁ ଦେଖାଇ ଥିଲେ। ପ୍ରଫେସର ମହାନ୍ତିଙ୍କ ପରାମର୍ଶକ୍ରମେ ବୁର୍ଲା ଗୁପ୍ତା ଡାଇଗ୍ନୋଷ୍ଟିକ୍ରେ ବିଭିନ୍ନ ପରୀକ୍ଷା ପାଇଁ ନମୁନା ଦିଆଯାଇଥିଲା। ୧୨ ତାରିଖ ସକାଳେ ନମୁନା ରିପୋର୍ଟ ମିଳିବା ପରେ ଅଭିଜିତ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। ପୂର୍ବାହ୍ନ ୧୦ଟାରେ ପ୍ରଫେସର ମହାନ୍ତି ରିପୋର୍ଟ ଦେଖିବା ପରେ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପରାମର୍ଶ ଦେବା ବଦଳରେ ଘରେ ରହି ଔଷଧ ଖାଇବାକୁ କହିଥିଲେ। ରିପୋର୍ଟରେ ସ୍ବାଭାବିକଠାରୁ ପ୍ଲାଟଲେଟ୍ ସଂଖ୍ୟା କମ୍ ରହିଥିଲା। ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ଡେଂଗୁ ଚିହ୍ନଟ ହେବା ପରେ ରୋଗୀ ଡାକ୍ତରଙ୍କ ନିରୀକ୍ଷଣରେ ରଖାଯିବା ପାଇଁ ଉଲ୍ଲେଖ ରହିଛି। ଏହି ସମୟରେ ନିୟମିତ ବ୍ୟବଧାନରେ ନମୁନା ପରୀକ୍ଷା ସହିତ ଉପଯୁକ୍ତ ଚିକିତ୍ସା ଯୋଗାଇବାର ଆବଶ୍ୟକତା ରହିଥାଏ। ମାତ୍ର, ସେଭଳି କରାଗଲା ନାହିଁ। ତାଙ୍କୁ ଘର ରହିବାକୁ ପରାମର୍ଶ ଦିଆଗଲା। ଅପରପକ୍ଷରେ ବିନିକା ଘରେ ଥିବା ଅଭିଜିତଙ୍କ ସ୍ବାସ୍ଥ୍ୟବସ୍ଥା ୧୨ ତାରିଖ ଅପରାହ୍ଣ ୪ଟାରେ ଅଧିକ ବିଗିଡ଼ିଗଲା। ପରିବାର ଲୋକ ତୁରନ୍ତ ଚିକିତ୍ସା ପାଇଁ ବଲାଙ୍ଗୀରକୁ ନେଇଗଲେ। ସେଠାରେ ରାତି ପ୍ରାୟ ସାଢ଼େ ୮ଟାରେ ଅଭିଜିତଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।
ଅଭିଜିତଙ୍କ ମୃତ୍ୟୁ ସହିତ ତାଙ୍କ ସ୍ବପ୍ନ କେବଳ ଚୁରମାର ହୋଇଗଲା ତାହା ନୁହେଁ, ତାଙ୍କ ପରିବାରକୁ ବି ବଡ଼ ଶକ୍ତ ଧକ୍କା ଲାଗିଛି। ଅଭିଜିତଙ୍କୁ ଅକାଳ ବିୟୋଗକୁ ନେଇ ସମଗ୍ର ବିନିକା ଅଂଚଳରେ ଶୋକର ଲହରୀ ଖେଳି ଯାଇଛି। ପ୍ରଫେସର ମହାନ୍ତି ଠିକ୍ ପରାମର୍ଶ ଦେଇଥିଲେ ତାଙ୍କ ପୁଅର ମୃତ୍ୟୁ ହୋଇନଥାନ୍ତା ବୋଲି ଅଭିଜିତଙ୍କ ବାପା ଅଭିଯୋଗ ଆଣିଛନ୍ତି। ପୁଅର ଅସମୟରେ ମୃତ୍ୟୁ ପାଇଁ ପ୍ରଫେସରଙ୍କ ମହାନ୍ତି ଅବହେଳାକୁ ଦାୟୀ କରିବା ସହିତ ସେ ଏଥି ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଇ-ମେଲ୍ ଏବଂ ଟ୍ବିଟ୍ କରି ନ୍ୟାୟ ଭିକ୍ଷା କରିଛନ୍ତି। ଏ ସଂକ୍ରାନ୍ତରେ ପ୍ରଫେସର ମହାନ୍ତିଙ୍କ ସହିତ ଯୋଗାଯୋଗ ପାଇଁ ମୋବାଇଲ ଫୋନ୍ ଯୋଗେ ବାରମ୍ବାର ଚେଷ୍ଟା କରାଯାଇଥିଲେହେଁ ସେ କଲ୍ ରିସିଭ୍ ନକରିବାରୁ ତାଙ୍କ ପ୍ରତିକ୍ରିୟା ନିଆଯାଇପାରି ନାହିଁ।
The post ଡାକ୍ତରଙ୍କ ଅବହେଳା ନେଲା ଅଭିଜିତଙ୍କ ଜୀବନ! first appeared on Sambad.from ଜିଲ୍ଲା | Sambad https://ift.tt/3DUPbXf
0 Comments