କଟକ: କଟକରେ ପର୍ଯ୍ୟଟନ ବିକାଶ ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ନୂଆନୂଆ ପଦକ୍ଷେପ ହାତକୁ ନେଇଛି। ମହାନଦୀ କୂଳରେ ଗଢି ଉଠିଥିବା ସିଲଭର ସିଟି ବୋଟ୍‌ କ୍ଲବ୍‌ରେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ପକ୍ଷରୁ ଫ୍ଲୋଟି˚ ରେଷ୍ଟୁରାଣ୍ଟ ଓ ଫ୍ଲୋଟି˚ ପାର୍କ ଆରମ୍ଭ କରାଯିବାକୁ ଯୋଜନା କରାଯାଇଛି। ଏଥିପାଇଁ ଘରୋଇ ସ˚ସ୍ଥା ଵାଟର ସ୍ପୋର୍ଟ୍ସ ସିମ୍ପଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସହିତ ସହଭାଗିତା କରାଯାଇ ପର୍ଯ୍ୟଟକମାନଙ୍କୁ ନୂଆ ଧରଣର ମଜା ଉଠାଇବାକୁ ସୁବିଧା ଯୋଗାଇ ଦିଆଯିବ। ଏହାବାଦ୍‌ ନଭେମ୍ବର-ଡିସେମ୍ବରରୁ ଆରମ୍ଭ ହେଉଥିବା ପିକ୍‌ନିକ୍‌ ଋତୁ ପୂର୍ବରୁ ମହାନଦୀରେ କ୍ରୁଜ୍‌ ଚଲାଇବାକୁ ଯୋଜନା କରାଯାଉଥିବା ଜଣାପଡ଼ିଛି। ଏହି କ୍ରୁଜ୍‌ ବୋଟ୍‌ କ୍ଲବ୍‌ରୁ ଧବଳେଶ୍ବର ପର୍ଯ୍ୟନ୍ତ ଚଲା ଯିବାକୁ ବିଚାର କରାଯାଉଛି। ତେବେ ସରକାରଙ୍କ ଅନୁମତି ପରେ କ୍ରୁଜ୍‌ ଚଲାଇବା ଅଞ୍ଚଳ ନିର୍ଧାରଣ କରାଯିବ ବୋଲି ପର୍ଯ୍ୟଟନ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଫ୍ଲୋଟି˚ ପାର୍କରେ ଜଳକ୍ରୀଡ଼ାର ସୁବିଧା

ନଭେମ୍ବର ପୂର୍ବରୁ ଏଠାରେ ଆଉ ଏକ ଆକର୍ଷଣ ପାଲଟିବ ଫ୍ଲୋଟି˚ ପାର୍କ। ଏଭଳି ଏକ ଅଭିନବ ପ୍ରୟାସ ଆଣୁଥିବା ଵାଟର ସ୍ପୋର୍ଟ୍ସ ସିମ୍ପଲ ପ୍ରାଇଭେଟ୍‌ ଲିମିଟେଡ୍‌ର ଓଡ଼ିଶା ପ୍ରକଳ୍ପ ମୁଖ୍ୟ କମଳ ଦେ’ଙ୍କ ସୂଚନା ଅନୁଯାୟୀ, ଏହି ସ˚ସ୍ଥାର ମୁଖ୍ୟାଳୟ ଆମେରିକାରେ ଥିବାରୁ ସେଠାରେ ଏଭଳି ପ୍ରୟାସ ସଫଳ ହୋଇଛି। ତେଣୁ ଏହି ଚିନ୍ତାଧାରାକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଯିବାକୁ ସ୍ଥିର କରାଯାଇଛି। ଏଥିପାଇଁ ଯେଉଁ ପନ୍‌ଟୁନ୍‌ କରାଯିବ, ତାହା ଭିତରେ ସ୍ବୟ˚ ଚାଳିତ ମୋଟର ରହିବ। ଜଳକ୍ରୀଡ଼ା ପାଇଁ ସ୍ଲାଇଡ୍‌ ବ୍ୟବସ୍ଥା କରାଯିବ। ପନ୍‌ଟୁନ୍‌ର ତିନି ଫୁଟ ତଳେ ଜାଲି ରହିବ। ପର୍ଯ୍ୟଟକମାନେ ଜଳକ୍ରୀଡ଼ା ବେଳେ ପାଣିରେ ପଡ଼ିବା ପରେ ସେମାନେ ଜାଲିରେ ପଡ଼ିବେ। ସେଠାରୁ ପୁଣି ଥରେ ସେମାନେ ଉପରକୁ ଉଠି ଆସିପାରିବେ। ଏହା ବ୍ୟତୀତ ଅନ୍ୟାନ୍ୟ ପ୍ରକାରର ଆମୋଦପ୍ରମୋଦର ବ୍ୟବସ୍ଥା ରହିବ। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଲାଇଫ୍‌ଗାର୍ଡ ନିୟୋଜିତ ହେବେ। ଏହି ପାର୍କର ଲମ୍ବା ୮୦ ଫୁଟ ଓ ଚଉଡ଼ା ୫୦ ଫୁଟ୍‌ର ରହିବ। ନଭେମ୍ବର ଶେଷ ଆଡ଼କୁ ମହାନଦୀରେ ଏହାକୁ ଆରମ୍ଭ କରାଯିବାକୁ ଯୋଜନା ରହିଥିବା କମଳ ଦେ’ ସୂଚନା ଦେଇଛନ୍ତି।

