ବୁର୍ଲା : ଚାଷରେ କ୍ଷତି ହେବା କାରଣରୁ ବି‌ଷପିଇ ୩ ଦିନ ହେଲା ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସମ୍ବଲପୁର ଜିଲ୍ଲା ଗମ୍ଭାରକଟା ଗ୍ରାମର ଶ୍ରଦ୍ଧାକର ସାହୁ। ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ ଭିମ୍‌ସାରରେ ଭର୍ତ୍ତି କରିଛନ୍ତି। ହେଲେ ଶଯ୍ୟା ଅଭାବରୁ ସେ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। ଡାକ୍ତର ଆଇସିୟୁରେ ଭର୍ତ୍ତି କରିବା ପାଇଁ ପରାମର୍ଶ ଦେଉଥିବା ବେଳେ ତାଙ୍କୁ ସାଧାରଣ ଶଯ୍ୟାଟିଏ ବି ମିଳିପାରି ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଗମ୍ଭାରକଟା ଗ୍ରାମର ଶ୍ରଦ୍ଧାକର ସାହୁ ଧାନ ସହିତ ପରିବା ଚାଷ ମଧ୍ୟ କରିଥିଲେ। ଚାଷ ପାଇଁ ସେ ବ୍ୟାଙ୍କରୁ ଋଣ ଆଣିଥିଲେ। ଚାଷରେ କ୍ଷତି ସହିବା କାରଣରୁ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଭିମ୍‌ସାର ମେଡିସିନ୍ ବିଭାଗରେ ଭର୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ଡାକ୍ତରଙ୍କ ପରାମର୍ଶ ପରେ ମଧ୍ୟ ଏକ ଆଇସିୟୁ ଶଯ୍ୟା ମିଳି ନଥିବାରୁ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଡାକ୍ତରଖାନା ଅଧୀକ୍ଷକ ଡା. ଲାଲ୍‌ମୋହନ ନାୟକଙ୍କୁ ପଚାରିବାରୁ ଆଇସିୟୁରେ ଶଯ୍ୟା ଯୋଗାଇବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି। ତେବେ, ଶ୍ରଦ୍ଧାକର ବର୍ତମାନ ଗୁରୁତର ଥିବା ବେଳେ ତାଙ୍କ ପରିବାର ଋଣବୋଝ ସହି ନପାରି ଏଭଳି ପଦକ୍ଷେପ ନେଇଥିବା କହୁଥିବା କଥା କେତେଦୂର ସତ୍ୟ, ତାହା ଜିଲ୍ଲା ପ୍ରଶାସନର ତଦନ୍ତ ପରେ ସ୍ପଷ୍ଟ ହେବ। ସେ ଯାହା ବି ହେଉ ଶ୍ରଦ୍ଧାକରଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବାକୁ ଦାବି ହୋଇଛି।

The post ୩ ଦିନ ହେଲା ଆଇସିୟୁ ଅପେକ୍ଷାରେ ଚାଷୀ; ଶଯ୍ୟା ବି ମିଳୁନି, ତଳେ ଶୋଇ ଚିକିତ୍ସିତ ହେଉଛନ୍ତି first appeared on Sambad.

from ଜିଲ୍ଲା | Sambad https://ift.tt/3nnhl6L