
ରାଉରକେଲା : ସେୟାର ବଜାରରେ ନିବେଶ କରିବା ନାଁରେ ୧୫ ଲକ୍ଷ ୮୧ ହଜାର ଟଙ୍କା ଠକେଇ ଘଟଣାରେ ରାଉରକେଲା ସାଇବର ଥାନାକୁ ମିଳିଛି ସଫଳତା । ଠକେଇର ମାଷ୍ଟରମାଇଣ୍ଡକୁ ଗୁଜରାଟରୁ ବାନ୍ଧିଛି ସାଇବର ଥାନା ପୁଲିସ। ଗିରଫ ଠକ ଜଣକ ହେଉଛି ଗୁଜରାଟ ମେହେସେନା ଜିଲ୍ଲା ଭିସାନଗର ଅନ୍ତର୍ଗତ ଭାଲକ୍ର ରାଭଲ ଭବିକ୍ ବିଷ୍ଣୁଭାଇ (୨୦)। ତା’ ନିକଟରୁ ପୁଲିସ ନଗଦ ୫୦ ହଜାର ଟଙ୍କା, ଆଇଫୋନ୍ ମୋବାଇଲ, ଆଧାର କାର୍ଡ, ଏଟିଏମ୍ କାଡ ଓ ପାନ୍ କାର୍ଡ ସହ କିଛି ବ୍ୟାଙ୍କର ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଅଭିଯୁକ୍ତ ବିଭିନ୍ନ ଲୋକଙ୍କୁ ଠକେଇ କରି ନିଜ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଜମା କରୁଥିଲା। ପରବର୍ତ୍ତୀ ସମୟ ଏହି ଟଙ୍କାକୁ ଅନ୍ୟ ଏକ ଆକାଉଣ୍ଟ ଟ୍ରାନ୍ସଫର କରି ଦେଉଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ଆଜି ରାଉରକେଲା ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ମୁକେଶ କୁମାର ଭାମୋ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଭଲ ଭବିକ୍ ଏକୁଟିଆ ଏହି କାମ କରୁଥିଲା ନା ତା’ ପଛରେ ଅନ୍ୟ କେଉଁମାନେ ଅଛନ୍ତି, ତା’ର ତଦନ୍ତ ଚାଲିଛି। ଦରକାର ପଡ଼ିଲେ ରାଭଲ ଭବିକ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ପଚରାଉଚୁରା କରାଯିବ। ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ନାଲାରୋଡ଼ ସୁଲତନିଆ ହାଉସ ନିକଟରେ ଜଣେ ମେଡ଼ିସିନ୍ ରିପ୍ରେଜେନ୍ଟେଟିଭ୍ ରହନ୍ତି। ଗତ ୨୦୨୦ ଜାନୁଆରି ୧ ପୂର୍ବାହ୍ନରେ ଜଣେ ଅଜଣା ଯୁବତୀ ତାଙ୍କୁ କଲ୍ କରିଥିଲା। ଯୁବକ ଜଣକ କଲ୍ ରିସିଭ୍ କରିବା ପରେ ଯୁବତୀ ଜଣକ ତାଙ୍କୁ ମୂଳ ଜମା ରାଶିର ୭୦% ଲାଭର ଲୋଭ ଦେଖାଇ ସେୟାର ବଜାରରେ ପୁଞ୍ଜି ନିବେଶ କରିବାକୁ ବିଭିନ୍ନ ପ୍ରକାର ଟିପ୍ସ ଦେଇଥିଲା। ପରେ ଉକ୍ତ ଅଜ୍ଞାତ ଯୁବତୀଟି ‘ହରି’ ନାମକ ଜଣେ ତଥାକଥିତ ସେୟାର ବ୍ରୋକର୍ର ନମ୍ବର ଯୁବକଙ୍କୁ ଦେଇଥିଲା। ଏ ସଂକ୍ରାନ୍ତରେ ସେ ଆହୁରି ବିସ୍ତୃତ ଭାବେ ବୁଝାଇ ପାରିବେ ଯୁବତୀ ଜଣକ କହିଥିଲା। ଲୋଭର ବଶବର୍ତ୍ତୀ ହୋଇ ଯୁବକ ଜଣକ ଉକ୍ତ ‘ହରି’କୁ କଲ୍ କରିଥିଲେ। ହରି କହିଥିଲା, ପ୍ରଥମେ ୬୦ ହଜାର ଟଙ୍କା ବ୍ୟାଙ୍କରେ ଜମା କରିବାକୁ ପଡ଼ିବ। ସେ ଏକ୍ସିସ୍ ବ୍ୟାଙ୍କର ଏକ ଆକାଉଣ୍ଟ ନମ୍ବର ମଧ୍ୟ ଦେଇଥିଲା। ଯୁବକ ଜଣକ ହରିର କଥା ଅନୁଯାୟୀ ଉକ୍ତ ଆକାଉଣ୍ଟରେ ୬୦ ହଜାର ଟଙ୍କା ଜମା କରିଦେଇଥିଲେ। ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ସେହି ସମାନ ଆକାଉଣ୍ଟରେ ମୋଟ୍ ୧୫ ଲକ୍ଷ ୮୧ ହଜାର ଟଙ୍କା ଜମା କରିଥିଲେ। ତେବେ ଯୁବକ ଜଣକ ଏତେ ଟଙ୍କା ଜମା କରିଥିଲେ ହେଁ ଟଙ୍କାଟିଏ ଲାଭ ତାଙ୍କ ଆକାଉଣ୍ଟକୁ ଆସିନଥିଲା। ସନ୍ଦେହ ହେବାରୁ ସେ ବ୍ରୋକର ହରିକୁ ବାରମ୍ବାର କଲ୍ କରିଥିଲେ। ମାତ୍ର ସେ କଲ୍ ଉଠାଇ ନଥିଲା। ଠକାମୀରେ ଶିକାର ହୋଇଥିବା ଜାଣିବା ପରେ ସେ ଗତ ୨୦୨୦ ମାର୍ଚ୍ଚ ୨୩ ତାରିଖରେ ରାଉରକେଲା ସାଇବର ଥାନାରେ ଲିଖିତ ଏତଲା ଦେଇଥିଲେ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ମୋବାଇଲ ଟାୱାର ସ୍ଥାପନ, ମେଗା ଲକି ଡ୍ର ୱିନର୍ ଆଳ ଦେଖାଇ ରାଉରକେଲାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା କିଛି ସାଇବର ଠକଙ୍କୁ ସାଇବର ଥାନା ପୁଲିସ କୋଲକାତା ଓ ମୁମ୍ବାଇରୁ ଗିରଫ କରିଥିଲା।
The post ସେୟାର ବଜାର ନିବେଶ ନାଁରେ ଠକିନେଲା ୧୫.୮୧ ଲକ୍ଷ ଟଙ୍କା, ସାଇବର ଠକକୁ ଗୁଜରାଟରୁ ବାନ୍ଧିଲା ପୁଲିସ first appeared on Sambad.from ଜିଲ୍ଲା | Sambad https://ift.tt/3HCI48C
0 Comments