ବୌଦ୍ଧ: ଲାଞ୍ଚ ନେଇ ଧରାପଡ଼ିଥିବା ବୌଦ୍ଧ ଜିଲ୍ଲା ବଘିଆପଡ଼ାର ତତ୍କାଳନୀନ ଆର୍‌ଆଇ ଗଜେନ୍ଦ୍ର ଦିଗାଲ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ତାଙ୍କୁ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍‌ସ ଅଦାଲତ ୩ ବର୍ଷର ଜେଲଦଣ୍ଡ ସହ ୧୦ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ୬ ମାସ ମଧ୍ୟରେ ଅର୍ଥଦଣ୍ଡ ଆଦାୟ ନହେଲେ ଜେଲଦଣ୍ଡ ୬ ମାସ ବୃଦ୍ଧି ପାଇବ ବୋଲି ରାୟ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୭ ମସିହାରେ ବଘିଆପଡ଼ା ଆର୍‌ଆଇ ଥିବା ବେଳେ ଶ୍ରୀ ଦିଗାଲ ସୁଦର୍ଶନ ମଲିକ ନାମକ ଜଣେ ବ୍ୟକ୍ତିଙ୍କ ପଟ୍ଟା କରାଇବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ୭ ହଜାର ଟଙ୍କାରେ ମୂଲଚାଲ ହେବା ପରେ ସୁଦର୍ଶନ ଭିଜିଲାନ୍‌ସ ବିଭାଗରେ ଅଭିଯୋଗ କରିଥିଲେ। ଲାଞ୍ଚ ନେବା ବେଳେ ନଭେମ୍ବର ୨୯ ତାରିଖ ଦିନ ଆର୍‌ଆଇ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ବ୍ରହ୍ମପୁର ଭିଜିଲାନ୍ସ ଥାନା କେସ୍‌ ନଂ ୫୪/୧୭ରେ ମାମଲା ରୁଜୁ ହୋଇ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍‌ସ କୋର୍ଟରେ ବିଚାରାଧୀନ ଥିଲା। ୯ ଜଣ ସାକ୍ଷୀ ଓ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ଜଜ୍‌ ଶୁଭଦର୍ଶୀ ପଟ୍ଟନାୟକ ମଙ୍ଗଳବାର ଦଣ୍ଡାଦେଶ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଭି. ଭି. ରାମଦାସ ମମଲା ପରିଚାଳାନା କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଶ୍ରୀ ଦିଗାଲ ଚଳିତ ବର୍ଷ ଜୁଲାଇ ୧୬ ତାରିଖରେ ପୁନର୍ବାର ଲାଞ୍ଚ ନେଇ ଭିଜିଲାନ୍‌ସ ହାବୁଡ଼ରେ ପଡ଼ିଥିଲେ। ଘଟଣା ଅନୁସାରେ, ବୌଦ୍ଧ ତହସିଲ ଅନ୍ତର୍ଗତ ପୁଡ଼ୁଗପଥର ଗ୍ରାମର ସୁଶାନ୍ତ ଥାଟିଙ୍କ ପଡ଼ୋଶୀଙ୍କ ସହ ଜମି ବିବାଦ ରହିଥିଲା। ଡିମାର୍କେସନ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେବା ‌ବେଳେ ଗୁଦଗୁଦା ହାଟରେ ଧରାପଡ଼ିଥିଲେ। ଉକ୍ତ ମାମଲା ମଧ୍ୟ ବିଚାରାଧୀନ ରହିଛି।

The post ଭିଜିଲାନ୍‌ସ କୋର୍ଟରେ ଲାଞ୍ଚୁଆ ଆର୍‌ଆଇ ଦଣ୍ଡିତ first appeared on Sambad.

from ଜିଲ୍ଲା | Sambad https://ift.tt/3knR9rR