ଖୋର୍ଦ୍ଧା: ୨୦୨୧-୨୨ ଖରିଫ ଋତୁରେ ଖୋର୍ଦ୍ଧା ଜିଲ୍ଲାରୁ ୧୫ ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ଶତକଡ଼ା ୮୦ ଭାଗ ଧାନ ସଂଗ୍ରହ ପାଇଁ ଅଗ୍ରୀମ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଛି। ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ୨୦୨୧-୨୨ ଖରିଫ ଋତୁରେ ଧାନ ସଂଗ୍ରହ ନେଇ ଆଲୋଚନା ହୋଇଛି। ଏଥିରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଆଲୋଚନାରୁ ଜଣାଯାଇଛି ଯେ ବର୍ତ୍ତମାନ ସୁଦ୍ଧା ୪୬୫୯୫ ଜଣ ଚାଷୀ ଧାନ ବିକ୍ରି ପାଇଁ ବିଭିନ୍ନ ସେବା ସମବାୟ ସମିତି ଜରିଆରେ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଯାଞ୍ଚରେ ୪୬୪୧୦ ଚାଷୀଙ୍କ ନଥୀପତ୍ର ସଠିକ ରହିଛି ଓ ସେମାନେ ଧାନସଂଗ୍ରହରେ ଭାଗ ନେବେ। ଧାନ ସଂଗ୍ରହ ସମ୍ପର୍କରେ ସୂଚାନା ଦେଇ ଜିଲ୍ଲା ଯୋଗାଣ ଅଧିକାରୀ ଅନାମ ଚରଣ ସ୍ୱାଇଁ କହିଛନ୍ତି ଯେ ଚଳିତବର୍ଷ ଏଫ୍ଏକ୍ୟୁ ମାନ ଧାନର ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୧୯୪୦ ଓ ଗ୍ରେଡ୍ ଏ ଧାନର ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୧୯୬୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଜିଲ୍ଲାରେ ୧୩୯ଟି ପ୍ୟାକ୍ସ ମାଧ୍ୟରେ ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ।

ଖୋର୍ଦ୍ଧା ଜିଲ୍ଲାରେ ଭୁବନେଶ୍ୱର ଉପଖଣ୍ଡର ଚାଷୀଙ୍କ ଠାରୁ ୨୯ ଡିସେମ୍ବର ଧାନ ସଂଗ୍ରହ ଓ ଖୋର୍ଦ୍ଧା ଉପଖଣ୍ଡରେ ୪ ଜାନୁଆରୀ ଠାରୁ ଧାନ ସଂଗ୍ରହ କରାଯିବ। ଗତବର୍ଷ ମାନଙ୍କରେ ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଆର୍ଏମ୍ସି ପକ୍ଷରୁ ଏକ ମାର୍କେଟ୍ କଂପ୍ଲେକ୍ସ ଓ ଆଦର୍ଶ ମଣ୍ଡି ସ୍ଥାପନ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳେଇ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଦିଗନ୍ତ ରାଉତରାୟ, ଉପଜିଲ୍ଲାପାଳ (ଭୁବନେଶ୍ୱର) ଦେବବ୍ରତ ସାହୁ, ଉପଜିଲ୍ଲାପାଳ (ଖୋର୍ଦ୍ଧା) ଆଇ ଗୌରବ ଶିବାଜୀ, ଡିଆର୍ସିଏସ୍, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସମେତ ମିଲର ମାନେ ଯୋଗ ଦେଇଥିଲେ।

The post ୨୦୨୧-୨୨ ଖରିଫ ଋତୁରେ ୧୫ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ first appeared on Sambad.

from ଜିଲ୍ଲା | Sambad https://ift.tt/3r1zIBO