ଦଶହରା ପୂର୍ବରୁ ଭାସ୍ୟମାନ ରେଷ୍ଟୁରାଣ୍ଟରେ ଖାଦ୍ୟର ମଜା ନେବେ ପର୍ଯ୍ୟଟକ

ବର୍ତ୍ତମାନ ବୋଟ୍‌ କ୍ଲବ୍‌ରେ ୮ଜଣ ବସିବା ଭଳି ଏକ ଫ୍ଲୋଟି˚ ରେଷ୍ଟୁରାଣ୍ଟ ଅଣାଯାଇଛି। ଏହି ରେଷ୍ଟୁରାଣ୍ଟ ଉପରେ ସୋଲାର ପ୍ୟାନେଲ ରହିବ ଏବ˚ ଏଲ୍‌ଇଡି ଲାଇଟ୍‌ରେ ଏହାକୁ ସୁସଜ୍ଜିତ କରାଯିବ। ଯାହାଫଳରେ ସନ୍ଧ୍ୟା ସମୟରେ ବି ପର୍ଯ୍ୟଟକମାନେ ରେଷ୍ଟୁରାଣ୍ଟରେ ଖାଇପାରିବେ। ଯେଉଁମାନେ ଏହି ବୋଟ୍‌ର ମଜା ନେବାକୁ ଚାହୁଁଛନ୍ତି, ସେମାନେ ସିଧାସଳଖ ବୋଟ୍‌ କ୍ଲବ୍‌ କିମ୍ବା ପାନ୍ଥ ନିବାସରେ ଏହାର ବୁକି˚ କରିପାରିବେ। ରେଷ୍ଟୁରାଣ୍ଟ ବ୍ୟବହାରକାରୀମାନଙ୍କୁ ଘଣ୍ଟା ଅନୁସାରେ ଦେୟ ଦେବାକୁ ପଡ଼ିବ। ଯୋଜନା ଅନୁଯାୟୀ, ପ୍ରଥମ ଘଣ୍ଟାକ ପାଇଁ ମୋଟ ୧୨୦୦ ଟଙ୍କାରେ ଏହାକୁ ବୁକ୍‌ କରାଯିବ। ପରେ ପ୍ରତି ଅଧଘଣ୍ଟାକୁ ୬୦୦ ଟଙ୍କା ଦେୟ ଦେବାକୁ ହେବ ବୋଲି ଚିନ୍ତା କରାଯାଉଛି। ତେବେ ସରକାରୀସ୍ତରରେ ଆଲୋଚନା ହେବା ପରେ ଏହି ଦରରେ ହ୍ରାସ କରାଯାଇପାରେ ବୋଲି ସୂଚନା ମିଳିଛି। ଏହି ରେଷ୍ଟୁରାଣ୍ଟକୁ ନିର୍ମାଣ କରିବା ପାଇଁ ପାଖାପାଖି ୬ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଅନ୍ୟପକ୍ଷରେ ଆଉ ସପ୍ତାହେ ମଧ୍ୟରେ ଏଠାକୁ ୩୦ଜଣ ବସିପାରିବା ଭଳି ଆଉ ଏକ ଫ୍ଲୋଟି˚ ରେଷ୍ଟୁରାଣ୍ଟ ଅଣାଯିବ। ଏହି ରେଷ୍ଟୁରାଣ୍ଟରେ ଟେବୁଲ ଅନୁଯାୟୀ ଦର ନିର୍ଧାରଣ ହେବ। ଏଥି ସହିତ ଏହା ଭିତରେ ଶୌଚାଳୟର ସୁବିଧା ମଧ୍ୟ ରହିବ। ଲଞ୍ଚ, ଡିନର ଇତ୍ୟାଦି ପାଇଁ ଆଗରୁ ଅର୍ଡର କରିବାକୁ ହେବ। ସ୍ବତନ୍ତ୍ର ଫଟୋ ସୁଟ୍‌, ଜନ୍ମଦିନ ପାର୍ଟି, କିମ୍ବା କୌଣସି କର୍ପୋରେଟ ପାର୍ଟି ଏସବୁ ଫ୍ଲୋଟି˚ ରେଷ୍ଟୁରାଣ୍ଟରେ କରାଯିବାକୁ ଯୋଜନା ରହିଛି। ଯଦି ପ୍ରାଥମିକ ପର୍ଯ୍ୟାୟରେ ବ୍ୟବସାୟ ଭଲ ହୁଏ ତାହେଲେ ଆଗକୁ ଅଧିକ ଫ୍ଲୋଟି˚ ରେଷ୍ଟୁରାଣ୍ଟ ଅଣାଯାଇପାରେ ବୋଲି କୁହାଯାଇଛି।

