
ଜଗତସିଂହପୁର: ଭରା ନଈର ପ୍ରଖର ସୁଅକୁ ଖାତିର ନ କରି ଦୁଇ ପିଲାଙ୍କୁ ଉଦ୍ଧାର କରିଥିବା ଦୁଇ ଜଣଙ୍କୁ ନେଇ ଏବେ ଅଞ୍ଚଳବାସୀ ପ୍ରଶଂସାରେ ଶତମୁଖ। ନିଜ ଜୀବନକୁ ବାଜି ଲଗାଇ ଏଭଳି ସାହସିକତା ପ୍ରଦର୍ଶନ କରିଥିବା ଦୁଇ ଜଣ ହେଉଛନ୍ତି ଜଗତସିଂହପୁର ଥାନା ସଲାଣ୍ଟି ଗାଁର ବାଞ୍ଛାନିଧି ମଲ୍ଲିକ (୫୦) ଓ ନାବାଳକ କାହ୍ନୁ ଚରଣ ମଲ୍ଲିକ (୧୪)।
ସୂଚନା ଅନୁଯାୟୀ ଦେବୀ ନଦୀରେ ଗାଧୋଇବା ବେଳେ ୩ ଜଣ ପିଲା ଭାସି ଯାଇଥିଲେ। ସେହି ସମୟରେ ଗଛ ମୂଳରେ ବସିଥିବା ବାଞ୍ଛାନିଧି ନଈ ଭିତରକୁ ଲମ୍ପ ଦେଇଥିଲେ। ତାଙ୍କ ପଛେ ପଛେ ୧୪ ବର୍ଷ ବୟସ୍କ କାହ୍ନୁ ବି ନଈକୁ ଡେଇଁଥିଲେ। ଭାସି ଯାଉଥିବା ଦୁଇ ନାବାଳକ ଓମ୍ ପ୍ରକାଶ ମଲ୍ଲିକ ଓ ସୁଦାମ ମଲ୍ଲିକଙ୍କୁ ଏମାନେ ଊଦ୍ଧାର କରି ନୂଆ ଜୀବନ ଦେଇଥିଲେ। ତେବେ ପଞ୍ଚମ ଶ୍ରେଣୀର ପଢ଼ୁଥିବା ୧୧ ବର୍ଷର ବାଳକ କାର୍ତ୍ତିକ ମଲ୍ଲିକଙ୍କୁ ଉଦ୍ଧାର କରାଯାଇ ଥିଲେ ବି ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ପ୍ରତ୍ୟକ୍ଷଦର୍ଶୀ ଦେବାଶିଷ ମଲ୍ଲିକ ଏହି କାର୍ଯ୍ୟ ପାଇଁ ବାଞ୍ଛାନିଧି ଓ କାହ୍ନୁଙ୍କ ସାହସକୁ ଭୂରିଭୂରି ପ୍ରଶଂସା କରିବା ସହ ଏମାନଙ୍କୁ ସରକାରଙ୍କ ପକ୍ଷରୁ ସମ୍ମାନିତ କରାଯିବା ଉଚିତ ବୋଲି ମତ ଦେଇଛନ୍ତି। ବାଞ୍ଛାନିଧିଙ୍କ କହିବା ମୁତାବକ, ଆଖି ସାମ୍ନାରେ ଛୋଟ ଛୋଟ ପିଲା ଭାସି ଯାଉଥିଲେ। ଏଣୁ ନିଜ ବିଷୟରେ ଚିନ୍ତା କରିବା ପାଇଁ ସମୟ ନଥିଲା। ତୁରନ୍ତ ପାଣିକୁ ଡେଇଁ ପଡ଼ି ସେମାନଙ୍କୁ କେମିତି ବଞ୍ଚାଇ ହେବ, ସେତେବେଳେ ସେହି କଥା ଚିନ୍ତା କରିଥିଲି। ୧୪ ବର୍ଷ ବୟସ୍କ କାହ୍ନୁ ବି ସମାନ କଥା କହିଛନ୍ତି। ନିଜ ସଂପର୍କରେ ଚିନ୍ତା ନ କରି ଭାସି ଯାଉଥିବା ପିଲାଙ୍କୁ ବଂଚାଇବାକୁ ପାଣିକୁ ଡେଇଁ ପଡ଼ିଥିଲି ବୋଲି କାହ୍ନୁ କହିଛନ୍ତି।
The post ଦେବଦୂତ ସାଜି ୨ ପିଲାଙ୍କୁ କଲେ ଉଦ୍ଧାର: ବାଞ୍ଛାନିଧି ଓ କାହ୍ନୁଙ୍କ ପ୍ରଶଂସାରେ ଅଞ୍ଚଳବାସୀ ଶତମୁଖ first appeared on Sambad.from ଜିଲ୍ଲା | Sambad https://ift.tt/2ZFBOf4
0 Comments