
ହରଭଙ୍ଗା : ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ନୟାଗଡ଼ ଡିଭିଜନର କୁଶଙ୍ଗ ରେଞ୍ଜ ଅନ୍ତର୍ଗତ ମାରଡ଼ା ନିକଟସ୍ଥ ଅଭୟାରଣ୍ୟରେ ବନ୍ଧୁକ ଧରି ଶିକାର ଉଦ୍ଦେଶ୍ୟରେ ବୁଲୁଥିବା ଜଣେ ଯୁବକଙ୍କୁ ପାଟ୍ରୋଲିଂ କରୁଥିବା ବନ୍ୟପ୍ରାଣୀ କର୍ମଚାରୀ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ଜଣକ ହେଲେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ବଡ଼ ବାଣପୁର ଗ୍ରାମର ମାନସ ପ୍ରଧାନ(୩୨)।
ମାନସ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡ଼ା ଗ୍ରାମରେ ବିବାହ କରିଛନ୍ତି। ଗତରାତି ପ୍ରାୟ ସାଢ଼େ ୧୦ ବେଳେ ସେ ଏକ ଦେଶୀ ବନ୍ଧୁକ ନେଇ ଶିକାର ପାଇଁ ଅଭୟାରଣ୍ୟରେ ବୁଲୁଥିବା ସମୟରେ କୁଶଙ୍ଗ ରେଞ୍ଜର ପାଟ୍ରୋଲିଂ ଷ୍ଟାଫ ତାଙ୍କୁ ଗିରଫ କରିଥିଲେ। ତାଙ୍କ ନିକଟରୁ ବନ୍ଧୁକ ସହ ୩ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ସେ ନିଜ ଶ୍ବଶୁର ମାରଡ଼ା ଗ୍ରାମର ଶତ୍ରୁଘନ ପ୍ରଧାନଙ୍କ ଘରକୁ ଆସି ଶିକାର ପାଇଁ ଜଙ୍ଗଲକୁ ବାହାରିଥିବା ବନ୍ୟାପ୍ରାଣୀ ଫରେଷ୍ଟର ଲକ୍ଷ୍ମୀ ନାରାୟଣ ପଣ୍ଡା ସୂଚନା ଦେଇଛନ୍ତି। ଏ ବାବଦରେ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଶୁକ୍ରବାର ଚାରିଛକ ସ୍ଥିତ ହରଭଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ହାଜର କରା ଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହଜାତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।
The post ଶ୍ୱଶୁର ଘରକୁ ଆସିଥିବା ଜ୍ୱାଇଁ ଗିରଫ, ଶିକାର ପାଇଁ ବନ୍ଧୁକ ଧରି ବୁଲୁଥିଲେ first appeared on Sambad.from ଜିଲ୍ଲା | Sambad https://ift.tt/3CtgGXV
0 Comments