ପୁରୀ,୧୩/୧୦(ଇମିସ): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ସୁବ୍ୟବସ୍ଥିତ ହୋଇପାରିଲାନି। ନିଜ ଅଞ୍ଚଳର ଆଦ୍ୟ ଦେବତା ହୋଇଥିଲେ ବି ସର୍ବସାଧାରଣ ଦର୍ଶନ ଭଳି ସ୍ଥାନୀୟ ଭକ୍ତ ବି କେବଳ ସିଂହଦ୍ବାର ଦେଇ ଦର୍ଶନ କରୁଛନ୍ତି। ଅନ୍ୟ ତିନି ଦ୍ବାରରେ ଏମାନଙ୍କ ପାଇଁ ବାଡ଼ ପଡ଼ିଛି। କେବଳ ଦର୍ଶନ ବ୍ୟବସ୍ଥା ନୁହେଁ, ମହାପ୍ରସାଦ ବ୍ୟବସ୍ଥା ବି ସୁବ୍ୟବସ୍ଥିତ ହୋଇପାରିନି। ଯାହାର ସିଧାସଳଖ ଯନ୍ତ୍ରଣା ଭୋଗୁଛନ୍ତି ସ୍ଥାନୀୟ ଭକ୍ତ। ଘର ପାଖରେ ଶ୍ରୀମନ୍ଦିର ଥିଲେ ବି ଦର୍ଶନ ଅବା ମହାପ୍ରସାଦ ପାଇବାକୁ ହେଲେ ସିଂହଦ୍ବାର ଦେଇ ଭିଡ଼ ଭିତରେ ଯିବାକୁ ପଡ଼ୁଛି। ଯଦି କୌଣସି ଗରିବ, ବୃଦ୍ଧ ଅବା ଅସହାୟ ଭକ୍ତ ମହାପ୍ରସାଦ ପାଇବାକୁ ଇଚ୍ଛା ପ୍ରକାଶ କରୁଛି, ସେମାନଙ୍କୁ ମହାପ୍ରସାଦ କିଣିବା ସହ ବୋଝିଆଙ୍କୁ ବି ଟଙ୍କା ଗଣିବାକୁ ପଡ଼ୁଛି। ମନରେ ଅସନ୍ତୋଷ ଥିଲେ ବି ଭକ୍ତିଭାବ ଆଗରେ ସମସ୍ତେ ନିରବ ରହୁଛନ୍ତି।

ପୁରୀବାସୀଙ୍କ ଆଦ୍ୟ ଆରାଧ୍ୟ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଘରୁ ବାହାରିଲେ ମହାପ୍ରଭୁଙ୍କ ଦର୍ଶନ ନ କଲେ କେହି କାମରେ ଯାଆନ୍ତିନି। ଘରକୁ ଫେରିବାବେଳେ ବି ମହାପ୍ରଭୁଙ୍କ ଦର୍ଶନ କରି ଫେରିଥାନ୍ତି। ସ୍ଥାନୀୟ ଭକ୍ତମାନେ ନିୟମିତ ମଙ୍ଗଳ ଆଳତି, ମହାପ୍ରଭୁଙ୍କ ଦୁର୍ଲ୍ଲଭ ବଡ଼ସିଂହାର ବେଶ, କେବେ ବି ଦେଖିବାକୁ ଭୁଲନ୍ତିନି। କିନ୍ତୁ ଏହି ଅଧିକାର ଛଡ଼ାଇ ନେଇଛି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ। ରାଜ୍ୟ ତଥା ରାଜ୍ୟ ବାହାର ଭକ୍ତଙ୍କ ଭଳି ସ୍ଥାନୀୟ ଭକ୍ତଙ୍କୁ ବି ସିଂହଦ୍ବାର ଦେଇ ଯିବାକୁ ପଡ଼ୁଛି। ଯେଉଁମାନେ ଦୈନନ୍ଦିନ ମହାପ୍ରଭୁଙ୍କ ଦର୍ଶନ ପରେ ଅନ୍ନ ଗ୍ରହଣ କରୁଥିଲେ, ସେମାନେ ଏବେ ଯମ ଯନ୍ତ୍ରଣା ଭୋଗୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ସ୍ଥାନୀୟ ଲୋକଙ୍କଠାରୁ କେବଳ ମହାପ୍ରଭୁଙ୍କ ଦର୍ଶନ ଅଧିକାର ଛଡ଼ାଇ ନେଇନି, ଭକ୍ତିଭାବକୁ ବି କୁଠାରାଘାତ କରିଛି। ଦର୍ଶନ ବ୍ୟବସ୍ଥା ଭଳି ମହାପ୍ରସାଦ ନେବାରେ କଲକଲ ‌ହେଉଛନ୍ତି ଭକ୍ତ। ଯେହେତୁ ଆନନ୍ଦବଜାର ଉତ୍ତରଦ୍ବାରରେ ରହିଛି, ସେହି ଦୃଷ୍ଟିରୁ ପୂର୍ବ ବ୍ୟବସ୍ଥା ଅନୁସାରେ ଯେଉଁମାନେ ମହାପ୍ରସାଦ ଚାହୁଁଥିଲେ, ସେମାନେ ଉତ୍ତରଦ୍ବାର ଦେଇ ପ୍ରବେଶ କରି ମହାପ୍ରସାଦ ଆଣି ପାରୁଥିଲେ। ଏକାଦଶୀ ହେଉ କି ଗୁରୁବାର ଅବା ଅନ୍ୟ କିଛି ପର୍ବପର୍ବାଣୀରେ ମହାପ୍ରସାଦ ସେବନ କରିଥାନ୍ତି ସ୍ଥାନୀୟ ଭକ୍ତ।

