
ବାଲେଶ୍ବର : ପ୍ରଥମେ ଗୁଳି ଏବଂ ପରେ ଭୁଜାଲିରେ ହାଣିଲେ। ବାଲେଶ୍ବର ସହର ଉପକଣ୍ଠ କୁରୁଡ଼ା ବଜାରରେ ଆଜି ଜଣେ ଯୁବକଙ୍କୁ ଏଭଳି ନୃଶଂସ ଢଙ୍ଗରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଘଟଣାସ୍ଥଳରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଯୁବକଙ୍କର ପ୍ରାଣବାୟୁ ଉଡ଼ିଯାଇଛି। ମୃତକ ହେଲେ ବାଲେଶ୍ବର ସଦର ଥାନା ଜଗନ୍ନାଥପାଟଣା ଗ୍ରାମର ରବୀନ୍ଦ୍ର ମୋହନ ଦାସଙ୍କ ପୁଅ ବିନୋଦ ଦାସ (୩୪)। ସ୍ପଷ୍ଟଦିବାଲୋକରେ ହତ୍ୟା ଘଟଣା ଭିଆଇବା ପରେ ୫ ଅଭିଯୁକ୍ତ ଆଖି ପିଛୁଳାକେ ସେଠାରୁ ଚମ୍ପଟ୍ ମାରିଥିଲେ। ପୁଲିସ ଛାନଭିନ୍ ଚଳାଇଥିଲେ ମଧ୍ୟ ଅପରାଧୀମାନଙ୍କର ଏଯାଏ ଟେର୍ ପାଇନାହିଁ।
ବାଲେଶ୍ବର ସଦର ଥାନା ଜଗନ୍ନାଥପାଟଣା ଗ୍ରାମର ରବୀନ୍ଦ୍ର ମୋହନ ଦାସଙ୍କ ପୁଅ ବିନୋଦ (୩୪) ଆଜି ସକାଳେ ସେହି ଗ୍ରାମର ହାପି ନାମକ ଜଣେ ସାଙ୍ଗ ସହ ଔଷଧ ନେବାକୁ ବାଇକ୍ରେ କୁରୁଡ଼ା ବଜାରକୁ ଆସିଥିଲେ। ସମୟ ଥିଲା ପାଖାପାଖି ୯ଟା ୧୫ ମିନିଟ୍। ବିନୋଦ ଦୋକାନରୁ ଔଷଧ କିଣି ବାଇକ୍ରେ ବସିବା ସମୟରେ ହଠାତ୍ ୫ ଜଣ ଯୁବକ ୨ଟି ବାଇକ୍ରେ ଆସି ତାଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ। ବିନୋଦ ହେଲମେଟ୍ ପିନ୍ଧିଥିବାରୁ ଗୁଳିଟି ମୁଣ୍ଡରେ ହାଲକା ବାଜି ବାହାରକୁ ପଳାଇଥିଲା। ତେବେ ଭାରସାମ୍ୟ ହରାଇ ବିନୋଦ ତଳେ ପଡିଯିବାରୁ ଦୁର୍ବୃତ୍ତମାନଙ୍କ ମଧ୍ୟରୁ ୨ ଜଣ ଭୁଜାଲିରେ ତାଙ୍କ ବେକକୁ ଏକାଧିକ ଚୋଟ ପକାଇଥିଲେ। ବଜାରରେ ଲୋକମାନେ ଏସବୁ ଦେଖୁଥିଲେ ମଧ୍ୟ କେହି ପ୍ରତିବାଦ କରିବାକୁ ସାହସ ଜୁଟାଇ ପାରିନଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବିନୋଦ ସେଠାରେ ଛଟପଟ ହେଉଥିବା ବେଳେ ଦୁର୍ବୃତ୍ତମାନେ ବାଇକ୍ରେ ସେଠାରୁ ଫେରାର ହୋଇ ଯାଇଥିଲେ। ଗୁରୁତର ଅବସ୍ଥାରେ ବିନୋଦଙ୍କୁ ବାଲେଶ୍ବର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ପରଠାରୁ ବିନୋଦଙ୍କ ସହିତ ଆସିଥିବା ତାଙ୍କ ସାଙ୍ଗ ହାପିର ପତ୍ତା ନ ମିଳିବା ଏବଂ ତାଙ୍କ ମୋବାଇଲ ସୁଇଜ୍ ଅଫ୍ ଥିବାରୁ ଘଟଣା ପଛରେ ବିଧିବଦ୍ଧ ଷଡ଼ଯନ୍ତ୍ର କିମ୍ବା ପୂର୍ବ ଶତ୍ରୁତା ଥିବା ପୁଲିସ ସନ୍ଦେହ କରୁଛି। ତଦନ୍ତ ପରେ ହତ୍ୟା ରହସ୍ୟ ଉପରୁ ପରଦା ହଟିବ ବୋଲି ପୁଲିସ କହିଛି।
The post ବଜାର ଉପରେ ବୀଭତ୍ସ ହତ୍ୟାକାଣ୍ଡ: ଗୁଳି ପରେ ଯୁବକଙ୍କ ବେକ କାଟିଦେଲେ first appeared on Sambad.from ଜିଲ୍ଲା | Sambad https://ift.tt/3nOdkbw
0 Comments