କେନ୍ଦୁଝର : ମା’ ସହ ଝୁମର ନୃତ୍ୟ ଦେଖିବାକୁ ଯାଇଥିବା ଜଣେ ନାବାଳିକା ହଠାତ୍‌ ନିଖୋଜ ହୋଇଗଲେ। ତିନିଦିନ ପରେ ଶନିବାର ଦିନ ତାଙ୍କର ଉଲ୍ଲଗ୍ନ ମୃତଦେହ ଗାଁର ଜଣେ ମହିଳାଙ୍କ ବାଡ଼ିରୁ ଉଦ୍ଧାର ହୋଇଛି। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ହଳଦିଆଗୁଣାରେ। ଏହି ଘଟଣାରେ ପୁଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ହଳଦିଆଗୁଣା ଗ୍ରାମର ରେଣ୍ଡ ମୁଣ୍ଡାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ଶୁଆକାଟିର ପାନ ମୁଣ୍ଡାଙ୍କୁ ଦ୍ବିତୀୟ ବିବାହ କରିଥିଲେ। ସେହିପରି ପାନ ମଧ୍ୟ ପୂର୍ବରୁ ବିବାହିତା। ତାଙ୍କର ଏକ ୫ ବର୍ଷର ଝିଅ ଥିଲା। ହଳିଦିଆଗୁଣାରେ ଲକ୍ଷ୍ମୀପୂଜା ଅବସରରେ ୨୦ ତାରିଖ ସନ୍ଧ୍ୟାରେ ଝୁମର ନୃତ୍ୟ ପରିବେଷଣ କରାଯାଉଥିଲା। ଝୁମର ଦେଖିବାକୁ ରେଣ୍ଡଙ୍କ ସ୍ତ୍ରୀ ପାନ ଓ ଝିଅ ଯାଇଥିଲେ। ମା’ଝିଅ ବସି ନାଚ ଦେଖୁଥିବାବେଳେ ହଠାତ୍‌ ଝିଅ କେଉଁଆଡ଼େ ଚାଲି ଯାଇଥିଲେ। ପାନ ଅନେକ ଖୋଜାଖୋଜି କରିବା ପରେ ଝିଅକୁ ନ ପାଇବାରୁ ଘରକୁ ଫେରି ସ୍ବାମୀଙ୍କୁ ଜଣାଇଥିଲେ। ସ୍ବାମୀସ୍ତ୍ରୀ ଦୁହେଁ ମିଶି ଗାଁସାରା ଖୋଜିଥିଲେ। ଝିଅକୁ ନ ପାଇବାରୁ ପୁଣି ଝୁମର ନୃତ୍ୟ ସ୍ଥଳକୁ ଯାଇ ଝିଅ ନିଖୋଜ ସମ୍ପର୍କରେ ମାଇକ୍‌ରେ ଘୋଷଣା କରିଥିଲେ। କୌଣସି ସନ୍ଧାନ ନ ମିଳିବାରୁ ସେମାନେ ଘରକୁ ଫେରି ଆସିଥିଲେ। ଗତକାଲି ପୂର୍ବାହ୍ନରେ ଝିଅ ନିଖୋଜ ସମ୍ପର୍କରେ କେନ୍ଦୁଝର ସଦର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। ପୁଲିସ ସନ୍ଧ୍ୟାରେ ହଳଦିଆଗୁଣା ଗାଁକୁ ଯାଇ ଖୋଜାଖୋଜି କରିଥିଲେ ମଧ୍ୟ ନାବାଳିକାକୁ ନ ପାଇ ଫେରି ଆସିଥିଲା।

ଶନିବାର ସକାଳେ ପୁଣି ପୁଲିସ ହଳଦିଆଗୁଣା ଗାଁକୁ ଯାଇ ଖୋଜାଖୋଜି ଆରମ୍ଭ କରିଥିଲା। ଗାଁର ଜେମାରାଣୀ ମହାନ୍ତଙ୍କ ବାଡ଼ିରୁ ନାବାଳିକାଙ୍କ ଶବ ଠାବ କରିଥିଲା। ଏହି ଖବର ପ୍ରଘଟ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ବ୍ୟାରିକେଡ ନିର୍ମାଣ କରିବାକୁ ପଡ଼ିଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ନାବାଳିକାଙ୍କୁ ଦୁ‌ର୍ଷ୍କମ ପରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। କାରଣ ନାବାଳିକାଙ୍କ ଶରୀରରେ ଥିବା କିଛି ପୋଷାକ ଖୋଲା ରହିଥିବା ବେଳେ ଆଉ କିଛି ପୋଷାକ ଶବଠାରୁ ୨୦ ଫୁଟ ଦୂରରେ ପଡ଼ିଥିଲା। ଘଟଣାସ୍ଥଳରେ କେନ୍ଦୁଝର ତହସିଲଦାର ତଥା ମାଜିଷ୍ଟ୍ରେଟ ଆଶିଷ ମହାପାତ୍ର ପହଞ୍ଚିଥିଲେ। ତାଙ୍କ ଉପସ୍ଥିତିରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଅତିରିକ୍ତ ଏସ୍‌ପି ସୁରେଶ ଚନ୍ଦ୍ର ନାଏକ, ଏସ୍‌ଡିପିଓ ପ୍ରକାଶ ଜେମ୍‌ସ ଟପ୍ପୋ, ଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇ ପ୍ରମୁଖ ପହଞ୍ଚି ତଦନ୍ତ ଘଟଣାର କରିଥିଲେ। ଖୁବ୍‌ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଅତିରିକ୍ତ ଏସ୍‌ପି ଶ୍ରୀ ନାଏକ କହିଛନ୍ତି। ଏନେଇ ସଦର ଥାନାରେ କେସ୍‌ ନମ୍ବର ୪୩୩/୨୧ରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଦୁଇଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।

The post ନାବାଳିକାକୁ ମାରି ଫିଙ୍ଗିଦେଲେ; ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ, ୨ ଅଟକ first appeared on Sambad.

from ଜିଲ୍ଲା | Sambad https://ift.tt/3vCUJCZ