କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଆଜି ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ନୂଆ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ଵତନ୍ତ୍ର ଉତ୍ସବରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ତାଙ୍କୁ ଶପଥ ପାଠ କରାଇଛନ୍ତି। ଏହି ଅବସରରେ ହାଇକୋର୍ଟର ସମସ୍ତ ବିଚାରପତିଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ।
ଶ୍ରୀ ମହାପାତ୍ର ପ୍ରତିଷ୍ଠିତ ପବ୍ଲିକେସନ୍ ହାଉସ ଗ୍ରନ୍ଥ ମନ୍ଦିରର ପ୍ରତିଷ୍ଠାତା ତଥା ବିଶିଷ୍ଟ ପ୍ରକାଶକ ସ୍ବର୍ଗତ ଶ୍ରୀଧର ମହାପାତ୍ରଙ୍କ ନାତି ତଥା ପ୍ରକାଶକ ସ୍ବର୍ଗତ ଅଭିରାମ ମହାପାତ୍ରଙ୍କ ପୁଅ। ସେ ୧୯୬୯, ଫେବ୍ରୁଆରି ୨୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ ୧୯୮୪ରେ ରେଭେନ୍ସା କଲେଜିଏଟ ସ୍କୁଲରୁ ମାଟ୍ରିକ୍ ପାସ୍ କରିବା ପରେ ରେଭେନ୍ସା କଲେଜରୁ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ। ମଧୁସୂଦନ ଆଇନ କଲେଜରୁ ଏଲଏଲ.ବି. ଡିଗ୍ରି ହାସଲ କରିବା ପରେ ୧୯୯୫ରେ ହାଇକୋର୍ଟରେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ।

ଜଷ୍ଟିସ୍ ପି.କେ.ମିଶ୍ରଙ୍କ ସହଯୋଗୀ ଭାବେ ସେ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ଭାରତର ନିର୍ବାଚନ କମିସନ୍, ରାଜ୍ୟ ମାନବାଧିକାର କମିସନ୍, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ ଭ‌ଳି ବହୁ ଅନୁଷ୍ଠାନ ପକ୍ଷରୁ ହାଇକୋର୍ଟରେ ସେ ଆଇନଜୀବୀ ଭାବେ ମାମଲା ପରିଚାଳନା କରୁଥିଲେ। ଦୀର୍ଘ ୨୬ ବର୍ଷ ଭିତରେ ସେ ହାଇକୋର୍ଟରେ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ପରିଚାଳନା କରି ଜଣେ ଦକ୍ଷ ଆଇନଜୀବୀ ଭାବେ ସାରା ରାଜ୍ୟରେ ସୁନାମ ଅର୍ଜନ କରିଥିଲେ। ଶ୍ରୀ ମହାପାତ୍ରଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୧୮ରେ ପହଞ୍ଚିଛି।

The post ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର first appeared on Sambad.

from ଜିଲ୍ଲା | Sambad https://ift.tt/3CS5xzV