ଜଗତସିଂହପୁର ଟାଉନ୍: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ୨୦୨୧ରେ ସ୍ଥାନ ପାଇଛନ୍ତି ଛଅ ବର୍ଷର ଝିଅ ଡି. ସାଇ ଶ୍ରେୟାଂଶୀ। ସେ ୨୪ ମିନିଟ୍ ୫୦ ସେକେଣ୍ଡରେ ୧୦୮ ସଂସ୍କୃତ ଶ୍ଲୋକ ଗାନ କରି ସର୍ବକନିଷ୍ଠ ହୋମକାରିଣୀ ଭାବେ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କୁ ମାନପତ୍ର, ପଦକ ସମେତ ଶୁଭେଚ୍ଛା ପତ୍ର ପ୍ରଦାନ କରାଯାଇଛି, ଯାହାକୁ ନେଇ ତାଙ୍କ ପରିବାରରେ ଖୁସିର ପରିବେଶ ଦେଖିବାକୁ ମିଳିଛି। ଶ୍ରେୟାଶୀଂକୁ ଅନେକ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି। ଶ୍ରେୟାଂଶୀଙ୍କ ଘର ଜଗତସିଂହପୁର ଉପକଣ୍ଠ ତରଡ଼ାପଡ଼ା। ବାପା ସୁରଜ ପଣ୍ଡା ଓ ସସ୍ମିତା ମିଶ୍ରଙ୍କ ଏକମାତ୍ର ଝିଅ ଶ୍ରେୟାଂଶୀ। ତେବେ ତିନି ବର୍ଷ ବୟସରୁ କୌଣସି ବାଦ୍ୟ, କିମ୍ବା ଗୀତ ବାଜିଲେ ଶ୍ରେୟାଂଶୀ ଖୁସି ହୋଇ ଯାଉଥିଲେ। ନିଜେ ନିଜେ ନାଚିବାକୁ ଚେଷ୍ଟା କରୁଥିଲେ, ଯାହାକି ପରିବାର ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଥିଲା। ତେବେ ଧୀରେଧୀରେ ବଡ଼ ହେବା ପରେ ସେ ମୋବାଇଲ୍ ଓ ଟିଭିରୁ ଗୀତ ଦେଖି ଗାଇବା ଓ ନାଚିବାକୁ ଆରମ୍ଭ କରିଥିଲେ। ପ୍ରଖର ସ୍ମରଣ ଶକ୍ତି ଥିବାରୁ କୌଣସି କଥାକୁ ଏକାଥରେ ମନେ ରଖୁଛନ୍ତି ଶ୍ରେୟାଂଶୀ।

ଶ୍ରେୟାଶୀଂଙ୍କ ଜେଜେ ତଥା ତରଡ଼ାପଡ଼ା ଆଇଟିଆଇର ମୁଖ୍ୟ ରଶ୍ମୀ ରଂଜନ ମିଶ୍ର ପ୍ରତ୍ୟେକ ସପ୍ତାହରେ ଘରେ ଯଜ୍ଞ କରିଥାନ୍ତି। ପ୍ରତ୍ୟେକ ଦିନ ଗୀତା ଓ ଅନ୍ୟାନ୍ୟ ଶ୍ଲୋକ ଆବୃତ୍ତି କରିଥାନ୍ତି। ଜେଜେଙ୍କ ପାଟିକୁ ଲକ୍ଷ କରି ଶ୍ରେୟାଂଶୀ ଧୀରେଧୀରେ ଶ୍ଲୋକ ଗାଇ ବାକୁ ଲାଗିଲେ। ବିଶେଷ କରି ଯଜ୍ଞ ସମୟରେ ଜେଜେଙ୍କ ସହିତ ମିଶି ଅତ୍ୟନ୍ତ ସ୍ପଷ୍ଟ ଓ ସୁଦ୍ଧ ଉଚ୍ଚାରଣ କରି ଶ୍ଲୋକ ଆବୃତ୍ତି କରିଥିଲେ। ଯାହା ସମସ୍ତଙ୍କୁ ଚକିତ କରିଥିଲା। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପାଇଁ ଆବେଦନ କରିଥିଲେ ଶ୍ରେୟାଂଶୀ । କୋଭିଡ୍ ପାଇଁ ସମସ୍ତ କାର୍ଯ୍ୟ ଭିଡ଼ିଓ କନ୍‌ଫରେନ୍ସ ଦ୍ୱାରା କରାଯାଇଥିଲା।

Sambad

ଅନ୍‌ଲାଇନରେ ଶ୍ରେୟାଂଶୀ ୨୪ ମିନିଟ୍ ୫୦ ସେକେଣ୍ଡରେ ଅନର୍ଗଳ ଭାବେ ଶ୍ଲୋକ ଆବୃତ୍ତି କରିଥିଲେ। ଫଳରେ ୨୦୨୧ ମସିହା ପାଇଁ ଶ୍ରେୟାଂଶୀଙ୍କୁ ମନୋନୀତ କରାଯାଇଥିଲା। । ଶ୍ରେୟାଂଶୀ ଏବେ ଟାଇମ୍ସ ଗୁରୁକୂଳରେ ୨ୟ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ଏଥିସହ ନୃତ୍ୟ, ଗୀତ ଗାଇ ମନ ଜିଣୁଛନ୍ତି। ଏକାଧୀକ ଆଲବମ୍‌ରେ ଗୀତ ଗାଇବା ସହ ଅଭିନୟ କରିଛନ୍ତି ସେ । ଏଥିପାଇଁ ଦେଶ ବିଦେଶ ଯଥା ଫ୍ରାନ୍ସ, କୋଲକତା, ଦିଲ୍ଲୀ, ଭୁବନେଶ୍ୱରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

The post ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସାଇ ଶ୍ରେୟାଂଶୀ, ୨୪ ମିନିଟ୍ ୫୦ ସେକେଣ୍ଡରେ ଗାଇଲେ ୧୦୮ ଶ୍ଲୋକ first appeared on Sambad.

from ଜିଲ୍ଲା | Sambad https://ift.tt/3pz9ndA