
ବିଂଝାରପୁର : ଚାଷୀଙ୍କ ଉପରେ ଦାଉ ସାଧିଛି ଅଦିନିଆ ବର୍ଷା। ବିଲରେ କଟାହୋଇ ପଡ଼ିଥିବା ବିଅଳି ଧାନ ଏବେ ଗଜା ହୋଇଯାଇଛି। ପୁଣି ଲଘୁଚାପ ବର୍ଷିବ ବୋଲି ପାଣିପାଗ ବିଭାଗର ସୂଚନା ପରେ ଚାଷୀ ମହଲରେ ଭାଳେଣି ପଡ଼ିଛି। ବିଂଝାରପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଅଳି ଧାନ ବିଲରେ ପଡ଼ିରହି ଗଜା ହୋଇଥିଲେ ମଧ୍ୟ କୃଷି ବିଭାଗ ନିକଟରେ କୌଣସି ଖବର ନାହିଁ।
କଲ୍ୟାଣପୁର ପଞ୍ଚାୟତର ରୁଦ୍ରପୁତ ଓ ଫତେପୁର ପଞ୍ଚାୟତର ନାଉପାଳ ଓ କାହ୍ନପୁର ରାଜସ୍ଵ ଗ୍ରାମରେ ବହୁ ଚାଷୀ ବିଅଳି ଧାନ ଚାଷ କରିଛନ୍ତି। କ୍ଷେତରେ ପାଚିଲା ଧାନ କଟାହୋଇ ପଡିଥିଲା। ଅଦିନିଆ ବର୍ଷାରେ ଧାନ ଗଜା ହୋଇଛି। ବିଂଝାରପୁର କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉ ନଥିବା ଚାଷୀ ହାଡିବନ୍ଧୁ ସେଠୀ, ବଂଶୀଧର ଜେନା, ଦଶରଥ ମଲିକ, ତ୍ରିଲୋଚନ ମଲିକ, ବଳରାମ ସେଠୀ, ନଟବର ସେଠୀ, ଗଦାଶ୍ୟାମ ମଲିକ, ନିରଂଜନ ମଲିକ, ମାନଗୋବିନ୍ଦ ମଲିକ, କ୍ଷୀରୋଦ ମଲିକ, ରାଧାଶ୍ୟାମ ମଲିକ, ମହେଶ୍ଵର ସେଠୀ, ଲକ୍ଷ୍ମୀଧର ମଲିକ ପ୍ରମୁଖ ଅଭିଯୋଗ କରିଛନ୍ତି। କ୍ଷୟକ୍ଷତି ଆକଳନ କରି ବିପନ୍ନ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ କଲ୍ୟାଣପୁର ସରପଞ୍ଚ ସୁନୀତା ନାୟକ ଦାବି କରିଛନ୍ତି। ଏ ସଂପର୍କରେ ସହ କୃଷି ଅଧିକାରୀ ସଂଜୀବ କୁମାର ସାହୁଙ୍କୁ ପଚାରିବାରୁ ବିଂଝାରପୁର ଅଞ୍ଚଳରେ ବିଅଳି ଧାନ ଖୁବ୍ କମ୍ ପରିମାଣରେ ଚାଷ କରାଯାଇଛି ବୋଲି କହିବା ସହ ବର୍ଷାର ପରିମାଣ ମଧ୍ୟ କମ୍ ଥିଲା ବୋଲି କହିଛନ୍ତି। ତା’ଛଡା ଧାନକୁ ବିଲରେ ପକେଇ ରଖିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।
The post ବିଲରେ କଟାହୋଇ ପଡ଼ିଥିବା ଧାନ ବର୍ଷାରେ ଗଜା ହୋଇଗଲା first appeared on Sambad.from ଜିଲ୍ଲା | Sambad https://ift.tt/2XXK9tX
0 Comments