
କଟକ : କେହି କିଛି ବୁଝିବା ଆଗରୁ ରାସ୍ତା ମଝିରେ ଉଠିଲା ୨୫ ଫୁଟ ଉଚ୍ଚର ପାଣି ଫୁଆରା। ପାଣିର ପ୍ରଖର ଏତେ ଥିଲା ରାସ୍ତାରେ ୪ ଫୁଟର ଗାତ ହୋଇଯାଇଥିଲା। ଏହାକୁ ନେଇ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଥିଲା। ପାଣି ଉଠିବା ସମୟରେ ସେଠାରେ କେହି ନଥିବାରୁ ସୌଭାଗ୍ୟକ୍ରମେ ବର୍ତ୍ତି ଯାଇଥିଲେ। କିନ୍ତୁ ରାସ୍ତାରେ ପାଣି ଲହଡି ମାରିବାରୁ ଗାଡ଼ି ଚଳାଚଳା ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। କାଠଯୋଡ଼ି ରିଂ ବନ୍ଧରେ ଏଭଳି ଦୃଶ୍ୟ ସଂପର୍କରେ ଜାଣିବାକୁ ହଜାର ହଜାର ଲୋକ ସେଠାରେ ରୁଣ୍ଡ ହୋଇଯାଇଥିବା ବେଳେ ରିଂ ବନ୍ଧର ଉଭୟ ପଟ ଜାମ୍ ହୋଇଯାଇଥିଲା। ରାସ୍ତା ତଳେ ପାନୀୟ ଜଳ ଯୋଗାଣ ପାଇଁ ଅମୃତ ଯୋଜନାରେ ବିଛା ଯାଇଥିବା ପାଇପ୍ ଫାଟି ଏଭଳି ଘଟଣା ଘଟିଥିବା ଜଣାପଡ଼ିଥିଲା।
କଟକ ସହରରେ ଅମୃତ ଯୋଜନାରେ ନିମ୍ନମାନର କାମ କରାଯାଉଥିବା ସଂପର୍କରେ ଅଭିଯୋଗ ହୋଇ ଆସୁଥିବା ବେଳେ ବୁଧବାର ଏହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି। କାଠଯୋଡି ରିଂ ବନ୍ଧ ରାସ୍ତା ନେତାଜୀ ସିଟି କଲେଜ ସମ୍ମୁଖରେ ଅପରାହ୍ନ ସାଢେ ୪ଟାରେ ଅମୃତ ଯୋଜନାରେ ବିଛା ଯାଇଥିବା ପାଣି ପାଇପ ଫାଟି ଯାଇଥିଲା। ଏଥିରେ ଉପରକୁ ପାଣି ଫୁଆରା ଉଠିଥିଲା। ରାତି ୮ଟା ପରେ ଏହାର ମରାମତି କରାଯିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।
ସହରବାସୀଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇବା ପାଇଁ ସିଏମ୍ସି ଅଞ୍ଚଳରେ ଗତ ୨୦୧୬ରୁ ଅମୃତ ଯୋଜନାରେ ପାଇପ ବିଛା କାମ ଆରମ୍ଭ ହୋଇଛି। ସହର ମଧ୍ୟରେ ପାଣି ପାଇପ୍ ବିଛା ଯିବା ସହିତ ମହାନଦୀ ଓ କାଠଯୋଡି ରିଂ ବନ୍ଧରେ ମଧ୍ୟ ମୁଖ୍ୟ ପାଣି ପାଇପ୍ ଲାଇନ୍ ବିଛା ଯାଇଛି। ସିଡିଏରେ ନିର୍ମାଣ ହୋଇଥିବା ନଦୀଜଳ ବିଶୋଧନ କେନ୍ଦ୍ରରୁ ରିଂ ବନ୍ଧ ଦେଇ ଯାଇଥିବା ମୁଖ୍ୟ ପାଣି ଲାଇନ୍ ମାଧ୍ୟମରେ ସହରର ବିଭିନ୍ନ ଅଞ୍ଚଳକୁ ସବ୍ଲାଇନ୍ରେ ପାଣି ଯୋଗାଣର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୨୦୧୯ରେ କାଠଯୋଡି ରିଂ ବନ୍ଧର ନେତାଜୀ ସିଟି କଲେଜ ସମ୍ମୁଖରେ ମେନ୍ ପାଣି ଲାଇନ୍ ବସାଯାଇଥିଲା। ଅମୃତ ଯୋଜନାରେ ପାଇପ୍ ବିଛା କାମ ରାତିରେ କରାଯାଇଥିଲା। କାମ ସମୟରେ ପାଇପ୍ ଯୋଡେଇ, ଲେବଲିଂ ଇତ୍ୟାଦି କାମ ଠିକ ଭାବେ ହୋଇ ନଥିବା ବେଳେ ବାଲି ସ୍ଥାନରେ ମାଟି ପକାଇ ପାଇପକୁ ପୋତା ଯାଇଥିଲା। ବିଶେଷଭାବେ ରାତିରେ କାମ କରାଯାଉ ଥିବାରୁ ଜନସ୍ବାର୍ଥ ବିଭାଗର ଇଂଜିନିୟର କିମ୍ବା ଅଧିକାରୀ କାମ ତଦାରଖ ପାଇଁ ଆସି ନଥିବା ଅଭିଯୋଗ ହେଉଛି। କାମ ସମୟରେ ପାଇପ୍ ଯୋଡେଇ କାମ ଠିକ୍ଭାବେ କରାଯାଇ ନଥିବାରୁ ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ବି ବାହାରୁଛି। ସେହିପରି, ବାଲି ବଦଳରେ ମାଟିରେ ପାଇପ ପୋତାଯାଇ ଥିବାରୁ ଏବେ ରିଂ ବନ୍ଧ ସହିତ ସହରର ବିଭିନ୍ନ ରାସ୍ତା ଦବୁଥିବାର ଦେଖିବାକୁ ମିଳିଛି। ଅମୃତ ଯୋଜନାରେ ପାଣି ଯୋଗାଣ ପାଇଁ ଏବେ ପରୀକ୍ଷା ଚାଲିଛି। ଉକ୍ତ ଅଞ୍ଚଳ ଦେଇ ଯାଇଥିବା ପାଇପ୍ର ଟି-ପଏଣ୍ଟ ନଟ୍ ଖସିଯିବାରୁ ଏପରି ପରିସ୍ଥିତି ହୋଇଛି। ଏହାର ମରାମତି ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଛି ବୋଲି ୱାଟ୍କୋ ଜେନେରାଲ ମ୍ୟାନେଜର ଦେବବ୍ରତ ମହାନ୍ତି କହିଛନ୍ତି। ସହର ମଧ୍ୟରେ ଅମୃତ ଯୋଜନା ବସାଯାଇଥିବା ପାଇପ୍ର ମାନକୁ ପରୀକ୍ଷା କରିବା ସହିତ ଏଥିପାଇଁ ଦେଖାଯାଉ ଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ସାଧାରଣରେ ଦାବି ହୋଇଛି।
The post ଧରାପଡ଼ିଗଲା ଅମୃତ ଦୁର୍ନୀତି! କାଠଯୋଡ଼ି ରିଂ ବନ୍ଧରେ ଉଠିଲା ୨୫ ଫୁଟର ପାଣି first appeared on Sambad.from ଜିଲ୍ଲା | Sambad https://ift.tt/3moQ17G
0 Comments