ଏଣୁ ସ୍ଥାନୀୟ ଲୋକଙ୍କୁ ଉତ୍ତରଦ୍ବାରର ଅଧିକ ଆବଶ୍ୟକତା ରହିଥିଲା। କିନ୍ତୁ ଏହି ପ୍ରବେଶରେ ରୋକ୍‌ ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ। ଫଳରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ସିଂହଦ୍ବାର ଦେଇ ଭକ୍ତମାନେ ମହାପ୍ରସାଦ ଆଣୁଛନ୍ତି। ଯେଉଁମାନେ ବୃଦ୍ଧ ଓ ଅନ୍ୟାନ୍ୟ ଦୃଷ୍ଟିରୁ ଅକ୍ଷମ, ସେମାନେ ବୋଝିଆଙ୍କ ଉପରେ ନିର୍ଭର କରୁଛନ୍ତି। ଆଉ ବୋଝିଆମାନେ ଏହାର ପୂରା ଫାଇଦା ଉଠାଉଛନ୍ତି। ଅଢ଼େଇଶହ ଟଙ୍କାର ମହାପ୍ରସାଦ ଆଣିଲେ ୫୦ରୁ ଶହେ ଟଙ୍କା ବୋଝିଆ ଭାର ଗଣିବାକୁ ପଡ଼ୁଛି। ସେହି ଅନୁସାରେ ଯେତେ ଅଧିକ ଅବଢ଼ା, ସେତେ ଅଧିକ ଟଙ୍କା ବୋଝିଆଙ୍କୁ ଗଣୁଛନ୍ତି ଭକ୍ତ। ଗୋଟିଏ ପଟେ ସ୍ଥାନୀୟ ଲୋକଙ୍କ ଦୈନନ୍ଦିନ ଦର୍ଶନରେ ପ୍ରଶାସନ ଏକପ୍ରକାର ରୋକ୍‌ ଲଗାଇଥିବାବେଳେ ମହାପ୍ରସାଦ କିଣାରେ ଯନ୍ତ୍ରଣା ଦେଉଛି। ପୂର୍ବରୁ ଯେତେବେଳେ ଦର୍ଶନ କଟକଣାର ପ୍ରାରମ୍ଭିକ ପର୍ବ ଆରମ୍ଭ ହେଲା, ସେ ସମୟରେ ସ୍ଥାନୀୟ ଲୋକଙ୍କ କ୍ଷେତ୍ରରେ କୋହଳ ମନୋଭାବ ପୋଷଣ କରିଥିଲା ଜିଲ୍ଲା ପ୍ରଶାସନ। ତତ୍କାଳୀନ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ନିର୍ଦ୍ଦେଶକ୍ରମେ ଆଧାର କାର୍ଡ଼ ଅବା ଅନ୍ୟ କିଛି ପରିଚୟପତ୍ର ଜରିଆରେ ସ୍ଥାନୀୟ ଲୋକ ବୋଲି ପରିଚୟ ଦେବା ପରେ ଦର୍ଶନ ଅନୁମତି ପାଉଥିଲେ। କିନ୍ତୁ ଏହି ବ୍ୟବସ୍ଥା ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଯାହା ଭକ୍ତଙ୍କ ମହଲରେ ଅସନ୍ତୋଷ ଭରି ଦେଇଛି। ଏଣୁ ସ୍ଥାନୀୟ ଲୋକଙ୍କୁ ତୁରନ୍ତ ଚାରିଦ୍ବାରରେ ଦର୍ଶନ ଅନୁମତି ସହ ମହାପ୍ରସାଦ ନେବା ବ୍ୟବସ୍ଥାରେ ସରଳୀକରଣ ଓ ଉତ୍ତରଦ୍ବାର ଦେଇ ମହାପ୍ରସାଦ ଆଣିବାକୁ ଭକ୍ତଙ୍କୁ ଅନୁମତି ଦେବାକୁ ଭକ୍ତଙ୍କ ସହ ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

The post ଚାରିଦ୍ବାରରେ ଦର୍ଶନ ଅନୁମତି କେବେ? ମହାପ୍ରସାଦ ପାଇଁ କଲବଲ ହେଉଛନ୍ତି ଭକ୍ତ first appeared on Sambad.

from ଜିଲ୍ଲା | Sambad https://ift.tt/3lOtfap