
ଯାଜପୁରସଦର : ପିଲାଦିନେ ନଦୀ ପାରହେଇ ସ୍କୁଲ ଯାଉଥିଲେ। ଏବେ ପ୍ରଶାସନିକ ଅଧିକାରୀ। ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ସୀମାନ୍ତ ଏକ ଗାଁରେ ଉଚ୍ଚଶିକ୍ଷା ପାଇଁ ପ୍ରତିବନ୍ଧକ କାରଣରୁ ଏହି ଛାତ୍ରୀ ଜଣକ ନଦୀନାଳ ପାର ହେଇ ପାଠ ପଢ଼ିବାକୁ ଯାଜପୁର ଓ ପରେ ଭୁବନେଶ୍ବରକୁ ଆସିଥିଲେ। ମନରେ ସଂକଳ୍ପ ଥିଲା ପ୍ରଶାସନିକ ଅଧିକାରୀ ହେଇ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ନିକଟରେ ଉଚ୍ଚଶିକ୍ଷା ପହଞ୍ଚାଇବା ପାଇଁ କାମ କରିବେ। ଏବେ ତାଙ୍କ ସ୍ୱପ୍ନ ସଫଳ ହେଇଛି। ୨୦୧୯ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାର ୨୦ ନମ୍ବର ସ୍ଥାନରେ ଥିବା ଏହି ଛାତ୍ରୀ ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ସିଂହପୁର ଛନ୍ଦାମୁଣ୍ଡ ବିସିଜେ ହାଇସ୍କୁଲ୍ର ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି।
ସିଂହପୁର ନିକଟବର୍ତ୍ତୀ କେନ୍ଦ୍ରାପଡ଼ା ଜିଲ୍ଲା ମଧୁବନ ଅଞ୍ଚଳର ଆଦିକନ୍ଦ ପତି ଓ ସୁଷମାରାଣୀ ପତିଙ୍କ ଝିଅ ପ୍ରିୟଙ୍କା ଛୋଟ ବେଳେ ଡଙ୍ଗାରେ ଖରସ୍ରୋତା ନଦୀ ପାରି ହୋଇ ସିଂହପୁର ଛନ୍ଦାମୁଣ୍ଡ ହାଇସ୍କୁଲକୁ ପଢ଼ିବାକୁ ଆସୁଥିଲେ। ପ୍ରଶାସନିକ ଅଧିକାରୀ ହୋଇ ନଦୀନାଳ ଘେରା ଅଞ୍ଚଳରେ ଉଚ୍ଚ ଶିକ୍ଷାର ସୁବିଧା ଓ ସମସ୍ତ ଅଞ୍ଚଳକୁ ସୁବିଧାରେ ଗମନାଗମନ ପାଇଁ ବ୍ୟବସ୍ଥା କରିବାକୁ ଏହି ସମୟରେ ସ୍ୱପ୍ନ ଦେଖିଥିଲେ। ଏହି ସଂକଳ୍ପ ଆଜି ତାଙ୍କୁ ଓଏଏସ୍ ପରୀକ୍ଷାରେ ସଫଳତା ଦେଇଛି। ସ୍କୁଲ୍ ପାଠପଢ଼ା ପରେ ସେ ଯାଜପୁର ଏନ୍ସି କଲେଜରେ ରସାୟନ ବିଜ୍ଞାନ ବିଭାଗରେ ସ୍ନାତ୍ତକ ଶିକ୍ଷା ଶେଷ କରିଥିଲେ। ବାଣୀବିହାରରେ ଏହି ବିଷୟରେ ସ୍ନାତକୋତ୍ତର ଶିକ୍ଷା ସମୟରେ ସେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ପ୍ରଥମ ଥର ଅସଫଳ ହୋଇଥିଲେ ମଧ୍ୟ ନିଜର ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ୨୦୧୯ ବ୍ୟାଚ୍ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୨୦ ନମ୍ବର ରୢାଙ୍କ ହାସଲ କରିଛନ୍ତି।
ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିବା ପ୍ରିୟଙ୍କା ପାଠପଢା ପାଇଁ ବହୁ ସଂଘର୍ଷ କରିଛନ୍ତି। ନିଜ ସ୍ୱପ୍ନ ପୂରଣ ହୋଇଥିବାରୁ ବେଶ ଖୁସି ଥିବା ପ୍ରିୟଙ୍କା ଭବିଷ୍ୟତରେ ଅସହାୟ ଲୋକଙ୍କୁ ନ୍ୟାୟ ଦେଇ ନିଜର ଇଚ୍ଛା ପୂରଣ କରିବେ ବୋଲି ଆଶା ରଖିଛନ୍ତି। ଏହି ସଫଳତା ପାଇଁ ସେ ତାଙ୍କ ପିତାମାତା, ପରିବାର ସଦସ୍ୟ, ଶିକ୍ଷକ ଓ ସହଯୋଗୀଙ୍କୁ ଶ୍ରେୟ ଦେଇଛନ୍ତି। ଭବିଷ୍ୟତରେ ଭାରତୀୟ ପ୍ରଶାସନିକ ସେବାରେ ସାମିଲ ହେବା ପାଇଁ ମଧ୍ୟ ଉଦ୍ୟମ କରିବେ ବୋଲି କହିଛନ୍ତି।
The post ଓଏଏସ୍ ୨୦ ର୍ୟାଙ୍କରେ ପ୍ରିୟଙ୍କା first appeared on Sambad.from ଜିଲ୍ଲା | Sambad https://ift.tt/3iN15dI
0 Comments