
ମାଲକାନଗିରି: ମାଲକାନଗିରି ଜିଲ୍ଲାର ପକ୍ଷୀରାଣୀ ଭାବେ ପରିଚିତ ଦୀପାରାଣୀ ନାୟକ ଏବଂ ବନ ବିଭାଗର ମିଳିତ ପ୍ରୟାସରେ ଘର ଚଟିଆଙ୍କ ବଂଶ ରକ୍ଷା ନେଇ ଏକ ପ୍ରୟାସ ଆରମ୍ଭ ହୋଇଛି।ବନ ବିଭାଗର ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀଙ୍କ ନେତୃତ୍ବରେ ସମସ୍ତ କର୍ମଚାରୀ ଏବଂ ଦୀପାରାଣୀ ନାୟକଙ୍କ ନେତୃତ୍ବରେ ଏକ ଯୁବଗୋଷ୍ଠୀ ସଦର ମହକୁମାର ବିଭିନ୍ନ ସ୍ଥାନରେ ଘରଚଟିଆ ପାଇଁ ଅସ୍ଥାୟୀ ଘର ତିଆର କରି ଲଗାଉଥିବା ଦେଖିବାକୁ ମିଳିଛି।
ଦୀର୍ଘ ଦିନ ହେଲା ଦୀପାରାଣୀ ଘରଚଟିଆ ବଂଶଙ୍କୁ ରକ୍ଷା କରିବା ପାଇଁ ଏକ ଅଭିନବ ପ୍ରୟାସ ଜାରି ରଖିଛନ୍ତି।ତେବେ ଏହି କାର୍ଯ୍ୟରେ ଏଥର ବନ ବିଭାଗର ସହଯୋଗ ପ୍ରଶଂସନୀୟ।ମାଲକାନଗିରି ସହରର ସମସ୍ତ ଶିକ୍ଷାନୁଷ୍ଠାନ,ବଡ ବଡ ମୋଲ,ବସଷ୍ଟାଣ୍ଡ ସମେତ ଉଚ୍ଚ ଅଟ୍ଟାଳିକାଗୁଡିକରେ ସୁନ୍ଦର ଭାବେ ଘରଚଟିଆଙ୍କ ପାଇଁ ଅସ୍ଥାୟୀ ଘର ତିଆର କରାଯାଇ ଉଚ୍ଚାସ୍ଥାନରେ ଲଗାଯାଇଥିଲା।ଅସ୍ଥାୟୀ ଘରଗୁଡିକରେ ଖାଦ୍ୟ ରଖାଯିବା ସେମାନେ କିପରି ସୁରକ୍ଷିତ ରହିବେ ସେନେଇ ସମସ୍ତ ବ୍ୟବସ୍ତା କରାଯାଇଥିବା ଦେଖିବାକୁ ମିଳିଛି।
ଦୀପା ପୂର୍ବରୁ ଏଭଳି ପ୍ରୟାସ କରି ପ୍ରଶଂସିତ ହୋଇସାରିଛନ୍ତି।ଘରଚଟିଆ ବଂଶ ଧିରେ ଧିରେ ବିଲୁପ୍ତ ହେବାକୁ ବସିଲାଣି।ପୂର୍ବରେ ଲୋକଙ୍କର ଚାଳ ଘର ରହିଥିବା ବେଳେ ସେହି ଚାଳ ଘରେ ଘରଚଟିଆଙ୍କ ବାସସ୍ଥାନ ଥିଲା।ଏବେ ଆଉ ଚାଳ ଘର ଦେଖାଯାଉନଥିବା ବେଳେ କୋଠାଘର ନିର୍ମାଣ ଯୋଗୁଁ ଘରଚଟିଆ ନିଜର ବାସସ୍ଥାନ ତିଆରି କରିବାରେ ବିଫଳ ହୋଇ ବିଲୁପ୍ତ ହେବାକୁ ବସିଲେଣି।ତେବେ ଏହି ବଂଶକୁ କିପରି ରକ୍ଷା କରାଯାଇପାରିବ ସେନେଇ ସମସ୍ତଙ୍କର ପ୍ରୟାସ ଆବଶ୍ୟକ ବୋଲି ଦୀପା କହନ୍ତି।
ବନ ବିଭାଗ ତରଫରୁ ମଧ୍ୟ ଏହି ଘରଚଟିଆ ବଂଶକୁ ରକ୍ଷା କରିବା ପାଇଁ ସମସ୍ତ ଉଦ୍ୟମ କରିବା ସହ ସହଯୋଗ କରିବ ବୋଲି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀ ପ୍ରକାଶ କରିଛନ୍ତି।ଏହି ଟିମ ଲୋକଙ୍କୁ ସଚେତନ କରାଇବା ସହ ପ୍ରତ୍ୟେକ ବ୍ୟକ୍ତି ନିଜ ଘର ବାରଣ୍ଡାରେ କିମ୍ବା ଉଚ୍ଚା ସ୍ଥାନରେ ଏକ ଅସ୍ଥାୟୀ ଘର ତିଆର କରି ରଖିବା ପାଇଁ ନିବେଦନ କରିଛନ୍ତି।ନଚେତ ଆଗାମୀ ଦିନରେ ଆଗାମୀ ପିଢି ଏହାର ଫଟୋ ହିଁ ଦେଖିବା ଛଡା ଅନ୍ୟ କିଛି ଉପାୟ ନଥିବ।
The post ଘର ଚଟିଆ ବଂଶ ରକ୍ଷା ନେଇ ପକ୍ଷୀରାଣୀ ଦୀପା, ବନ ବିଭାଗର ପ୍ରୟାସ first appeared on Sambad.from ଜିଲ୍ଲା | Sambad https://ift.tt/3GClmNm
0 Comments