Sambad

ମିଳିବ ସୁସ୍ବାଦୁ ଖାଦ୍ୟ, ମଦ୍ୟପାନ ନିଷେଧ

ସିଲଭର ସିଟି ବୋଟ୍‌ କ୍ଲବ୍‌ ଦାୟିତ୍ବରେ ଥିବା ଅଧିକାରୀ ତଥା ପାନ୍ଥନିବାସର ମ୍ୟାନେଜର ସୟଦ ତାରିକ ଅଲ୍ଲୀଙ୍କ ମତରେ, କଟକବାସୀ ତଥା ଅନ୍ୟ ପର୍ଯ୍ୟଟକଙ୍କ ମନୋର˚ଜନ ପାଇଁ କ୍ଲବ୍‌ ପରିସରରେ ଫ୍ଲୋଟି˚ ରେଷ୍ଟୁରାଣ୍ଟ, ଫ୍ଲୋଟି˚ ପାର୍କ ଏବ˚ ଅନ୍ୟାନ୍ୟ ଦୁଃସାହସିକ ଜଳକ୍ରୀଡ଼ା ବ୍ୟବସ୍ଥା କରାଯାଉଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସୁବିଧା କରାଯାଉଥିବାରୁ ପର୍ଯ୍ୟଟକମାନେ ଗୁଣାତ୍ମକ ସେବା ପାଇପାରିବେ। ଫ୍ଲୋଟି˚ ରେଷ୍ଟୁରାଣ୍ଟ ପାଇଁ କ୍ଲବ୍‌ ରେଷ୍ଟୁରାଣ୍ଟରୁ ସୁସ୍ବାଦୁ ଖାଦ୍ୟ ଯୋଗାଇ ଦିଆଯିବ। ତେବେ ପାଣି ମଧ୍ୟରେ ମଦ୍ୟପାନ ପାଇଁ ସ˚ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ଏସବୁବାଦ୍‌ ବୋଟ୍‌ କ୍ଲବ୍‌ ପରିସରେ ଥିବା ଲନ୍‌କୁ ବିବାହ କାର୍ଯ୍ୟକ୍ରମ ଉପଯୋଗୀ ସ୍ଥାନ ଭାବେ ପରିଣତ କରାଯିବ। ଏକାସାଙ୍ଗରେ ୧ହଜାର ଜଣ ଲୋକ ଏଠାରେ ଖାଇବା ଭଳି ସୁବିଧା ରହି ପାରିବ। ପୁଣି କ୍ଲବ୍‌ ଚାରିପଟେ ନଦୀକୂଳକୁ ଲାଗି ଜିଓ ସିନ୍ଥେଟିକ୍‌ କିମ୍ବା ପଥର ପ୍ୟାକି˚ କରାଯିବାକୁ ଯୋଜନା କରାଯାଇଛି। ଏହା ଉପରେ ଅନୁଧ୍ୟାନ କରିବାକୁ ଗୁରୁବାର ପର୍ଯ୍ୟଟନ ସଚିବ ସୁରେନ୍ଦ୍ର କୁମାର, ନିର୍ଦ୍ଦେଶକ ସଚିନ ଯାଦବ, ସିଏମ୍‌ସି କମିସନର ଅନନ୍ୟା ଦାସଙ୍କ ସହିତ ଅନ୍ୟାନ୍ୟ ଅଧିକାରୀମାନେ ବୋଟ୍‌ କ୍ଲବ୍‌ ବୁଲି ଦେଖିଛନ୍ତି। ତେଣୁ ଆସନ୍ତା ପିକ୍‌ନିକ୍‌ ଋତୁ ବେଳକୁ ଏସବୁ ବ୍ୟବସ୍ଥା ଉପଲବ୍ଧ ହୋଇପାରିବ ବୋଲି ତାରିକ ଅଲ୍ଲୀ କହିଛନ୍ତି।

