
ସିନ୍ଧେକେଲା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ଜାନୁଆରି ୧୫ ତାରିଖ ଦିନ ବଲାଙ୍ଗୀର ଗସ୍ତରେ ଆସିଥିବା ସମୟରେ ରାଣୀପୁର ଝରିଆଲ ପୀଠର ବିକାଶ ପାଇଁ ଘୋଷଣା କରିଥିଲେ। ଘୋଷଣାର ୩୩ ମାସର ପରେ ଗତ କିଛିଦିନ ତଳେ ରାଣୀପୁର ଝରିଆଳସ୍ଥିତ ସୋମେଶ୍ବର ମହାଦେବଙ୍କ ମନ୍ଦିରରେ କେମିକାଲ ପ୍ରଲେପ ଦିଆଯିବା କାମ ଆରମ୍ଭ ହୋଇଛି। ଏହା ଦ୍ବାରା ପଥରକୁ ପଥର ଭଲ ଭାବେ ଯୋଡ଼ି ହୋଇ ରହିବ ଓ ପାଣି ଲିକେଜ ହେବ ନାହିଁ। ସୋମବାର ଏହି କାମର ତଦାରଖ କରିବାକୁ ରାଣୀପୁର ଝରିଆଳ ପହଞ୍ଚିଥିଲେ ଆର୍କିଓଲୋଜି ଅଫ୍ ଇଣ୍ଡିଆ ଓଡ଼ିଶା ଶାଖାର ଉପଅଧୀକ୍ଷଣ ଯନ୍ତ୍ରୀ ସି. ଆର୍. ଦାସ।

ଆଗକୁ ଏଠାରେ ପିଇବା ପାଣି ଓ ବିଦ୍ୟୁତକରଣ ପାଇଁ ଯୋଜନା ଥିବା କହିଛନ୍ତି ଶ୍ରୀ ଦାସ। ଏହି ଅବସରରେ ପାନୀୟ ଜଳର ସୁବ୍ୟବସ୍ଥା ପାଇଁ ବଙ୍ଗୋମୁଣ୍ଡା ବିଡିଓ ରିପୁନାଥ ସୁନାଙ୍କ ସହ ଫୋନ୍ ଯୋଗେ କଥା ହୋଇ ଆର୍ଡବ୍ଲୁଏସ୍ଏସ୍ର ଯନ୍ତ୍ରୀଙ୍କ ସହାୟତାରେ ଏକ ଅଟକଳ ଦେବାକୁ ଅନୁରୋଧ କରିଥିଲେ। ସେହିପରି ଟିଟିଲାଗଡ଼ ବିଦ୍ୟୁତ ବିଭାଗ ଏସ୍ଡିଓ ବିବେକାନନ୍ଦ ଦୀକ୍ଷିତଙ୍କୁ ମଧ୍ୟ ଏକ ଅଟକଳ ପ୍ରସ୍ତୁତ କରି ଦେବା ପାଇଁ ଫୋନ୍ ଯୋଗେ କହିଥିଲେ। ତାଙ୍କ ସହିତ ଆର୍କିଓଲୋଜି ବିଭାଗର ଜେଇଙ୍କ ସହ ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତଥିଲେ। ଖବର ପାଇ ରାଣୀପୁର ଝରିଆଳ ମନ୍ଦିର କମିଟିର ମାଣିକ ଚନ୍ଦ ଜୈନ, ବିଶିଷ୍ଟ ସମାଜସେବୀ ଅନିଲ ତ୍ରିପାଠୀ, କ୍ଷୀରସିନ୍ଧୁ ଭୋଇ, ଲଳିତ ସାହୁ ପ୍ରମୁଖ ପହଞ୍ଚି ଆଗକୁ କେମିତି ବଗିଚା, ରୋପ୍ୱେ ଆଦି କାମ ହୋଇପାରିବ ସେ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀ ଦାସ ଶୌଚାଳୟ କାମ ଅସମ୍ପୂର୍ଣ୍ଣ ଥିବା, ନଳକୂଅ କାର୍ଯ୍ୟକ୍ଷମ ହୋଇ ନଥିବା ଆଦି ଦେଖି କାମ ତ୍ବରାନ୍ବିତ କରାଯିବ ବୋଲି କହିଥିଲେ।
The post ରାଣୀପୁର ଝରିଆଲ୍ ମନ୍ଦିରରେ କେମିକାଲ୍ ପ୍ରଲେପ କାମ ଆରମ୍ଭ, ତଦାରଖ ପାଇଁ ପହଞ୍ଚିଲେ ଉପଅଧୀକ୍ଷଣ ଯନ୍ତ୍ରୀ first appeared on Sambad.
from ଜିଲ୍ଲା | Sambad https://ift.tt/3b9c50G
0 Comments