ଧବଳେଶ୍ବର ପର୍ଯ୍ୟନ୍ତ ଚାଲିବ କ୍ରୁଜ୍‌!

ଓଡ଼ିଶାରେ ପ୍ରଥମ ଥର ପାଇଁ ପର୍ଯ୍ୟଟକଙ୍କ ପାଇଁ କ୍ରୁଜ୍‌ରେ ବସିବା ପାଇଁ ବ୍ୟବସ୍ଥା କରାଯାଉଛି। ପାଖାପାଖି ୭୦ରୁ ୮୦ଜଣ ବସିପାରିବା ଭଳି କ୍ରୁଜ୍‌ ମହାନଦୀରେ ଚଲାଇବାକୁ ଯୋଜନା ରହିଛି। ସିଲଭର ସିଟି ବୋଟ୍‌ କ୍ଲବ୍‌ରୁ ଏହି କ୍ରୁଜ୍‌ ଧବଳେଶ୍ବର ପର୍ଯ୍ୟନ୍ତ ଚଲାଯିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ନଦୀରେ ପାଣିର ସ୍ଥିତିକୁ ଦୃଷ୍ଟିରେ ରଖି ଏହାର ସୀମାରେଖା ନିର୍ଧାରଣ କରାଯିବ। ନଚେତ୍‌ ପାଣି ଭିତରେ କେତେ ଘଣ୍ଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ବୁଲିବା ପାଇଁ ସୁଯୋଗ ଦିଆଯିବ ବୋଲି ସୂଚନା ଦିଆଯାଇଛି। ସମସ୍ତ ପ୍ରକାରର ଆମୋଦ ପ୍ରମୋଦ ସହିତ ଖାଦ୍ୟ ପେୟର ଲାଭ ମଧ୍ୟ ପର୍ଯ୍ୟଟକମାନେ ଉଠାଇ ପାରିବେ।

The post ପର୍ଯ୍ୟଟନ ଭିତ୍ତିଭୂମିକୁ ନେଇ ଚମକିବ କଟକ: ମହାନଦୀରେ ହେବ ଫ୍ଲୋଟି˚ ରେଷ୍ଟୁରାଣ୍ଟ, ପାର୍କ, ପିକ୍‌ନିକ୍‌ ଋତୁ ପୂର୍ବରୁ କ୍ରୁଜ୍‌ ଚାଲିବା ଯୋଜନା first appeared on Sambad.

from ଜିଲ୍ଲା | Sambad https://ift.tt/3orF2gc